Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ । ସେ ଏହି ଦରରନ୍ଧା ଖାଦ୍ୟର ଫଟୋ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ସେୟାର କରିଛନ୍ତି । ଏହାସହିତ ବିମାନ ଭିତରେ ମଇଳା ସିଟ୍ର ଫଟୋ ମଧ୍ୟ ଛାଡ଼ିଛନ୍ତି । ଅଭିଯୋଗ ଆଣିଥିବା ଏହି ବ୍ୟକ୍ତିଙ୍କ ନାଁ ଭିନିତ୍ କେ. ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ବିମାନଟି ନୂଆଦିଲ୍ଲୀରୁ ଆମେରିକାର ନ୍ୟୁୟର୍କ ସହର ପାଇଁ ଉଡ଼ାଣ ଭରିଥିଲା । ତେବେ ବିମାନ ଯାତ୍ରା ବେଳେ ନିଜର ତିକ୍ତ ଅନୁଭବ ସେୟାର କରି ଭିନିତ୍ ଲେଖିଛନ୍ତି ଯେ ତାଙ୍କ ପାଇଁ ଏହି ଯାତ୍ରା କୌଣସି ଦୁଃସ୍ୱପ୍ନଠାରୁ କମ୍ ନ ଥିଲା । ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିମାନର ବିଜନେସ୍ କ୍ଲାସ୍ରେ ଯାତ୍ରା କରିଥିଲେ । ଏହା ସତ୍ତ୍ୱେ ଯାତ୍ରା ବେଳେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ଭିିନିତ୍ ‘X’ରେ କରିଥିବା ପୋଷ୍ଟରେ କହିଛନ୍ତି କି, ତାଙ୍କୁ ଗଲ୍ଫ ଦେଶର ଏୟାରଲାଇନ୍ସ ଏତିହାଦ୍ ଏୟାରୱେଜ୍ରେ ଶସ୍ତା ଦାମ୍ରେ ଯାତ୍ରା ପାଇଁ ଟିକେଟ୍ ମିଳୁଥିଲା । ହେଲେ ସେ ନିଜର ଆରାମଦାୟକ ଯାତ୍ରା ପାଇଁ ଏୟାର ଇଣ୍ଡିଆକୁ ଚୟନ କରିଥିଲେ । ଏୟାର ଇଣ୍ଡିଆର ବିମାନ ସିଧାସଳଖ ଆମେରିକା ପାଇଁ ଥିଲା । ତାଙ୍କୁ ବିଜନେସ୍ କ୍ଲାସ୍ରେ ଯାତ୍ରା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ।
ଏହା ସହିତ ଯାତ୍ରୀ ଜଣକ ଫଟୋ ସେୟାର କରି ଲେଖିଛନ୍ତି, ତାଙ୍କୁ ଯାତ୍ରା ସମୟରେ ଅଧାରନ୍ଧା ଖାଦ୍ୟ ଦିଆଯାଇଥିଲା । ବିମାନର ସିଟ୍ଗୁଡ଼ିକ ମଧ୍ୟ ଅତି ମଇଳା ଥିଲା । ବିମାନର ୩୫ଟି ସିଟ୍ ମଧ୍ୟରୁ ପ୍ରାୟ ୫ଟି ସିଟ୍ ବସିବା ପାଇଁ ଯୋଗ୍ୟ ନ ଥିଲା । ସେପଟେ ଏହି ମାମଲାରେ ଏ ଯାଏ ଏୟାର ଇଣ୍ଡିଆର ପ୍ରତିକ୍ରିୟା ଆସିନାହିଁ । ବିମାନ ଭିତରେ ଏଭଳି ଦାୟିତ୍ୱହୀନତାକୁ ନେଇ ଲୋକେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।