Below header

ଚନ୍ଦନେଶ୍ଵର ଚଡକ ମେଳାରେ ପୋଲିସର ଲାଠି ଚାଳନା ଘଟଣାକୁ ୧୧ବର୍ଷ: ପଙ୍ଗୁ ହୋଇ ଯାଇଥିବା ପରେଶଙ୍କୁ ଏଯାଏ ମିଳିନି ସହାୟତା

ଦୀର୍ଘ ଏଗାର ବର୍ଷ ଧରି ସରକାରୀ ସହାୟତାକୁ ଅପେକ୍ଷା କରି ହ୍ଵିଲ ଚେୟାରରେ ବସି ଲୁହ ଗଡାଉଛନ୍ତି ଅସହାୟ ପରେଶ ଜେନା। ଦୁଃଖ ଶୁଣିବାକୁ ପ୍ରଶାସନକୁ କରିଛନ୍ତି ଆକୁଳ ନିବେଦନ।

ଜଳେଶ୍ଵର(କେନ୍ୟୁଜ): ଓଡିଶାର ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ମେଳାରେ ପୋଲିସର ଲାଠି ଚାଳନା ଘଟଣାକୁ ୧୧ବର୍ଷ ପୂରିଯାଇଛି। ହେଲେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି ପୋଲିସର ଲାଠି ଚାଳନାରେ ପଙ୍ଗୁ ହୋଇ ଯାଇଥିବା ପରେଶ ଜେନାଙ୍କ ପରିବାର । ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ଵର ଚଡକ ପର୍ବରେ ୨୦୧୨ ମସିହା ଏପ୍ରିଲ ୧୨ ତାରିଖରେ ପୋଲିସ ପକ୍ଷରୁ ହୋଇଥିବା ଲାଠି ଚାଳନା। ସେଦିନର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପଙ୍ଗୁ ହୋଇ ଯାଇଥିବା ଭୋଗରାଇ ବ୍ଲକ ମନ୍ଦାରସାହି ଗ୍ରାମର ପରେଶ ଜେନାଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି।

ଚଲାବୁଲା କରି ପାରୁନଥିବାରୁ ରୋଜଗାର କରି ପରିବାର ଚଳାଇବା ତ ଦୂରର କଥା ନିଜ ପାଇଁ ଔଷଧ ଖର୍ଚ୍ଚ ଯୋଗାଡ କରିବାକୁ ସେ ଅସମର୍ଥ। ତେବେ ସେଦିନର ଦୁର୍ଘଟଣା ପରେ ସରକାରୀ ସ୍ତରରେ ସମସ୍ତ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶୃତି ଏବେ ତାଙ୍କ ପାଇଁ ପ୍ରତାରଣା ପାଲଟିଛି। ଯାହା କିଛି ସମ୍ବଳ ଥିଲା ପରିବାର ଲୋକେ ସେସବୁ ବିକ୍ରି କରି ପରେଶଙ୍କ ଚିକିତ୍ସାରେ ଶେଷ କରି ଦେଇଥିବାରୁ ଏବେ ଦିଓଳି ଦିମୁଠା ପେଟକୁ ଦାନା ଯୋଗାଡ କରିବାକୁ ବି ଏମାନଙ୍କୁ ସଙ୍ଘର୍ଷ କରିବାକୁ ପଡୁଛି।

ପରେଶ ଜେନାଙ୍କ ପରିବାର କହିଲେ ସ୍ତ୍ରୀ ଆରତୀ, ତିନି ଝିଅ ଏବଂ ଜଣେ ପୁଅ। ନିଜର ଅଳ୍ପ କିଛି ଜମିବାଡି ଥିବାରୁ ଚାଷ କରି ପରେଶ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ତାଙ୍କର ଏହି ହସଖୁସି ର ପରିବାର ଉପରେ ହଠାତ ଘୋଟି ଆସିଲା ଦୁଃଖର କଳା ବାଦଲ। ୨୦୧୨ ମସିହା ଏପ୍ରିଲ ୧୨ ତାରିଖରେ ଚନ୍ଦନେଶ୍ଵର ମନ୍ଦିର ର ଚଡକ ପର୍ବ ର ଉଦଯାପନୀ ଦିବସରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରା ଯାଇଥିଲା। ତେବେ ସନ୍ଧ୍ୟା ସମୟରେ ହଠାତ ଶ୍ରଦ୍ଧାଳୁଙ୍କ ଭିଡ ବଢିବା ଯୋଗୁଁ ପରିସ୍ଥିତି ଅଣାୟତ ହୋଇପଡିଥିଲା। ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହେଲା ଲାଠି ଚାଳନା। ଅନେକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହେଲେ , ଏହାରି ଭିତରେ ପରେଶ ଜେନା ପୋଲିସର ଲାଠି ଚାଳନାରେ ଗୁରୁତର ହୋଇଯାଇଥିଲେ। ଭିଡ ଭିତରେ ସେ ତଳେ ପଡି ଯାଇଥିବାରୁ ଶ୍ରଦ୍ଧାଳୁ ମାନେ ତାଙ୍କ ଉପରେ ଚଢି ଯାଇଥିଲେ। ଦଳା ଚକଟାରେ ଗୋଡ ଦୁଇଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବା ବେଳେ ମେରୁଦଣ୍ତ ହାଡ ଭାଙ୍ଗି ଯାଇଥିଲା।

