ଦିନକୁ ୬ ଥର ଗାଧାଏ ସ୍ତ୍ରୀ; ଶେଷକୁ ବି ଧୋଇ ଦେଲା ଲାପ୍‌ଟପ ଓ ମୋବାଇଲ ଫୋନ! ରାଗରେ ପାଚି ଛାଡ଼ପତ୍ର ମାଗିଲା ସ୍ୱାମୀ

Obsessive Compulsive Disorder (OCD), ସାଧାରଣ ଭାଷାରେ କହିବାକୁ ଗଲେ ଏକ ପ୍ରକାରର ମାନସିକ ରୋଗ। ଏଥିରେ ଆକ୍ରାନ୍ତ ବ୍ୟକ୍ତି କୌଣସି ବି କାମକୁ ଭୟରେ ବାରମ୍ବାର ଦୋହରାଇଥାଏ। କୁହାଯାଉଛି କି, ବେଙ୍ଗାଲୁରୁରୁ ମଧ୍ୟ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଓସିଡି ସହ ଜଡ଼ିତ ରହିଛି। ଏଠାରେ ଜଣେ ସ୍ୱାମୀ, ସ୍ତ୍ରୀର ସଫେଇ ଅଭ୍ୟାସରେ ବିରକ୍ତ ହୋଇ ଛାଡ଼ପତ୍ର ଦାବି କରିଛି। ସେପଟେ ସ୍ତ୍ରୀ ମଧ୍ୟ ସ୍ୱାମୀ ବିରୋଧରେ ମକଦ୍ଦମା କରିବାକୁ ବିଚାର କରୁଛି।

ଖବର ମୁତାବକ, ସନ୍ଧ୍ୟା ଓ ଗିରୀଶ (ଛଦ୍ମନାମ)ଙ୍କ ବିବାହ ୨୦୦୯ ମସିହାରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ଚାକିରି ଆଳରେ ଇଂଲଣ୍ଡ ଯାଇଥିଲେ। ସେ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ ଚାଲିଥିଲା। ମାମଲାର ତଦନ୍ତ କରୁଥିବା ବେଙ୍ଗାଲୁରୁ ସିଟି ପୋଲିସର ବରିଷ୍ଠ ପରାମର୍ଶଦାତା ବିଏସ୍‌ ସରସ୍ୱତୀ କହିଛନ୍ତି, ଦୁଇ ବର୍ଷ ପରେ ପ୍ରଥମ ସନ୍ତାନ ଜନ୍ମ ହେବା ପରଠାରୁ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା। ସ୍ୱାମୀ ଅଫିସରୁ ଫେରିବା କ୍ଷଣି ସ୍ତ୍ରୀ ପ୍ରତ୍ୟେକ ଥର ତାଙ୍କ ଜୋତା, କପଡ଼ା, ସେଲଫୋନ୍‌ ଆଦିକୁ ସଫା କରେଇବାକୁ ବାଧ୍ୟ କରୁଥିଲେ। ବ୍ରିଟେନରୁ ଫେରିବା ପରେ ଦମ୍ପତି ଫ୍ୟାମିଲି କାଉନସେଲିଂର ସାହାରା ନେଇଥିଲେ ଏବଂ ପରିସ୍ଥିତି ମଧ୍ୟ ସୁଧୁରୁ ଥିଲା। ପରେ ସେମାନଙ୍କର ଆଉ ଏକ ସନ୍ତାନ ଜନ୍ମ ହୋଇଥିଲା।

