ଏଠାରେ ଜନ୍ମ କଲେ ୧୦ ଟି ସନ୍ତାନ ପାଇବେ ୧୩ ଲକ୍ଷ ଟଙ୍କା ପୁରସ୍କାର, ଏଥିସହିତ ପାଇବେ ମଦର ହିରୋଇନ ପୁରସ୍କାର

ମସ୍କୋ : ଋଷରେ ଏବେ ଜନ୍ମ ହାର କମିବାରେ ଲାଗିଛି । ଯେଉଁଥିପାଇଁ ଦେଶର ଜନସଂଖ୍ୟାରେ ହ୍ରାସ ଘଟୁଛି । କ୍ଷେତ୍ରଫଳ ଅନୁଯାୟୀ ଋଷ ସାରା ବିଶ୍ୱରେ ସବୁଠୁ ବଡ଼ ଦେଶ । ହେଲେ ଏହାର ଜନସଂଖ୍ୟା ମାତ୍ର ୧୪ କୋଟି ୪୧ ଲକ୍ଷ । ଏଥିପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତିନ ସୋଭିଏତ ଯୁଗର ମଦର ହିରୋଇନ ପୁରସ୍କାର ପୁଣିଥରେ ଦେବାକୁ ଘୋଷଣା କରିଛନ୍ତି । ଏହି ସପ୍ତାହରେ ଏହି ପୁରସ୍କାର ଦେବା ନିର୍ଦ୍ଦେଶନାମାରେ ରାଷ୍ଟ୍ରପତି ସ୍ୱାକ୍ଷର ବି କରିଛନ୍ତି ।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେଉଁ ମହିଳା ୧୦ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ କରିବେ ଓ ତାଙ୍କର ଲାଳନ ପାଳନ କରିବେ,ତାଙ୍କୁ ଋଷର ‘ମଦର ହିରୋଇନ’ ଉପାଧିରେ ସମ୍ମାନିତ କରାଯିବ । ଏଥି ସହ ୧୦ ଟି ସନ୍ତାନ ଜନ୍ମ କରିବା ମାତାଙ୍କ ୧୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ରାଷ୍ଟ୍ରପତି ପୁତିନ ଘୋଷଣା କରିଛନ୍ତି ।

୧୦ ଟି ସନ୍ତାନ ହେଲେ ମିଳିବ ୧୩ ଲକ୍ଷ ଟଙ୍କା :

ଋଷରେ ୧୦ ଟି ଜିବୀତ ସନ୍ତାନ ଜନ୍ମ କରିବା ସହ ଯଦି ସେମାନଙ୍କର ଭରଣ ପୋଷଣ ୧ ବର୍ଷ ଯାଏ କରିବେ,ତେବେ ଉକ୍ତ ସନ୍ତାନକୁ ୧ ବର୍ଷ ହେବା ପରେ ମା’କୁ ସନ୍ତାନର ଭରଣ ପୋଷଣ ପାଇଁ ୧ ମିଲିୟନ ରୁବେଲ ( ପ୍ରାୟ ୧୩ ଲକ୍ଷ ଟଙ୍କା) ମିଳିବ । ଏହାଛଡ଼ା ୯ ଟି ସନ୍ତାନଙ୍କ ମଧ୍ୟରୁ ଯଦି କାହାର ମୃତ୍ୟୁ ଆତଙ୍କବାଦ ବା କୌଣସି ଅଘଟଣରେ ମୃତ୍ୟୁ ହୁଏ, ସେଥିପାଇଁ ମଧ୍ୟ ଉକ୍ତ ମା’କୁ ୧୩ ଲକ୍ଷ ଟଙ୍କା ମିଳିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ପ୍ରକାଶ ପାଇଛି । ଏହି ପୁରସ୍କାର ମାଧ୍ୟମରେ ଋଷର ଜନସଂଖ୍ୟା ହାର ବୃଦ୍ଧି କରାଯାଇ ପାରିବ ବୋଲି ପୁତିନ ଆଶବାଦୀ ଅଛନ୍ତି ।

ଜୋସେଫ ଷ୍ଟାଲିନ ୧୯୪୪ ରେ ଆରମ୍ଭ କରିଥିଲେ ପୁରସ୍କାର :

ଋଷର ଜନସଂଖ୍ୟା ଦୀର୍ଘ ବର୍ଷ ଧରି ହ୍ରାସ ପାଇ ଆସୁଛି । ଏହାକୁ ଲକ୍ଷ୍ୟ କରି ୧୯୪୪ ରେ ସୋଭିଏତ ନେତା ଜୋସେଫ ଷ୍ଟାଲିନ ପୁରସ୍କାର ଆରମ୍ଭ କରିଥିଲେ । ଏହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ଜନସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇଥିଲା । ତେଣୁ ଜନସଂଖ୍ୟାର ବୃଦ୍ଧିପାଇଁ ସେତେବେଳର ସରକାର ଏହି ପୁରସ୍କାର ଘୋଷଣା କରିଥିଲେ ।

ଲଗାତାର ହ୍ରାସ ପାଉଛି ଋଷର ଜନସଂଖ୍ୟା :

କିଛି ବର୍ଷ ଧରି ଋଷର ଜନସଂଖ୍ୟାରେ ଲଗାତାର ହ୍ରାସ ଘଟୁଥିବା ଦେଖାଯାଇଛି । ୨୦୨୨ ଆରମ୍ଭରେ ଋଷର ଜନସଂଖ୍ୟାରେ ପ୍ରାୟ ୪ ଲକ୍ଷ ହ୍ରାସ ପାଇଥିବା ଦେଖାଯାଇଥିଲା । ଋଷର ଜନସଂଖ୍ୟାର ହ୍ରାସ ୧୯୯୦ ରୁ ଆରମ୍ଭ ହୋଇଥିଲା । ୨୦୦୦ ମସିହାରେ ପୁତିନ ରାଷ୍ଟ୍ରପତି ହେବା ପରେ ମଧ୍ୟ ଜନସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁତିନ ଏହି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.