Below header

ମେ’ ୯ ପରେ ପୁଟିନଙ୍କର ହେବ କ୍ୟାନ୍‌ସର ଅପରେସନ; ଏହି ଭୟଙ୍କର କମାଣ୍ଡର ସମ୍ଭାଳିବେ ରୁଷ୍‌ର ଶାସନ ଭାର!

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କ୍ୟାନସର ରୋଗରେ ଜୁଝି ହେଉଛନ୍ତି। ଦୀର୍ଘ ଦିନରୁ ତାଙ୍କର ଅସୁସ୍ଥତା ଲାଗି ରହିଛି, ଯେଉଁ କାରଣରୁ ସେ କ୍ଷମତାରୁ ଓହରି ଯିବାକୁ ନିଷ୍ପତ୍ତି ନେଇପାରନ୍ତି। ରୁଷ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମ୍‌ଲିନର ଗୁଇନ୍ଦା ସୂତ୍ର ମୁତାବକ, ୬୯ ବର୍ଷୀୟ ପୁଟିନ ପେଟ କ୍ୟାନସର ଏବଂ ପାର୍କିନ୍‌ସନ ରୋଗରେ ପୀଡ଼ିତ। ତାଙ୍କର ଖୁବ୍‌ଶୀଘ୍ର କ୍ୟାନସର ଅପରେସନ ହୋଇପାରେ। ତେଣୁ ସେ ନିଜର ଖାସ୍‌ ସହଯୋଗୀ ତଥା ହାର୍ଡଲାଇନ ସ୍ପାଇ ଚିଫ୍‌ ନିକୋଲାଇ ପତ୍ରୁଶେଭ୍‌ଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଯାଉଥିବା ଏକ ରିପୋର୍ଟ ଦାବି କରିଛି।

ରିପୋର୍ଟ ମୁତାବକ, ପୁଟିନ ଜଲ୍‌ଦି ନିଜର ମେଡିକାଲ ଯାଞ୍ଚ କରାଇବାକୁ ଯାଇପାରନ୍ତି। ଏ ନେଇ ସେ ଖାସ୍‌ ବନ୍ଧୁମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ହେଲା, ପୁଟିନଙ୍କୁ ତୁରନ୍ତ ଅପରେସନର ଆବଶ୍ୟକ ରହିଛି। ହେଲେ ଏହା କେବେ ହେବ, ତାହା କେବଳ ସେ ହିଁ କହି ପାରିବେ। ସର୍ଜରୀ ପରେ ଯେ ପର୍ଯ୍ୟନ୍ତ ସେ ଫିଟ୍‌ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ସରକାର ଚଲାଇବାରେ ଅକ୍ଷମ ରହିବେ। ଯଦିଓ ପୁଟିନଙ୍କୁ ଲାଗୁଛି ଯେ ଅପରେସନ ପରେ ସେ ଜଲ୍‌ଦି ଫିଟ୍‌ ହୋଇଯିବେ।

ରିପୋର୍ଟରୁ ଜଣାପଡ଼ିଛି, ପୁଟିନ ନିଜ ଅପରେସନ ବିଷୟରେ ବିଶ୍ୱସ୍ତ ସ୍ପାଇ ମାଷ୍ଟର ୭୦ ବର୍ଷୀୟ ନିକୋଲାଇ ପାତ୍ରୁଶେଭ୍‌ଙ୍କ ସହ ପାଖାପାଖି ୨ ଘଣ୍ଟା କାଳ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଯଦିଓ ଅପରେସନ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ରିପୋର୍ଟ କହିଛି ଯେ ପାତ୍ରୁଶେଭ୍‌ ହେଉଛନ୍ତି ଜଣେ ହାର୍ଡଲାଇନ ନ୍ୟାସନାଲିଷ୍ଟ୍‍। ଏମିତିରେ ଯଦି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଏ ଏବଂ ପାତ୍ରୁଶେଭ୍‌ ରୁଷ୍‌ର ଅସଲ ଶାସକ ହୁଅନ୍ତି, ତେବେ ୟୁକ୍ରେନ ଯୁଦ୍ଧ ଆହୁରି ଭୟଙ୍କର ରୂପ ଧାରଣ କରିବ। ଏଥିସହ ସିଧାସଳଖ ନାଟୋ ସହ ମଧ୍ୟ ସାମ୍ନାସାମ୍ନି ହେବ।

ସୂତ୍ରରୁ ଜଣାପଡ଼ିଛି ଯେ ପୁଟିନ ଦୀର୍ଘ ଦିନରୁ କ୍ୟାନସର ଏବଂ ପାର୍କିନ୍‌ସନ ରୋଗରେ ଜୁଝି ହେଉଛନ୍ତି। କିନ୍ତୁ ଅପରେସନ ନ କରାଇବା ଯୋଗୁ ରୋଗ ଧୀରେ ଧୀରେ ବଢ଼ି ଚାଲିଛି। ଗୋଟିଏ ପଟେ ପୁଟିନ କେବେ ଅପରେସନ କରାଇବେ, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଅନ୍ୟପଟେ ଏତିକି ସ୍ପଷ୍ଟ ହୋଇଛି ଯେ ସେ ମେ’ ୯ ପୂର୍ବରୁ କଦାପି ନିଜର ଅପରେସନ ବିଷୟରେ ଭାବି ପାରିବେ ନାହିଁ। କାରଣ, ମେ’ ୯ ରୁଷ୍‌ର ‘ନ୍ୟାସନାଲ ଭିକ୍ଟ୍ରି ଡେ’ ହୋଇଥାଏ। ଏହିଦିନ ରୁଷ୍‌ ହିଟଲରଙ୍କ ନାଜି ସେନା ଉପରେ ବିଜୟ ହାସଲ କରିଥିଲା। ଏଥିପାଇଁ ମେ’ ୯ରେ ପୁଟିନ କୌଣସି ବି ସ୍ଥିତିରେ ମସ୍କୋରେ ହେଉଥିବା ମୁଖ୍ୟ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବାକୁ ଚାହିଁ ଥାଆନ୍ତି। ସେପଟେ ବ୍ରିଟେନ ପ୍ରତିରକ୍ଷା ସଚିବ ବେନ ଓ୍ଵାଲେସ୍‌ ଚେତାବନୀ ଦେଇଛନ୍ତି ଯେ ପୁଟିନ ଏହି ଦିନକୁ ୟୁକ୍ରେନ ବିରୋଧରେ ‘ଅଲ୍‌ ଆଉଟ୍‌ ଓ୍ଵାର’ ଘୋଷଣା କରିବା ପାଇଁ ଉପଯୋଗ କରି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.