Below header

ପଶ୍ଚିମ ବଙ୍ଗରେ ମହାମାରୀ କରୋନା ଠାରୁ ବଳି ପଡିଲା ଅମ୍ଫନର ତାଣ୍ଡବ, ବିଚଳିତ ହୋଇଗଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବଙ୍ଗୋପସାଗର ସାଗରରେ ସୃଷ୍ଟି ହୋଇଥିବା ଚକ୍ରବର୍ତ୍ତୀ ବାତ୍ୟା “ଅମ୍ଫନ” ଘଂଟାପ୍ରତି ପାଖାପାଖି ୧୯୦ କିଲୋମିଟର ବେଗରେ ବୁଧବାର ଅପରାହ୍ନ ୨.୩୦ ସମୟରେ ପଶ୍ଚିମ ବଙ୍ଗର ଦିଘା ଓ ବାଂଲାଦେଶର ହଟିଆ ଦ୍ବୀପ ମଝାମଝି ଅଂଚଳ ସୁନ୍ଦରବନରେ ଲ୍ୟାଣ୍ଡଫଳ କରିଛି । ଦୀର୍ଘ ୪ ଘଣ୍ଟା ଧରି ଏହି ବାତ୍ୟା ନିଜ ତାଣ୍ଡବ ଲୀଳା ଜାରି ରଖିଥିଲା । ଏହି ସମୟରେ ଉପକୂଳବର୍ତ୍ତୀ ଅଂଚଳରେ ୧୬୦ ରୁ ୧୭୦ କିଲୋମିଟର ବେଗରେ ପବନ ବୋହିଥିଲା । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତର ରିପୋର୍ଟ ଅନୁଯାୟୀ ଏହି ଭୟାବହ ଦୁର୍ବିପାକରେ ପଶ୍ଚିମ ବଙ୍ଗର ୧୨ ଜଣ ଲୋକଙ୍କ ଜୀବନ ଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବନାର୍ଜି ।

cyclone

ରାଜ୍ୟର ଅନେକ ସ୍ଥାନରେ ଗଭୀର କ୍ଷତି ଘଟାଇଛି ଏହି ବାତ୍ୟା । ବିରାଟ ବିରାଟ ଗଛ ଉପୁଡି ଭୂମିରେ ଲୋଟିଛି । ସ୍ଥାନେ ସ୍ଥାନେ ବିଦ୍ୟୁତ ତାର ଛିଡି ତଳେ ପଡିବା ସହ ପବନ ସମ୍ଭଳିନପାରି ଖୁଣ୍ଟ ଉପୁଡି ପଡିଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳରେ ଯୋଗାଯୋଗ ସମ୍ଭବ ହୋଇପାରିନଥିବାରୁ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ସଠିକ ତଥ୍ୟ ଏଯାବତ ଜଣାପଡ଼ିନାହିଁ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜିଙ୍କ ଅନୁଯାୟୀ ମହାମାରୀ କରୋନା ଅପେକ୍ଷା ବାତ୍ୟା ଅମ୍ପନ ରାଜ୍ୟ ଉପରେ ଅଧିକ ଭାରି ପଡିଛି । କହିବାକୁ ଗଲେ ପଶ୍ଚିମ ବଙ୍ଗକୁ ଏକ ପ୍ରକାର ଦୋହଲାଇ ଦେଇଛି ବାତ୍ୟା “ଅମ୍ଫନ” ।

cyclone

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଚକ୍ରବର୍ତ୍ତୀ ବାତ୍ୟା ଅମ୍ଫନ ମାତ୍ର ୧୮ ଘଣ୍ଟା ଭିତରେ ଶ୍ରେଣୀ- ୧ ରୁ ଶ୍ରେଣୀ-୫ ର ସୁପର ସାଇକ୍ଲୋନରେ ପରିଣତ ହୋଇଥିଲା । କୁହାଯାଉଛିକି ବିଗତ ୨୦ ବର୍ଷ ଭିତରେ ଅମ୍ପନ ହେଉଛି ସବୁଠୁ ଶକ୍ତିଶାଳୀ ବାତ୍ୟା । ଏହା ପୂର୍ବରୁ ୧୯୯୯ ମସିହାରେ ଓଡ଼ିଶାରେ ହୋଇଥିବା ମହାବାତ୍ୟା ଗଭୀର କ୍ଷତି ପହଞ୍ଚାଇ ଥିବା ବେଳେ ସେସମୟରେ ଏହି କାରଣରୁ ପ୍ରାୟ ୧୫ ହଜାର ଲୋକଙ୍କ ଜୀବନ ଯାଇଥିଲା । ଆଉ ମଧ୍ୟ ଗତ ବର୍ଷ ମେ ମାସରେ ହୋଇଥିବା ଫନି ରେ ଓଡିଶାକୁ ଗଭୀର କ୍ଷତି ସହିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.