ୟୁକ୍ରେନ୍ର ଆଣବିକ କେନ୍ଦ୍ରରୁ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ, ଘନେଇଲା ବିପଦ

ନୂଆଦିଲ୍ଲୀ : ୟୁକ୍ରେନ୍ର ଆଣବିକ କେନ୍ଦ୍ରରୁ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ । ଘନେଇଲା ଆଶଂକା । ବିପଦର ଦ୍ୱାର ଦେଶରେ ରହିଛି ଜାପୋରଝିଆ ନ୍ୟୁକ୍ଲିଅର ପାଓ୍ଵାର ପ୍ଲାଣ୍ଟ। ରୁଷ ସେନାର ରକେଟ୍ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି ଆଣବିକ କେନ୍ଦ୍ର । ଯେକୌଣସି ମୁହୂର୍ତ୍ତରେ ବିକିରଣ ହୋଇପାରେ। ବିକିରଣ ହେଲେ ବିପର୍ଯ୍ୟୟର ସାମ୍ନା କରିବ ପୂରା ୟୁରୋପ । ୟୁରୋପରେ ବିପଦ ଅର୍ଥ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଉପରେ ବିପଦ । ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଉପରେ ବିପଦ ପଡ଼ିଲେ ଏହା ନାଟୋର ଧାରା ୫ ର ଉଲଂଘନ ହେବ ।

ଅର୍ଥାତ୍ ନାଟୋ ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ଆଉ ନାଟୋର ସବୁ ରାଷ୍ଟ୍ର ଏହା ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବେ । ଏହାର ଅର୍ଥ ରୁଷ୍ ଉପରେ ଆକ୍ରମଣ କରିବ ନାଟୋ । ରୁଷ୍ ଉପରେ ନାଟୋ ଆକ୍ରମଣ କଲେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ । ନାଟୋର ଧାରା ୫ ଉଲଂଘନ ନେଇ ଚେତାଇ ଦେଇଛନ୍ତି ବ୍ରିଟେନ୍ ହାଉସ୍ ଅଫ୍ କମନ୍ସ ଡିଫେନ୍ସ ସିଲେକ୍ଟ କମିଟି ମୁଖ୍ୟ ତୋବିଅସ୍ ଏଲ୍ଉଡ୍ ।

ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ୟୁକ୍ରେନ୍ ଯୁଦ୍ଧ । ମାର୍ଚ୍ଚରେ ଜାପୋରଝିଆ ଆଣବିକ କେନ୍ଦ୍ରକୁ ଦଖଲ କରିଥିଲା ରୁଷ୍ ସେନା । ଏହା ପରଠାରୁ ରୁଷ୍ ଅକ୍ତିଆରରେ ରହିଛି ୟୁରୋପର ଏହି ସର୍ବବୃହତ ଆଣବିକ ଶକ୍ତି କେନ୍ଦ୍ର। ଏକାଧିକ ଥର ପ୍ଲାଣ୍ଟ ଉପରେ ରକେଟ୍ ମାଡ଼ ହୋଇଛି। ପ୍ଲାଣ୍ଟ ପରିସରରୁ ରୁଷ ସାମରିକ କାର୍ଯ୍ୟକଳାପ ଜାରି ରଖିଛି। କ୍ଷତିଗ୍ରସ୍ତ ହୋଇଛି ରିଆକ୍ଟର।

ଫଳରେ ବିକିରଣ ବିପଦ ବଢ଼ି ଯାଇଛି । ଜାପୋରଝିଆ ଆଣବିକ କେନ୍ଦ୍ରରେ ରହିଛି ୬ଟି ରିଆକ୍ଟର । ଏଥିରୁ ୬ ହଜାର ମେଗାଓ୍ଵାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି । ନ୍ୟୁକ୍ଲିଅର ରିଆକ୍ଟର ପାଇଁ କୁଲିଂ ଟାଓ୍ଵାର ରହିଛି। ରକେଟ୍ ମାଡ଼ ଯୋଗୁଁ କୁଲିଂ ଟାଓ୍ଵାର କ୍ଷତିଗ୍ରସ୍ତ ହେଲେ ଉଚ୍ଚ ତାପମାତ୍ରାରେ ରିଆକ୍ଟର ତରଳିବା ଆରମ୍ଭ କରିବ । ଆଉ ବିକିରଣ ସୃଷ୍ଟି ହୋଇ ପ୍ରଳୟ ଆଣିବ । ଏହା ଯେ କୌଣସି ମୁହୂର୍ତ୍ତରେ ଘଟିପାରେ। ସ୍ଥିତି ଗମ୍ଭୀର ଥିବାବେଳେ ରୁଷ୍ ଓ ୟୁକ୍ରେନ୍ ପରସ୍ପର ମୁଣ୍ଡରେ ଅଠାବୋଳିବାକୁ ଉଦ୍ୟମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.