Below header

ଲର୍ଡ଼ସ ଟେଷ୍ଟ: ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ

ଲଣ୍ଡନ୍‌ : ଲଗାଣ ବର୍ଷା ଲର୍ଡ଼ସ ଟେଷ୍ଟର ପ୍ରଥମ ଦିନ ଖେଳ ଧୋଇ ନେଇଛି । ଉଭୟ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଅପେକ୍ଷା କରି ରହିଥିଲେ କେତେବେଳେ ବର୍ଷା ଛାଡ଼ିବ । ହେଲେ ବର୍ଷା ବନ୍ଦ ହେଲା ନାହିଁ । ତେଣୁ ଅମ୍ପାୟାର ଓ ମ୍ୟାଚ୍‌ରେଫରୀ ଶେଷରେ ମିଳିତ ନିଷ୍ପତ୍ତି ନେଇ ପ୍ରଥମ ଦିନର ଖେଳ ବାତିଲ କରିଦେଲେ । ଏମିତିକି ଆଜି ଟସ୍‌ ବି ପଡ଼ି ପାରିଲା ନାହିଁ । ପିଚ୍‌କୁ ଘୋଡ଼ାଇ ରଖା ଯାଇଛି । ବର୍ଷା ଛାଡ଼ିଲେ ଆଉଟ୍‌ ଫିଲଡରୁ ପାଣି ଶୁଖାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ପାଞ୍ଚ ମ୍ୟାଚ୍‌ର ସିରିଜ୍‌ରେ ପ୍ରଥମ ଟେଷ୍ଟ ଜିତି ଘରୋଇ ଇଂଲଣ୍ଡ ଦଳ ଆଗୁଆ ଅଛି । ତେଣୁ ଏଠାରେ ବିରାଟ ବାହିନୀ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛି । ମେଘ ଯେଭଳି ଘୋଡ଼ାଇ ରଖିଛି ସେଥିରେ ଦ୍ୱିତୀୟ ଦିନର ଖେଳ ସମ୍ଭବ ହେବ କି ନାହିଁ ତାହା କହିବା ମୁସ୍କିଲ । ଆଜି ମାତ୍ର ୧୦୮ ଜଣ ଦର୍ଶକ ଖେଳ ଦେଖିବାକୁ ଆସିଥିଲେ । ଯାହା ଲର୍ଡ଼ସ ଗ୍ରାଉଣ୍ଡରେ ଦ୍ୱିତୀୟ ସର୍ବନିମ୍ନ ଉପସ୍ଥାନ । କାଲି ଯଦି ଖେଳ ହୁଏ ତେବେ ଭାରତର ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ରେକର୍ଡ଼ ବ୍ରେକର ସଚିନ୍‌ ତେନ୍ଦୁଲକରଙ୍କୁ ଲର୍ଡ଼ସରେ ଏକ ସମ୍ମାନ ମିଳିବ । ଏଠାରେ ତାଙ୍କୁ ଘଣ୍ଟା ବଜାଇବାର ସୁଯୋଗ ଦିଆଯିବ । ପୂର୍ବରୁ ଅନ୍ୟ ଭାରତୀୟ ଖେଳାଳି ଭାବେ ଏହି ସମ୍ମାନ ଲାଭ କରିଛନ୍ତି ସୁନୀଲ ଗାଭାସ୍କର, ମନସୁର ଅଲୀ ଖାନ୍‌ ପଟୌଦି, ଦିଲୀପ ଭେଙ୍ଗସର୍କାର, କପିଳ ଦେବ ଓ ସୌରଭ ଗାଙ୍ଗୁଲି ପ୍ରମୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.