ଲୋକପ୍ରିୟ ମାଲାୟାଲମ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟଙ୍କର ପରଲୋକ

ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ ଝଟକା । ସତୀଶ କୌଶିକଙ୍କ ପରେ ଚାଲିଗଲେ ଆଉ ଜଣେ ଅଭିନେତା । ୭୫ ବର୍ଷୀୟ ମାଲାୟାଲମ ଅଭିନେତା, ସାଂସଦଙ୍କ ହୃଦଘାତରେ ପରଲୋକ ହୋଇଥିବା ଖବର ମିଳିଛି ।

ଲୋକପ୍ରିୟ ମାଲାୟାଲମ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟଙ୍କର ପରଲୋକ ହୋଇଛି । ରବିବାର ରାତିରେ କୋଚିସ୍ଥିତ କୋଚି ଲେକସୋର୍ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ମାର୍ଚ୍ଚ ୩ ତାରିଖରେ କରୋନା ସଂକ୍ରମଣ ହେବା ଯୋଗୁଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହାର୍ଟଆଟାକ ଯୋଗୁଁ ପରଲୋକ ହୋଇଥିବା ଖବର ମିଳିଛି । ଏହି ଅଭିନେତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ରାଜନୀତି କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି ।

ଦୀର୍ଘ ୧୮ ବର୍ଷ ଧରି ଇନୋସେଣ୍ଟ ଆସୋସିଏସନ ଅଫ ମାଲାୟାଲମ ମୁଭି ଆକ୍ଟର୍ସ ଆସୋସିଏସନର ଅଧ୍ୟକ୍ଷ ଥିଲେ। ମାଲାୟାଲମ, ତାମିଲ ଓ କନ୍ନଡ଼ ଫିଲ୍ମରେ ସେ ୭୫୦ ଫିଲ୍ମରେ ଅଭିନୟ କରିଛନ୍ତି। ଉତ୍ତରାଧିକାରୀ ଭାବେ ତାଙ୍କର ପତ୍ନୀ ଏଲିସ, ପୁଅ ସନେଟ ଓ ବୋହୂ ରେଶମୀ ଅଛନ୍ତି।

୧୯୭୨ରେ ମୁକ୍ତିଲାଭ କରିଥିବା ଏ. ବି. ରାଜଙ୍କ ନୃତ୍ୟଶାଳା ଫିଲ୍ମ ହେଉଛି ଇନୋସେଣ୍ଟଙ୍କ ଅଭିନୀତ ପ୍ରଥମ ଫିଲ୍ମ।

ଏଲଡିଏଫ୍ ଟିକେଟରେ ବିଜୟୀ ହୋଇ ୧୬ତମ ଲୋକସଭାରେ ଚଲାକୁଡ଼ୀ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିଲେ ଇନୋସେଣ୍ଟ ।

ଆଜି ସନ୍ଧ୍ୟାରେ ଇରିଞ୍ଜାଲାକୁଡ଼ାସ୍ଥିତ ସେଣ୍ଟ୍ ଟୋମାସ୍ କ୍ୟାଥେଡ୍ରାଲରେ ଆଜି ସନ୍ଧ୍ୟାରେ ତାଙ୍କ ମରଶରୀରକୁ କବର ଦିଆଯିବ। ତେବେ ତାଙ୍କ ମୃତ୍ୟୁରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ବିଜେପି ନେତ୍ରୀ ଖୁସବୁ ସୁନ୍ଦର ସମେତ ଅନେକ ଲୋକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି । ସେହିପରି ଗତକାଲି ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ସୁଇସାଇଡ କରିଥିଲେ । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି ।