ଭିତରକନିକାରେ ଜୀବଜନ୍ତୁ ଏବେ ଗାଁ ମୁହାଁ, ଜାଣନ୍ତୁ କାହିଁକି ଏପରି କରୁଛନ୍ତି ହରିଣ ଏବଂ ବାରହା

ରାଜନଗର (କେନ୍ୟୁଜ୍‌) : ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବା ବନ୍ୟଜୀବମାନେ ଏବେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ହରିଣ,ବାରହା ଜନ ବସତି ଆଡକୁ ପ୍ରବେଶ କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଗତ କୋଡିଏ ଦିନ ମଧ୍ୟରେ ଜଙ୍ଗଲ ଠାରୁ ବହୁ ଦୂର ଜନବସତି ଅଞ୍ଚଳରୁ ତିନି ତିନିଟି ହରିଣ ଉଦ୍ଧାର ହେବା ଘଟଣା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ବନ୍ୟଜୀବମାନଙ୍କୁ ଶିକାରୀଙ୍କ କବଳରୁ ରକ୍ଷା କରିବା ବନବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଗ୍ରୀଷ୍ମ ଆସିଲେ ଖାଲି ମଣିଷ ନୁହେଁ ପଶୁ ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହୁଅନ୍ତି । ମଣିଷ ସିନା କାହାକୁ ମାଗି ଯାଚି କିମ୍ବା ନିଜେ ବ୍ୟବସ୍ଥା କରି ପାଣି ପିଇ ନେବେ ହେଲେ ପଶୁ ପକ୍ଷୀ ତ କେବଳ ଜଳାଶୟ ଉପରେ ନିର୍ଭରଶୀଳ, ତେଣୁ ଗାଁ ମୁହାଁ ହରିଣ ଓ ବାରହା ଭଳି ପଶୁମାନେ । ଏଥର ଖରା ଆରମ୍ଭରୁ ଜନବସତି ମୁହାଁ ହୋଇଛନ୍ତି ଏମାନେ। ଗତ କୋଡିଏ ଦିନ ମଧ୍ୟରେ ଜଙ୍ଗଲ ଠାରୁ ବହୁ ଦୂରରୁ ଗାଁ ଭିତରକୁ ତିନି ତିନିଟି ପଶି ଆସିଥିଲେ ହରିଣ ଓ ବାରହା । ସେମାନଙ୍କୁ ଉଦ୍ଧାର କରାଯାଇଛି ।

ବିଶେଷ କରି ହରିଣ ଓ ବାରହାମାନେ ନିକଟସ୍ଥ ଜନବସତି ଅଞ୍ଚଳକୁ ପଶି ଆସିବାର ଦେଖା ଯାଉଛି । ଆଉ ଅନେକ ସମୟରେ ଏମାନେ ଶିକାରୀଙ୍କ ହାବୁଡ଼ରେ ପଡି ଜୀବନ ହରାଉଛନ୍ତି । ପୁଣି କେବେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରୁଛନ୍ତି। ତେବେ ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଶିକାରୀ ଫାସ ଓ ଜାଲ ବସାଇ ଏମାନଙ୍କୁ ଧରିବା ସହିତ କୁକୁର ଲଗାଇ ମଧ୍ୟ ଶିକାର କରୁଥିବା ନଜିର ରହିଛି । ପୂର୍ବରୁ ମହାକାଳପଡ଼ା ବ୍ଲକ ନୀଳାଞ୍ଚଳ ବଜାର ନିକଟରେ ଏବଂ ତେରାଗାଁରେ ଦୁଇଟି ହରିଣକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ। ସେହିଭଳି ଚଳିତ ମାସ ୯ ତାରିଖରେ ସଦର ଥାନା ଅନ୍ତର୍ଗତ ଭେଡିସାହି ନିକଟରେ ଏକ ହରିଣକୁ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ। ଜଙ୍ଗଲ ମଧ୍ୟରେ ମିଠା ପାଣିର ଅଭାବ ଓ ଜଙ୍ଗଲର ବାଡ଼ ନଷ୍ଟ ଯୋଗୁ ହରିଣମାନେ ସହଜରେ ଜନ ବସତି ମଧ୍ଯକୁ ପଶି ଆସୁଛନ୍ତି ଆଉ ଜୀବନ ହରାଉଛନ୍ତ ।

ଭିତରକନିକା ର ଚାରୋଟି ରେଞ୍ଜ କନିକା, ରାଜନଗର ଗହୀରମଥା ଓ ମହାକାଳପଡ଼ା ରେଞ୍ଜରେ ହଜାର ହଜାର ହରିଣ, ବରାହା, ଓଧ,ପାତି ମାଙ୍କଡ଼, ବିଲୁଆ, ଝିଙ୍କ,ଅହିରାଜ ଓ ଅଜଗର ସମେତ ଅନ୍ୟାନ୍ୟ ଜୀବ ଜନ୍ତୁ ବସବାସ କରୁଛନ୍ତି। ତେବେ ଏହି ଅଞ୍ଚଳରେ ପାଣି ଲୁଣି ଯୋଗୁ ବନବିଭାଗ ପକ୍ଷରୁ ବନାଞ୍ଚଳ ମଧ୍ୟରେ ୨୦ଟି ପୋଖରୀ ଓ ୪୨ଟି ସାନ ପୋଖରୀ ଖୋଳା ଯାଇଛି । ଏହି ସବୁ ପୋଖରୀରୁ ବନ୍ୟଜନ୍ତୁଙ୍କୁ ପିଇବା ପାଇଁ ମଧୁର ପାଣି ମିଳିଥାଏ । ତେବେ ସମୟ କ୍ରମେ ଅନେକ ପୋଖରୀ ପୋତି ହୋଇ ପଡ଼ିଥିବା ବେଳେ ଏହାର ପୁନଃରୁଦ୍ଧାର ହୋଇନାହିଁ । ତେଣୁ ଜଳ ସଂକଟ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ କହିଛନ୍ତି ଫସଲ ଖାଇବା ପାଇଁ ଏବଂ ଖରାଦିନରେ ନିକଟସ୍ଥ ଗାଁ ଗୁଡ଼ିକରେ ଥିବା ପୋଖରୀ କୁ ପାଣି ପିଇବା ପାଇଁ ଚାଲି ଆସନ୍ତି। ଅବଶ୍ୟ ଜଙ୍ଗଲ ଭିତରେ ଥିବା ପୋଖରୀର ପୁନରୁଦ୍ଧାର ସହ ନୂଆ ପୋଖରୀ ମଧ୍ୟ ଖୋଳା ଯିବା ପାଇଁ ଯୋଜନା ହୋଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.