Below header

ହଠାତ୍‌ ସେନା ହସ୍ପିଟାଲ ପହଞ୍ଚି ମନୋବଳ ବଢ଼ାଇଲେ ଜେଲେନସ୍କି! କହିଲେ, ‘ସାଙ୍ଗମାନେ ଜଲ୍‌ଦି ସୁସ୍ଥ ହୋଇଯାଅ’…; ଫଟୋ ହେଉଛି ଭାଇରାଲ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ୧୯ତମ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ୟୁକ୍ରେନ ନିଜର ବହୁତ କିଛି ହରାଇଛି। ଦେଶର ଅନେକ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହ ଶହ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତଥାପି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ନିଜ ସୈନିକମାନଙ୍କର ମନୋବଳ ଦୁର୍ବଳ ହେବାକୁ ଦେଉ ନାହାନ୍ତି।

ଏହାରି ଭିତରେ ଜେଲେନସ୍କି ହଠାତ୍‌ କିଭ୍‌ସ୍ଥିତ ଏକ ସେନା ହସ୍ପିଟାଲ ପହଞ୍ଚିଥିଲେ। ତାଙ୍କୁ ଦେଖି ସେଠାରେ ଚିକିତ୍ସିତ ହେଉଥିବା ସୈନ୍ୟ ବିଶ୍ୱାସ କରିପାରି ନ ଥିଲେ କି, ଖୋଦ୍‌ ରାଷ୍ଟ୍ରପତି ସେମାନଙ୍କୁ ଭେଟିବାକୁ ଆସିଛନ୍ତି। ଜେଲେନସ୍କି ହସ୍ପିଟାଲରେ ଆହତ ୟୁକ୍ରେନ ସୈନ୍ୟମାନଙ୍କର ମନୋବଳ ବଢ଼ାଇଥିଲେ। ଜେଲେନସ୍କିଙ୍କର ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ୟୁକ୍ରେନର ରକ୍ଷା ମନ୍ତ୍ରାଳୟ ଜେଲେନସ୍କିଙ୍କ ହସ୍ପିଟାଲ ଗସ୍ତର ଫଟୋ ପୋଷ୍ଟ କରିଛି, ଯେଉଁଥିରେ ସେ ସେଲ୍ଫି ପାଇଁ ପୋଜ୍‌ ଦେଉଥିବା ଏବଂ ସୈନ୍ୟମାନଙ୍କ କଥା ପଚାରି ବୁଝୁଥିବା ନଜର ଆସୁଛନ୍ତି। ସୈନ୍ୟମାନଙ୍କୁ ଭେଟିବା ସମୟରେ ଜେଲେନସ୍କି କହିଥିଲେ, ‘ସାଙ୍ଗମାନେ, ଜଲ୍‌ଦି ସୁସ୍ଥ ହୋଇଯାଅ। ମୋର କହିବା କଥା, ଆପଣଙ୍କ ପାଇଁ ସବୁଠାରୁ ଭଲ ଉପହାର ହେବ ଆମର ସାଧାରଣ ବିଜୟ’। ତେବେ ଏହା କେଉଁ ହସ୍ପିଟାଲର ଫଟୋ, ତାହା ପୋଷ୍ଟରେ ଉଲ୍ଲେଖ କରାଯାଇ ନାହିଁ।

ଅନ୍ୟପଟେ ଜେଲେନସ୍କି ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ପଦକରେ ସମ୍ମାନିତ କରିଛନ୍ତି ଏବଂ ‘ୟୁକ୍ରେନର ନାୟକ’ ଘୋଷଣା କରିଛନ୍ତି। ରିପୋର୍ଟ ମୁତାବକ, ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ୟୁକ୍ରେନ ସେନାର ସିନିୟର ଲେଫ୍ଟନାଣ୍ଟ ହତ୍ସୁଲ ଭୋଲୋଦିମିର୍‌ ଓଲେକ୍ସାଣ୍ଡ୍ରୋଭିଚ୍‌ଙ୍କୁ ମଧ୍ୟ ପଦକରେ ସମ୍ମାନିତ କରାଯାଇଛି। ଓଲେକ୍ସାଣ୍ଡ୍ରୋଭିଚ୍‌ ରୁଷୀୟ ସେନା ଉପକରଣର ୨୫ ୟୁନିଟ୍‌କୁ ନଷ୍ଟ କରିଥିଲେ ଏବଂ ପାଖାପାଖି ୩୦୦ ଆକ୍ରମଣକାରୀଙ୍କୁ ମାରିଥିଲେ। ଦେଶ ପାଇଁ ଲଢ଼ୁ ଲଢ଼ୁ ତାଙ୍କ ଜୀବନ ଚାଲି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.