Below header

ଗର୍ଭବତୀଙ୍କୁ ଚେୟାରରେ ବସାଇ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ନେଇ ଡାକ୍ତରଖାନାରେ ପହଁଚିଲେ ଗ୍ରାମବାସୀ

ରାସ୍ତା ଓ ହସ୍ପିଟାଲ ନଥିବା କାରଣରୁ ଲୋକେ ଗର୍ଭବତୀ ମହିଳାଙ୍କୁ ଚେୟାରରେ ବସାଇ ୧୮ କିଲୋମିଟର ପାଦରେ ଚାଲି ଚାଲି ନେଇ ରାସ୍ତାରେ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ହିମାଚଳ ପ୍ରଦେଶର କୁଲ୍ଲୁଠାରେ । ସୂଚନା ଅନୁଯାୟୀ ରବିବାର ଦିନ ସକାଳୁ ହଠାତ ସୁନିତା ନାମକ ଜଣେ ମହିଳାଙ୍କର ପ୍ରସବ ପୀଡା ହୋଇଥିଲା । ଏହାଦେଖି ତାଙ୍କ ସ୍ୱାମୀ ଓ ପରିବାରବର୍ଗ ବ୍ୟସ୍ତ ହୋଇ ଉଠିଥିଲେ ଯେ ତାଙ୍କୁ ହସ୍ପିଟାଲରେ କିପରି ପହଞ୍ଚାଯିବ । ତାପରେ ସେମାନେ ଗ୍ରାମବାସୀଙ୍କ ସାହାଯ୍ୟ ନେଇ ଏକ ଚେୟାରରେ ତାଙ୍କୁ ବସାଇ ବୁହାଇ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ । ତାପରେ ସେଠାରୁ ଗାଡି ସାହାଯ୍ୟରେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ।


ସୂଚନାଯୋଗ୍ୟ ଯେ ମାତ୍ର ଦେଢ଼ମାସ ଭିତରେ ଏହା ହେଉଛି ଚତୁର୍ଥ ଘଟଣା । ଏଠାରେ ପୂର୍ବରୁ ମଧ୍ୟ ଅନ୍ୟ ଦୁଇ ମହିଳାଙ୍କୁ ଏହିପରି ଚେୟାରରେ ବୁହାଯାଇ ରାସ୍ତା ପାଖକୁ ନିଆଯାଇଥିଲା । ତେବେ ଗତ କିଛିଦିନ ତଳେ ଔଷଧ ଦେବାକୁ ଯାଉଥିବା ଅଙ୍ଗନବାଡି କର୍ମୀ ମଧ୍ୟ ଏହି ପାହାଡିଆ ରାସ୍ତାରୁ ଖସି ମୃତ୍ୟୁବରଣ କରିଥିଲେ ।

ଏତେସବୁ ପରେ ମଧ୍ୟ ସରକାର ଓ ପ୍ରଶାସନ ଚୁପ ହୋଇ ବସିଛି । ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଏହି ଗ୍ରାମର ଲୋକେ ସାଧାରଣ ସୁବିଧାରୁ ବଂଚିତ ହୋଇ ଅଛନ୍ତି । କେବଳ ରୋଗୀ ନୁହେଁ ଏମାନଙ୍କୁ ସାଧାରଣ ବସ୍ତୁ ନେବାଆଣିବା କରିବା ପାଇଁ ମଧ୍ୟ ଅତି ବିପଦଜନକ ଭାବେ ଯାତ୍ରା କରିବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.