ଋଷ ଓ ୟୁକ୍ରେନ ମହାଯୁଦ୍ଧ: ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଭାରତ ପାଇଁ ଦୁଃଖଦ ଖବର। ଖାରକିଭରେ ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି। ଏମଇଏ ପକ୍ଷରୁ ସଂପୃକ୍ତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ ଆରମ୍ଭ ହୋଇଛି। ମୃତ ଛାତ୍ରଜଣଙ୍କ କର୍ଣ୍ଣାଟକର ନବୀନ ଏସଜି ବୋଲି ଜଣାପଡ଼ିଛି। ସେ ୟୁକ୍ରେନରେ ୪ର୍ଥ ବର୍ଷର ଡାକ୍ତରୀ ଛାତ୍ର ବୋଲି ଜଣାପଡ଼ିଛି।
ଆଜି ସକାଳେ ସେ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ନିକଟସ୍ଥ ଷ୍ଟୋରକୁ ଯାଇଥିଲେ । ଧାଡ଼ିରେ ଅପେକ୍ଷା କରିଥିଲେ ବୋଲି ଦୁଃଖଦ ଘଟଣା ଘଟିଥିଲା । ମୃତ ଛାତ୍ର ନବୀନ ଏସଜିଙ୍କ ମୃତ୍ୟୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଏହା ସହ ରୁଷ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି ବୈଦେଶିକ ସଚିବ। ୟୁକ୍ରେନରେ ଯୁଦ୍ଧ ଲାଗିଥିବା ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶୋକ ପ୍ରକାଶ କରିବା ସହ ମୃତ ଡାକ୍ତରୀ ଛାତ୍ର ନବୀନ ଏସଜିଙ୍କ ବାପାଙ୍କ ସହ କଥା ହୋଇଛନ୍ତି । ମୃତଦେହ ଭାରତକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।