ଜେଲେନ୍‌ସ୍କିଙ୍କ ‘ଗୋଟିଏ ଶବ୍ଦର ଟ୍ଵିଟ୍‌’ ସୃଷ୍ଟି କଲା ହଇଚଇ! ପସନ୍ଦ କଲେଣି ୧.୫ ଲକ୍ଷରୁ ଅଧିକ ଲୋକ…ଜାଣନ୍ତୁ କ’ଣ ଲେଖିଛନ୍ତି

ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ବି ଫଳାଫଳ ମିଳିପାରି ନାହିଁ। ଉଭୟ ଦେଶ କେହି କାହାକୁ ଛାଡ଼ିବାକୁ ନାରାଜ। ଯଦିଓ ଏହି ଯୁଦ୍ଧରେ ୟୁକ୍ରେନ ବହୁତ କ୍ଷତି ସହିଛି, କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଯବାନମାନେ ଅସ୍ତ୍ର ଛାଡ଼ି ନାହାନ୍ତି। ସେପଟେ ରୁଷ୍‌ ସେନା ନିଜର ଘାତକ କ୍ଷେପଣାସ୍ତ୍ର ଏବଂ ବୋମା ମାଧ୍ୟମରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସାବଶେଷରେ ପରିଣତ କରି ଦେଇଛି, ଏହାସତ୍ତ୍ୱେ ୟୁକ୍ରେନ, ରୁଷ୍‌ ସହିତ ଯୁଦ୍ଧ କରିବାରେ ପଛଘୁଞ୍ଚା ଦେଉନାହିଁ।

ଏହାରି ଭିତରେ ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କିଙ୍କ ଏକ ଟ୍ୱିଟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଜେଲେନସ୍କି କରିଥିବା ଏହି ଟ୍ଵିଟ୍‌ରେ କେବଳ ଗୋଟିଏ ଶବ୍ଦ ଲେଖା ଯାଇଛି। ଏମିତିରେ ଟ୍ୱିଟରରେ ଯଦିଓ ଶବ୍ଦ ଲିମିଟ୍‌ ନିଶ୍ଚୟ ରହିଥାଏ, କିନ୍ତୁ ତାହା ଏତେ କମ୍ ନୁହେଁ ଯେ କେବଳ ଗୋଟିଏ ଶବ୍ଦ ହିଁ ଲେଖା ଯାଇପାରିବ। ଜେଲେନସ୍କିଙ୍କ ତରଫରୁ କରାଯାଇଥିବା ଏହି ଗୋଟିଏ ଶବ୍ଦ ବାଲା ଟ୍ୱିଟରେ ‘Freedom’ ଲେଖା ହୋଇଛି। ଗୋଟିଏ ଶବ୍ଦର ଏହି ଟ୍ଵିଟ୍‌ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଜେଲେନସ୍କିଙ୍କ ଏହି ଟ୍ଵିଟ୍‌ ଦର୍ଶାଉଛି କି, ତାଙ୍କୁ ସ୍ୱାଧୀନତା ଦରକାର। ଏହି କାରଣରୁ ରୁଷ୍‌ ବିରୋଧରେ ଲଢ଼େଇରେ ୟୁକ୍ରେନ ଏ ପର୍ଯ୍ୟନ୍ତ ଅସ୍ତ୍ରତ୍ୟାଗ କରିନାହିଁ।

ଜେଲେନସ୍କିଙ୍କ ଏହି ଗୋଟିଏ ଶବ୍ଦଯୁକ୍ତ ଟ୍ୱିଟ୍ ହଜାର ଶବ୍ଦର ବରାବର। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ଏ ବିଷୟରେ ହିଁ ଚର୍ଚ୍ଚା, ଆଲୋଚନା କରୁଛନ୍ତି। କେହି କେହି ୟୁକ୍ରେନକୁ ସମର୍ଥନ କରୁଛନ୍ତି ତ ଆଉ କେହି ରୁଷ୍‌ର ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ଜେଲେନ୍‌ସ୍କିଙ୍କ ଏହି ଟ୍ୱିଟକୁ ବହୁତ ପସନ୍ଦ କରାଯାଉଛି, ଯାହାକୁ ୧.୫ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି ଏବଂ ପାଖାପାଖି ୧୭ ହଜାର ଥର ରିଟ୍ୱିଟ କରାଯାଇଛି।

କହି ରଖୁଛୁ, ନିକଟରେ ୟୁକ୍ରେନ ନିଜର ୩୧ତମ ସ୍ୱାଧୀନତା ଦିବସ ପାଳନ କରିଥିଲା। ୟୁକ୍ରେନର ସ୍ୱାଧୀନତା ଦିବସ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କିଭ୍‌ରେ ପହଞ୍ଚି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସେ ଜେଲେନସ୍କିଙ୍କ ସହିତ କିଭ୍‌ରେ ବୁଲିବାର ମଧ୍ୟ ନଜର ଆସିଥିଲେ। ବୋରିସ୍ ଜନସନ ଏହି ସମୟରେ ଜେଲେନସ୍କିଙ୍କୁ ଆଶ୍ୱସନା ଦେଇ କହିଥିଲେ ଯେ ସେ ନିଶ୍ଚୟ ରୁଷ୍ ବିରୋଧରେ ଯୁଦ୍ଧ ଜିତିବେ। ଏଥି ସହିତ ଜନସନ ରୁଷ୍ ଆକ୍ରମଣର ସାମ୍ନା କରିବା ପାଇଁ ୟୁକ୍ରେନକୁ ୫୪ ମିଲିୟନ ପାଉଣ୍ଡର ପ୍ୟାକେଜ୍ ଘୋଷଣା କରିଥିଲେ।

ସୂଚନାଥାଉ କି, ରୁଷ୍‌, ୟୁକ୍ରେନ ଉପରେ ଫେବୃଆରୀ ୨୪, ୨୦୨୨ରେ ଆକ୍ରମଣ ଆରମ୍ଭ କରିଥିଲା। ଦକ୍ଷିଣ ପ୍ରାନ୍ତ ଖେରସନ୍‌ରେ ୟୁକ୍ରେନ ଅଗଷ୍ଟ ୨୮, ୨୦୨୨ରେ ପ୍ରତି ଆକ୍ରମଣ କରିଥିଲା। ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ଏ ପର୍ଯ୍ୟନ୍ତ ୪୧ ମିଲିୟନରୁ ଅଧିକ ୟୁକ୍ରେନ ନାଗରିକ ପଳାୟନ କରିଛନ୍ତି। ରିପୋର୍ଟ ମୁତାବକ, ସମଗ୍ର ୟୁରୋପରେ ୬.୬ ମିଲିୟନରୁ ଅଧିକ ୟୁକ୍ରେନ ଶରଣାର୍ଥୀଙ୍କୁ ପଞ୍ଜୀକୃତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.