କାହିଁକି କେନ୍ଦ୍ର ସରକାର ୧୮ରୁ ୨୨ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି?ସାମନାକୁ ଆସିଲା କାରଣ

ଆସିଲା ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା। କାହିଁକି କେନ୍ଦ୍ର ସରକାର ଆସନ୍ତା ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କାରଣ ସାମନାକୁ ଆସିଛି ।

କେନ୍ୟୁଜ୍(ବ୍ୟୁରୋ):  ସବୁ କଳ୍ପନାଜଳ୍ପନାର ଅନ୍ତ । ଆସିଲା ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା। କାହିଁକି କେନ୍ଦ୍ର ସରକାର ଆସନ୍ତା ୧୮ ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି କାରଣ ସାମନାକୁ ଆସିଛି । ଏହି ୫ ଦିନିଆ ଅଧିବେଶନରେ ୭୫ ବର୍ଷର ସଂସଦୀୟ ଇତିହାସ ଉପରେ ଆଲୋଚନା ହେବ । ଏହି ୭୫ ବର୍ଷର ଉପଲବ୍ଧି, ଅଭିଜ୍ଞତା, ଶିକ୍ଷା ଓ ସଂସଦର ସ୍ମୃତି ଉପରେ ଆଲୋଚନା ହେବ। ସେହିପରି ୪ଟି ବିଲ ଉପରେ ବି ହେବ ଆଲୋଚନା । ଆଡଭୋକେଟ ଆମେଣ୍ଡମେଣ୍ଟ ବିଲ-୨୦୨୩ ଅଗଷ୍ଟ ୩ରେ ରାଜ୍ୟସଭାରେ ପାସ ହୋଇଛି। ଲୋକସଭାରେ ଏହି ବିଲ ପାସ କରିବାର ଏଜେଣ୍ଡା ରଖିଛନ୍ତି ସରକାର।

ସେହିପରି ରାଜ୍ୟସଭାରେ ପାସ ହୋଇଥିବା ‘ଦି ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ଅଫ ପିରିଓଡ଼ିକାଲ୍ସ ବିଲ ୨୦୨୩’ ଲୋକସଭାରେ ପାସ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଏହା ବ୍ୟତୀତ ପୋଷ୍ଟ ଅଫିସ ବିଲ ୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସଂପର୍କିକ ବିଲକୁ ସ୍ବତନ୍ତ୍ର ଅଧିବେଶନରେ ପାସ କରିବା ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ଏହି ୨ଟି ବିଲ ରାଜ୍ୟ ସଭାରେ ଅଗଷ୍ଟ ୧୦ରେ ଆଗତ ହୋଇଥିଲା। କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନ ଡାକିବା ପରେ ପ୍ରଥମେ ଚର୍ଚ୍ଚା ହୋଇଥିଲା ଯେ ୱାନ ନେସନ ୱାନ ଇଲେକ୍ସନ ବିଲ ଆଣିବେ ସରକାର। ଏହା ପରେ ପୁଣି ଚର୍ଚ୍ଚା ହେଲା ଯେ ଦେଶର ନାଁ ବଦଳାଇବାକୁ ବିଲ ଆଣିବେ ସରକାର। ସ୍ବତନ୍ତ୍ର ଅଧିବେଶନର ଆଜେଣ୍ଡା ଆସିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.