Below header

ହୃଦୟ ବିଦାରକ! ପୁତ୍ର ସନ୍ତାନ ଜନ୍ମ କଲାନି ବୋଲି ଫୁଟନ୍ତା ପାଣିରେ ସ୍ତ୍ରୀକୁ ଗାଧୋଇ ଦେଲା ସ୍ୱାମୀ, ଦିନ ଦିନ ଧରି ଦେଉ ନ ଥିଲା ଖାଦ୍ୟ

ଉତ୍ତର ପ୍ରଦେଶର ଶାହଜହାଁପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ମାନବିକତାର ସବୁ ସୀମା ପାର୍‌ କରି ଦେଇଛନ୍ତି। ଖବରରୁ ଜଣାପଡ଼ିଛି କି, ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଫୁଟନ୍ତା ତତଲା ପାଣିରେ ଗୋଧାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କ ଉପରେ ଏଥିପାଇଁ ରାଗି ଥିଲେ ଯେ ସେ ପୁତ୍ର ସନ୍ତାନ ଜନ୍ମ ଦେଇ ନ ଥିଲେ।

ତେବେ ଘଟଣା ଚାରିଆଡ଼େ ବ୍ୟାପିଯିବା ପରେ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି। ଘଟଣାର ତୁରନ୍ତ ପରେ ପୀଡ଼ିତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ଗରମ ପାଣି ଦେହରେ ପଡ଼ି ଶରୀର ପୂରା ପୋଡ଼ି ଯାଇଛି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପୀଡ଼ିତାଙ୍କର ୩ ଝିଅ ଅଛନ୍ତି। ଅଭିଯୁକ୍ତଙ୍କ ନାଁ ସତ୍ୟପାଲ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ବାପା ଜ୍ୱାଇଁଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତ ଜଣକ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ତେବେ ପୋଲିସ ତାଙ୍କ ବିରୋଧରେ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

ଏସ୍‌ପି ସଞ୍ଜୀବ ବାଜପେୟୀ କହିଛନ୍ତି, ୨୦୧୩ରେ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହିତ ବିବାହ ହୋଇଥିଲା। ଅଭିଯୁକ୍ତ ସ୍ୱାମୀ ମହିଳାଙ୍କୁ ତାଙ୍କ ବାପଘରୁ ୫୦,୦୦୦ ଟଙ୍କା ଆଣିବାକୁ ଚାପ ମଧ୍ୟ ପକାଉଥିଲେ। ସେ ନିଜ ସ୍ତ୍ରୀଙ୍କୁ ବହୁତ ହଇରାଣ କରୁଥିଲେ। ଦିନ ଦିନ ଧରି ତାଙ୍କୁ ଖାଦ୍ୟ ଦେଉ ନ ଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.