Below header

ଦେଶରେ ପ୍ରଥମ! ୧୦ମ ବୋର୍ଡ ପରୀକ୍ଷା ସମୟରେ ଇଣ୍ଟରନେଟ୍‌ ବନ୍ଦ କଲେ ପଶ୍ଚିମବଙ୍ଗ ସରକାର; ଜାଣନ୍ତୁ କାହିଁକି…

ଦେଶରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୦ମ ବୋର୍ଡ ପରୀକ୍ଷା ସମୟରେ ରାଜ୍ୟର କିଛି ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛନ୍ତି। ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ଜଣେ ଅଧିକାରୀ କହିଛନ୍ତି କି, ସୋମବାରଠାରୁ ଆରମ୍ଭ ହୋଇଥିବା ୧୦ମ ବୋର୍ଡ ପରୀକ୍ଷାରେ କପି ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ମାଲ୍‌ଦା ଏବଂ ମୁର୍ଶିଦାବାଦ ସମେତ ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା ଆରମ୍ଭ ହେବାର ୧ ଘଣ୍ଟା ଭିତରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ୨୦୧୯ ଏବଂ ୨୦୨୦ରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍‌ ହେବା ପୃଷ୍ଠଭୂମି ଉପରେ ସରକାର ଏମିତି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ୟ ସରକାରଙ୍କ ଆଦେଶ ମୁତାବକ, ମାର୍ଚ୍ଚ ୭, ୮, ୯, ୧୧, ୧୨, ୧୪ ଏବଂ ୧୬ ତାରିଖରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ଏହି ସେବା ବନ୍ଦ କରାଯିବାର ଅବଧି ସକାଳ ୧୧ଟାରୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ରହିବ। ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଫୋନ୍‌ କଲ୍‌, ମେସେଜ୍‌ ସେବା ସହ ଖବରକାଗଜ ପ୍ରସାରଣ ପୂର୍ବ ଭଳି ଜାରି ରହିବ। ତେଣୁ ଏହା ଭାବିବା ଉଚିତ୍‌ ନୁହେଁ ଯେ ସୂଚନା, ସଞ୍ଚାର ଏବଂ ପ୍ରସାରଣ ଉପରେ କୌଣସି ରୋକ୍‌ କିମ୍ବା ପ୍ରତିବନ୍ଧକ ଲଗାଯାଇଛି। ତେବେ ସରକାର ଆଦେଶରେ ଇଣ୍ଟରନେଟ୍‌ ବନ୍ଦ କରିବାର କାରଣ ମଧ୍ୟ କହିଛନ୍ତି। ସରକାରଙ୍କ ମୁତାବକ, ଗୁଇନ୍ଦା ସୂଚନା ରହିଛି ଯେ ପରୀକ୍ଷା ସମୟରେ ଇଣ୍ଟରନେଟ୍‌ ସେବା ଏବଂ ଇଣ୍ଟରନେଟ୍‌ ଟେଲିଫୋନ୍‌ ସେବାର ବ୍ୟବହାର ବେଆଇନ କାର୍ଯ୍ୟକଳାପରେ ଆସୁଛି। ଯେତେବେଳେ କି, କିଛି ସମ୍ବେଦନଶୀଳ ସ୍ଥାନରେ ଏହି ବିପଦ ଆଶଙ୍କା ଅଧିକ ରହିଛି।

ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୧ରେ କରୋନା ମହାମାରୀ ଯୋଗୁ ୧୦ମ ଏବଂ ଦ୍ୱାଦଶ ପରୀକ୍ଷାକୁ ରଦ୍ଦ କରି ଦେଇଥିଲା। କିନ୍ତୁ ୨୦୨୦ରେ ୧୦ମ ପରୀକ୍ଷା ଆରମ୍ଭ ହେଉଣୁ ହ୍ଵାଟସ୍‌ଆପରେ କିଛି ପ୍ରଶ୍ନପତ୍ରର ଫଟୋ ଭାଇରାଲ ହେବାରେ ଲାଗିଥିଲା। ଯଦିଓ ପରେ ବୋର୍ଡ ଦାବି କରିଥିଲା କି, ପେପର ଲିକ୍‌ ହୋଇ ନାହିଁ। ଏହିପରି ୨୦୧୯ରେ ମଧ୍ୟ ବଙ୍ଗଳା ଭାଷା, ଗଣିତ, ଇଂଲିଶ୍‌, ଲାଇଫ୍‌ ସାଇନ୍ସ ଆଦି ପ୍ରଶ୍ନପତ୍ର ହ୍ଵାଟସ୍‌ଆପରେ ଲିକ୍‌ ହୋଇଥିଲା। ସେତେବେଳେ ବୋର୍ଡକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା ଯେ ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ତାହା ନୁହେଁ, ଯାହା ପରୀକ୍ଷା ସମୟରେ ବଣ୍ଟା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.