କରୋନା ସାଜିଲା ପାଚେରୀ, ବିନା ଭକ୍ତରେ ଆରମ୍ଭ ହେଲା ମା’ ମଙ୍ଗଳାଙ୍କ ପ୍ରଥମ ପାଳି ଝାମୁଯାତ୍ରା

ଆଜିଠାରୁ ଆରମ୍ଭ ହୋଇଛି ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ରମାସର ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ଝାମୁ ଯାତ୍ରାରେ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ ଏଥରକ ବିନା ଭକ୍ତରେ ଆରମ୍ଭ ହୋଇଛି ମା’ଙ୍କ ଯାତ୍ରା। କରୋନାର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏ ଅବସରରେ କଟକଣା ଲାଗୁ କରାଯାଇଛି। ପୁଲିସ ପ୍ରଶାସନ ପକ୍ଷରୁ ମଙ୍ଗଳା ମନ୍ଦିରକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାକୁ ସିଲ କରିଦିଆଯାଇଛି। କୌଣସି ଭକ୍ତକୁ ମନ୍ଦିର ନିକଟକୁ ଛଡାଯାଉନି କି ମଙ୍ଗଳାଙ୍କୁ ଦର୍ଶନ କରାଇଦିଆଯାଉନାହିଁ। କଟକଣା ସତ୍ୱେ କାକଟପୁର ବଜାର ମଙ୍ଗଳା ଗେଟ ପାଖରେ ଶ୍ରଦ୍ଧାଳୁ ମାନେ ଏକାଠି ହୋଇଥିବାରୁ ପୋଲିସ ସେମାନଙ୍କୁ ଘଉଡାଉଥିବା ଦେଖିବାକୁ ମିଳିଛି। ଏଣୁ କେଉଁ ଭକ୍ତ ରାସ୍ତା ଉପରେ ଠିଆହୋଇ ଦୀପ ଜାଳୁଛି ତ ଆଉ କିଏ ରାସ୍ତା ଉପରେ ମୁଣ୍ଡିଆ ମାରି ନିଜ ଭକ୍ତି ଭାବକୁ ପ୍ରକାଶ କରୁଛି।

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ପାଇଁ ଭକ୍ତମାନଙ୍କ ଦର୍ଶନ ଉପରେ କଟକଣା ଲାଗିବା ପରେ ଶ୍ରଦ୍ଧାଳୁମାନେ ନିରାଶ ହୋଇଛନ୍ତି। କଟକଣା ସତ୍ତ୍ୱେ ରାଜ୍ଯର ବିଭିନ୍ନ ସ୍ଥାନରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ମଙ୍ଗଳାଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଆସି କାକଟପୁରରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ମଙ୍ଗଳାଙ୍କ ମନ୍ଦିର ନିକଟକୁ ଛାଡି ନଥିଲା। ଫଳରେ ବାଧ୍ୟ ହୋଇ ସେମାନେ ରାସ୍ତା ଉପରେ ପୂଜାର୍ଚ୍ଚନା କରିଥିଲେ।

mangala2

ସେପଟେ ମହିଳା ଭକ୍ତମାନେ ଚୈତ୍ରମାସର ପ୍ରତି ମଙ୍ଗଳବାର ମଙ୍ଗଳା ମନ୍ଦିରକୁ ଆସି ବେଢା ପରିସରରେ ପନ୍ଥେଇ ପୂଜା କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାରୁ ମହିଳାମାନେ ରାସ୍ତା ଉପରେ ପନ୍ଥେଇ ପୂଜା କରୁଥିବାର ଦେଖିବାକୁ ମିଳିଛି। ସେହିପରି କେତେକ ମହିଳା ରାସ୍ତା ଉପରେ ଜାମୁ ଡାଳରେ ଓଳାଉଥିବା ମଧ୍ୟ ଦେଖିବାକୁ ମିଳିଛି। ମଝି ରାସ୍ତାରେ ମହିଳାମାନେ ପନ୍ଥେଇ ପୂଜା କରୁଥିବା ବେଳେ ପୁଲିସ ସେମାନଙ୍କୁ ଘଉଡାଇବା ସହ ପୂଜା କରିଥିବା ପନ୍ଥେଇକୁ ବାଡିରେ ଫିଙ୍ଗି ଦେଉଥିବାରୁ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।