ଦାମ୍ପତ୍ୟ କଳହର ଉଗ୍ର ପରିଣତି: ସ୍ତ୍ରୀକୁ ତୀର ମାରିଲା ସ୍ୱାମୀ, ମହିଳା ଗୁରୁତର

ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ୍‌ ଗାଁରେ ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର । ମହିଳାଙ୍କ ପେଟରେ ପଶିଯାଇଛି ତୀର । ଅଭିଯୁକ୍ତ ସ୍ୱାମୀ ଏବେ ଫେରାର

ମାଲକାନଗିରି (କେନ୍ୟୁଜ): ସ୍ତ୍ରୀକୁ ତୀର ମାରିଲା ସ୍ୱାମୀ । ତୀର ମାଡ଼ରେ ମହିଳା ଗୁରୁତର । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ୍‌ ଗାଁରେ ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର । ମହିଳାଙ୍କ ପେଟରେ ପଶିଯାଇଛି ତୀର । ଅଭିଯୁକ୍ତ ସ୍ୱାମୀ ଏବେ ଫେରାର ଅଛି । ଗୁରୁତର ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ବୟସ ୫୬ ବର୍ଷ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଛନ୍ତି ପରିବାର ଲୋକ । ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ ଗ୍ରାମର କୁରସାମି କାନି ନାମକ ମହିଳାଙ୍କ ସ୍ୱାମୀ, କୁରସାମି ଗଙ୍ଗା ଧନୁ ତୀରରେ ସ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି । ଗାଁର କିଛି ଲୋକେ ମହିଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସୂଚନା ଅନୁଯାୟୀ ଗତକାଲି ଘରେ ଉଭୟ କୁରସାମି ଗଙ୍ଗା ଓ ତାଙ୍କ ପତ୍ନୀ ଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୁରସାମି ଗଙ୍ଗା ଘରେ ଥିବା ଧନୁ ତୀର ପତ୍ନୀଙ୍କୁ ଲକ୍ଷ୍ୟ କରି ମାରିଥିଲେ। ଫଳର ତୀରଟି କୁରସାମି କାନିଙ୍କ ବାମ ପାର୍ଶ୍ୱ ଛାତି ତଳେ ବାଜିଛି।

ତୀର ମାଡ଼ ଯୋଗୁ ପ୍ରବଳ ରକ୍ତସ୍ରାବ ହେବାରୁ କୁରସାମି କାନି ତଳେ ପଡ଼ି ଛଟପଟ ହୋଇଥିଲେ। ଏହା ଦେଖି ତାଙ୍କ ସ୍ୱାମୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। କୁରସାମି କାନିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ମୋଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କୁରସାମିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଆଜି ତାଙ୍କ ଅପରେସନ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।