Below header

୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ଚନ୍ଦ୍ରବାବୁ, ପ୍ରତିବାଦରେ ଦଳ ପକ୍ଷରୁ ଆସନ୍ତାକାଲି ରାଜ୍ୟବ୍ୟାପୀ ଆନ୍ଦୋଳନ

ବିଜୟଓ୍ଵାର୍ଡର ଏକ ଆଣ୍ଟି କରପସନ ବ୍ୟୁରୋ(ଏବିସି) କୋର୍ଟ ରବିବାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ତେଲଗୁଦେଶମ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି ।

ନୂଆଦିଲ୍ଲୀ : ବିଜୟଓ୍ଵାର୍ଡର ଏକ ଆଣ୍ଟି କରପସନ ବ୍ୟୁରୋ(ଏବିସି) କୋର୍ଟ ରବିବାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ତେଲଗୁଦେଶମ ପାର୍ଟିର ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି ।

ରବିବାର ଦୀର୍ଘ ଆରୋପ-ପ୍ରତ୍ୟାରୋପ ଓ ଯୁକ୍ତି ପରେ ‘ଏବିସି’ କୋର୍ଟ ରାୟ ଶୁଣାଇଥିଲା । ଫଳରେ ଚନ୍ଦ୍ରବାବୁଙ୍କୁ ୧୪ ଦିନ ପାଇଁ ବା ୨୩ ସେପ୍ଟେମ୍ବର ଯାଏ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳେ ଗିରଫ କରାଯାଇଥିଲା । ଶ୍ରୀ ନାଇଡୁଙ୍କୁ ରାଜମୁନ୍ଦ୍ରୀ ସେଣ୍ଟ୍ରାଲ ଜେଲକୁ ପଠାଯିବା ନେଇ ସମ୍ଭାବନା ରହିଛି । କୋର୍ଟଙ୍କ ଏହି ନିଷ୍ପତ୍ତି ଟିଡିପି ନେତା ଓ କର୍ମୀଙ୍କ ମଧ୍ୟରେ ନିରାଶା ଆଣି ଦେଇଛି । ଏହାର ପ୍ରତିବାଦରେ ଟିଡିପି ପକ୍ଷରୁ ଆସନ୍ତାକାଲି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି ।

କୋର୍ଟଙ୍କ ଆଦେଶ ପରେ ଶ୍ରୀ ନାଇଡୁଙ୍କ ପକ୍ଷରୁ ତୁରନ୍ତ ସୁପ୍ରିମକୋର୍ଟରେ ଜାମିନ ପାଇଁ ପିଟିସନ ଦାଖଲ କରାଯାଇଛି । ସୋମବାର ଏହାର ଶୁଣାଣି ହେବାର ଆଶା କରାଯାଉଛି । ଶ୍ରୀ ନାଇଡୁ ତାଙ୍କ ଗିରଫକୁ ଅବୈଧ ବୋଲି କହିବା ସହ ରାଜ୍ୟ ଶାସନରେ ଥିବା କଂଗ୍ରେସ ସରକାର ରାଜନୈତିକ ପ୍ରତିଶୋଧ ପରାୟଣ ହୋଇପଡିଛି ବୋଲି କୋର୍ଟଙ୍କୁ କହିଥିଲେ ।

ପ୍ରକାଶଯୋଗ୍ୟ, ଶ୍ରୀ ନାଇଡୁଙ୍କ ଉପରେ ୩୭୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ୩୦୦ କୋଟି ଟଙ୍କା କ୍ଷତି ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ଶ୍ରୀ ନାଇଡୁଙ୍କୁ ଆଇପିସି ଧାରା ୧୨୦ ବି(ଅପରାଧିକ ଷଡଯନ୍ତ୍ର), ୪୨୦(ଦୁର୍ନୀତି) ଓ ୪୬୫ (ଜାଲ ଷଡଯନ୍ତ୍ର) ସହିତ ଅନ୍ୟ ଗୁରୁତର ଦଫାରେ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.