ପରିବାର ଲୋକେ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ପରେ କଟକ ବଡ଼ ମେଡିକାଲରେ ୪ ମାସ ଧରି ଚିକିତ୍ସା କରାଇଥିଲେ। ଅସ୍ତ୍ର ଉପଚାର ପରେ ପରେଶଙ୍କ ଜୀବନ ବଞ୍ଚିଗଲା ସତ ହେଲେ ସେ ସମ୍ପୂର୍ଣ୍ଣ ପଙ୍ଗୁ ପାଲଟି ଯାଇଗଲେ। ତଦନ୍ତରେ ଆସିଥିବା ତତ୍କାଳୀନ ଆରଡିସି,ଜିଲ୍ଲାପାଳ,ଏସପି ,ବିଡିଓ,ତହସିଲଦାର ସମେତ ବର୍ତ୍ତମାନର ବିଧାୟକ, ତାଙ୍କ ଘରକୁ ଯାଇ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସାଙ୍ଗକୁ ପରେଶ ଙ୍କ ସ୍ତ୍ରୀ ଙ୍କୁ ପୋଲିସ ବିଭାଗରେ ହୋମ ଗାର୍ଡ ଚାକିରି, ପରିବାରକୁ ମାସକୁ ପଚାଶ କିଲୋ ଚାଉଳ, ତିନି ଝିଅ ର ବିବାହ ଓ ପୁଅର ପାଠ ପଢା ପାଇଁ ସହାୟତା ସହିତ ଆବାସ ଯୋଜନା ରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ଇତି ମଧ୍ୟରେ ଦୁର୍ଘଟଣା କୁ ୧୧ ବର୍ଷ ବିତି ଯାଇଥିଲେ ବି ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଦୀର୍ଘ ୧୧ ବର୍ଷ ଧରି ପ୍ରଶାସନର ଅବହେଳାର ଶିକାର ହୋଇଛନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ପରେଶ ।

ବାପାଙ୍କ ଏପରି ଅବସ୍ଥାରେ ପାଠ ନ ପଢି ପରିବାର ପୋଷିବା ପାଇଁ ନାବାଳକ ପୁଅଟି ବାପାଙ୍କୁ ତିନି ଚକିଆ ସାଇକେଲରେ ବସାଇ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରୁଛନ୍ତି। ତିନି ଝିଅ ମଧ୍ୟରୁ ମାଗି ଯାଚି ଦୁଇ ଝିଅର ବାହାଘର କରିଥିବା ବେଳେ ଏବେବି ଆଉ ଜଣେ ବଢିଲା ଝିଅ ଘରେ ରହିଛି। ସ୍ତ୍ରୀ ଆରତୀ ପର ଘରେ ମୂଲଲାଗି ଯାହା କିଛି ଆଣନ୍ତି। .ସେଥିରେ କଷ୍ଟେମଷ୍ଟେ ପେଟକୁ ଦିମୁଠା ଦାନା ମିଳି ଯାଉଛି। ଏପଟେ ସରକାରଙ୍କ ପକ୍ଷରୁ କେବଳ ଭିନ୍ନକ୍ଷମ ଭତ୍ତା ଏବଂ ରାସନ କାର୍ଡ ରେ ୨୦ କିଲୋ ଚାଉଳ ଯୋଗାଇ ଦିଆଯାଉଛି। ତେଣୁ ତୁରନ୍ତ ଏହି ଅସହାୟ ପରିବାରକୁ ଅନ୍ତଦୋୟ ଯୋଜନାରେ ସାମିଲ କରିବା ସହିତ ପୁଅର ପାଠ ପଢା ଖର୍ଚ୍ଚ ସମେତ ଝିଅର ବାହାଘର ଖର୍ଚ୍ଚ ବହନ କରିବା,ଏକ ବ୍ୟାଟେରି ଚାଳିତ ତିନି ଚକିଆ ଗାଡ଼ି ଏବଂ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ପରିବାର ଏବଂ ଗ୍ରାମବାସୀ ଦାବି କରିଛନ୍ତି।

ଦୀର୍ଘ ଏଗାର ବର୍ଷ ଧରି ସରକାରୀ ସହାୟତାକୁ ଅପେକ୍ଷା କରି ହ୍ଵିଲ ଚେୟାରରେ ବସି ଲୁହ ଗଡାଉଥିବା ଅସହାୟ ପରେଶ ଜେନାଙ୍କ ଦୁଃଖ ଶୁଣିବାକୁ ପ୍ରଶାସନକୁ ଆଉ କେତେ ଦିନ ଲାଗୁଛି ତାହା ଦେଖିବାକୁ ବାକି ରହିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.