ବାବାଙ୍କ ଦୁଆରୁ କେବେ କେହି ଖାଲି ହାତରେ ଫେରିନି, ବାବା ମୁକ୍ତେଶ୍ୱରଙ୍କ ମହିମା ଏମିତି

ଭକ୍ତ ଯେତେବେଳେ ବି ଅସୁବିଧାରେ ପଡ଼ି ତାଙ୍କୁ ଡାକେ ସବୁବେଳେ ହଁ କହନ୍ତି ସେ। ଏମିତି ଭକ୍ତ ମନ ବୁଝୁଥିବା ଠାକୁର ସିଏ। କେହି କେବେ ବି ତାଙ୍କ ଦୁଆରୁ ଖାଲି ହାତରେ ଫେରେନି। ଭକ୍ତକୁ ଦୁଃଖ ସାଗରରୁ ମୁକ୍ତି ଦେଉଥିବାରୁ ତାଙ୍କ ନାଁ ମୁକ୍ତେଶ୍ଵର। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ମନ୍ଦାରୀ ଗ୍ରାମରେ ବାବା ମୁକ୍ତେଶ୍ୱରଙ୍କ ମନ୍ଦିର ରହିଛି। ଏଠାରେ କାହିଁ କେଉଁ କାଳରୁ ବାବା ପୂଜା ପାଉଛନ୍ତି। ମୁକ୍ତେଶ୍ଵର ପୀଠକୁ ଆସୁଥିବା ସବୁ ଭକ୍ତଙ୍କ ମନୋବାଞ୍ଛା ପୂରଣ ହୁଏ ବୋଲି କୁହନ୍ତି ପୁରୁଖା ଲୋକେ।

ନିକଟରେ ବାବା ମୁକ୍ତେଶ୍ୱର ମନ୍ଦିରର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବାବା ଭକ୍ତଙ୍କୁ ସାଂସାରିକ ମୋହ ମାୟାରୁ ମୁକ୍ତି ପ୍ରଦାନ କରୁଥିବାରୁ ଏ ଅବସରରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା। କିଏ ମହାଦେବଙ୍କୁ ଦର୍ଶନ କରି ଭକ୍ତିରେ ଭିଜି ଯାଉଥିଲା ତ ଆଉ କିଏ ନିଜ ପ୍ରିୟ ପ୍ରଭୁଙ୍କୁ ପାଖରେ ପାଇ ହଜି ଯାଉଥିଲା। କିଛି ଏମିତି ଥିଲା ମନ୍ଦିରର ଦୃଶ୍ୟ। ସନ୍ଧ୍ୟାରେ ଭକ୍ତଙ୍କ ମନୋରଂଜନ ପାଇଁ କମିଟି ପକ୍ଷରୁ କଳାକାରମାନଙ୍କୁ ନେଇ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ମୁକ୍ତେଶ୍ଵର ପୀଠରେ ପ୍ରତି ସୋମବାର ଭକ୍ତଙ୍କ ପ୍ରବଳ ଗହଳି ହୁଏ। ଖାସ୍ କରି ଶିବରାତ୍ରି, ବଡ଼ ଓଷା ଓ ପୂଜାପର୍ବାଣୀ ଦିନରେ ଏଠାରେ ସୋରିଷ ପକାଇବାକୁ ବି ଜାଗା ନ ଥାଏ। ବାବାଙ୍କ ମହିମା ଯିଏ ଥରେ ଅନୁଭବ କରିଛି, ସେ ସବୁବେଳେ ମୁକ୍ତେଶ୍ଵରଙ୍କ ପୀଠକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.