ରିପୋର୍ଟ ମୁତାବକ, କୋଭିଡ୍‌ ଆସିବା ପରେ ସନ୍ଧ୍ୟାଙ୍କ ଓସିଡି ଆହୁରି ବିଗିଡ଼ି ଯାଇଥିଲା। ସେ ଘରେ ଥିବା ପ୍ରତ୍ୟେକ ଜିନିଷକୁ ସଫା କରିବା ଏବଂ ସାନିଟାଇଜ କରିବା ଆରମ୍ଭ କରି ଦେଇଥିଲେ। ସରସ୍ୱତୀ କହିଛନ୍ତି କି, ଲକ୍‌ଡାଉନ ସମୟରେ ସ୍ୱାମୀ ଘରୁ ହିଁ କାମ କରୁଥିଲେ ଏବଂ ସ୍ତ୍ରୀ ତାଙ୍କର ଲାପ୍‌ଟପ ଓ ସେଲଫୋନକୁ ଧୋଇ ଦେଇଥିଲେ। ନିଜ ଅଭିଯୋଗ ପତ୍ରରେ ସ୍ୱାମୀ ଉଲ୍ଲେଖ କରିଛନ୍ତି ଯେ ସ୍ତ୍ରୀ ଦିନକୁ ୬ରୁ ଅଧିକ ଥର ଗାଧାନ୍ତି। ଏପରିକି, ଗାଧୋଇବା ସାବୁନକୁ ମଧ୍ୟ ସଫା କରିବା ପାଇଁ ସେ ଅଲଗା ଏକ ସାବୁନ ବ୍ୟବହାର କରି ଥାଆନ୍ତି।

ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଗତବର୍ଷ ସନ୍ଧ୍ୟାଙ୍କ ମା’ଙ୍କର ନିଧନ ହୋଇଥିଲା, ଯାହାପରେ ସେ ନିଜ ସ୍ୱାମୀ ଓ ପିଲାମାନଙ୍କୁ ଜବରଦସ୍ତ ଘରଠୁ ବାହାରେ ରଖିଥିଲେ ଏବଂ ୩୦ ଦିନ ଧରି ଘରକୁ ସଫାସୁତରା କରୁଥିଲେ। ପରାମର୍ଶଦାତା କହିଛନ୍ତି, ସ୍ୱାମୀ ସେତେବେଳେ ଅଧିକ ରାଗି ଯାଇଥିଲେ, ଯେତେବେଳେ ପିଲାମାନେ ସ୍କୁଲରୁ ଫେରିବା ପରେ ସ୍ତ୍ରୀ ସେମାନଙ୍କୁ ପ୍ରତିଦିନ ସ୍କୁଲ ୟୁନିଫର୍ମ, ଜୋତା ଆଦି ଧୋଇବାକୁ ବାଧ୍ୟ କରୁଥିଲେ। ଏହାପରେ ଗିରୀଶ ପିଲାମାନଙ୍କୁ ଧରି ନିଜ ମାଆ, ବାପାଙ୍କ ଘରକୁ ଚାଲି ଆସିଥିଲେ। ଆଉ ସେପଟେ ସନ୍ଧ୍ୟା ବି ପୋଲିସ ପାଖରେ ପହଞ୍ଚି ଯାଇଥିଲେ। ସୂଚନାଥାଉ କି, ଦମ୍ପତିଙ୍କର ୧୧ ଏବଂ ୯ ବର୍ଷର ଦୁଇଟି ସନ୍ତାନ ଅଛନ୍ତି।

ପୋଲିସ ଏହି ମାମଲାକୁ କାଉନସେଲିଂ ପାଖରେ ପହଞ୍ଚାଇ ଥିଲା, ଯେଉଁଠି ପରାମର୍ଶଦାତା ଗମ୍ଭୀର ଓସିଡି ରୋଗର ଆଶଙ୍କା ପ୍ରକାଶ କରିଥିଲେ। ଏଥି ସହିତ ପରାମର୍ଶ ଦେଇଥିଲେ କି, ମହିଳାଙ୍କୁ ସହାୟତାର ଆବଶ୍ୟକ ରହିଛି। ଯଦିଓ ସେମାନେ ଏହା ମଧ୍ୟ କହିଥିଲେ ଯେ ମହିଳା ଠିକ୍‌ ଅଛନ୍ତି ଏବଂ ସଫେଇ ଅଭ୍ୟାସ ବହୁତ ସାଧାରଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.