Below header

୧ ଟନ କାଗଜ ତିଆରି ପାଇଁ ବଳି ପଡ଼ୁଛି ୧୭ ଗଛ, ଗଛ ଲଗାନ୍ତୁ ନହେଲେ ମିଳିବନି କାଗଜ

କେନ୍ୟୁଜ୍‌(ବ୍ୟୁରୋ): କାଗଜ ପରିଚିତ ନାଁ ଟିଏ । ଛୋଟ କୁନି ପିଲାଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଚିହ୍ନନ୍ତି । ସ୍କୁଲ, କଲେଜ, ଘରଠୁ ଆରମ୍ଭ କରି ସରକାରୀ ଦପ୍ତର ପ୍ରାୟ ସବୁଠି କାଗଜର ଉପସ୍ଥିତି । ଆପଣ ଜାଣନ୍ତି କାଗଜର ସାଙ୍ଗମାନେ ବି ଅଛନ୍ତି ପେନସିଲ, କଲମଠୁ ରଙ୍ଗତୁଳୀ ଏମାନେ ହେଲେ କାଗଜର ସାଙ୍ଗ । ଏମାନଙ୍କୁ ବ୍ୟବହାର କରି ଆମେ କାଗଜ ଉପରେ ଲେଖାଲେଖି କରୁ, ଚିତ୍ରକରୁ ଆହୁରି କେତେକଣ । କେବଳଯେ ଲେଖାଲେଖି ଓ ଚିତ୍ରକରୁ ତାହା ନୁହେଁ କାଗଜରେ ଟୋପି, ଡଙ୍ଗା, ରକେଟ, କ୍ୟାମେରା, କଣ୍ଢେଇ ସବୁ ତିଆରି କରୁ । ବେଳେବେଳେ ସାର୍ଟ, ପ୍ୟାଣ୍ଟବି ତିଆରି କରୁ । ଏବେତ କାଗଜର ଥାଳି, କପ, ପ୍ଲେଟ ଆସି ଗଲାଣି । ଆପଣ ଜାଣନ୍ତି ଏ କାଗଜ ସବୁ କେଉଁଥିରୁ ତିଆରି ହୁଏ ? କିପରି ତିଆରି କରାଯାଏ କାଗଜକୁ ? କେତେ ପ୍ରକାରର କାଗଜ ରହିଛି ? ଜାଣିବା ପାଇଁ ଆମର ଏହି ଲେଖାଟିକୁ ପଢନ୍ତୁ ।

କାଗଜ ତିଆରି ପାଇଁ ସେଲୁଲୋଜର ବ୍ୟବହାର ହୋଇଥାଏ । ସେଲୁଲୋଜ ଏକ ଅଠାଳିଆ ପଦାର୍ଥ ହୋଇଥାଏ । ଏହା ମୁଖ୍ୟତଃ ହାଲୁକା କାଠ ଓ ଘାଷରୁ ମିଳିଥାଏ । ସେଲୁଲୋଜର ରସକୁ ମେସିନ ସାହାଯ୍ୟରେ ପତଳା ଚାଦରରେ ପରିଣତ କରାଯାଏ । ଯେତେଭଲ ସେଲୁଲୋଜ ମିଳିବ ସେତେଭଲ କାଗଜ ତିଆରି ହୋଇ ପାରିବ ।

କାଗଜ ତିଆରି ପାଇଁ ଅଧିକ ରସଥିବା ଗଛକୁ ବଛା ଯାଇଥାଏ । ଏହାକୁ ଗୋଲ ଆକାରରେ କଟାଯାଇ ଏହାର ଛାଲିକୁ ଅଲଗା କରିଦିଆଯାଏ । ଏହାପରେ ଦୁଇଟି ପ୍ରକ୍ରିୟାରେ କାଠର ମଣ୍ଡ ତିଆରି କରାଯାଏ । ଗୋଟିଏ ମେକାନିକାଲ ପ୍ରକ୍ରିୟାରେ ହେଉଥିବା ବେଳେ ଆଉ ଗୋଟିଏ କେମିକାଲର ବ୍ୟବହାର କରି କାଠମଣ୍ଡ ତିଆରି କରାଯାଏ । ମେକାନିକାଲ ପ୍ରକ୍ରିଆରେ ତିଆରି ହେଉଥିବା କାଗଜର ମାନ ଟିକେ ନିମ୍ନ ରହିଥାଏ । ଏହାକୁ ସାଧାରଣ ଭାବେ ଖବରକାଗଜ ଛପାରେ ବ୍ୟବହାର କରାଯାଏ । କେମିକାଲରୁ ତିଆରି ହେଉଥିବା କାଗଜର ମାନ ଭଲ ରହିଥାଏ ।

ଏହାପରେ ଏଥିରେ ଟାଇଟାନିୟମ ଅକସାଇଡ ମିଶା ଯାଇଥାଏ । ଏହାପରେ କାଗଜର ମଣ୍ଡକୁ ବିଶାଳ ଅଟୋମେଟିକ ମେସିନ ସାହାଯ୍ୟରେ କାଗଜରେ ପରିଣତ କରାଯାଇଥାଏ । ଯାହାକୁ ଆବଶ୍ୟକତା ଅନୁସାରେ ଛୋଟ ଛୋଟ ଖଣ୍ଡରେ କାଟି ଖବରକାଗଜ, ମାଗାଜିନ ଓ ନୋଟବୁକ ତିଆରିରେ ବ୍ୟବହାର କରାଯାଇଥାଏ ।

ଏବେ ଜାଣିବା କାଗଜ ତିଆରି ପାଇଁ କେଉଁ କାଠସବୁ କାଠର ବ୍ୟବହାର କରାଯାଏ । କାଗଜ ତିଆରି ପାଇଁ ପାଇନ, ସନୋବର, ହେମଲୋକ ଭଳି ହାଲୁକା ଗଛର ବ୍ୟବହାର ହୋଇଥାଏ । ୧ ଟନ କାଗଜ ତିଆରି ପାଇଁ ୧୨ରୁ ୧୭ଟି ଗଛ କାଟିବାକୁ ପଡ଼ିଥାଏ । ୧ ଟନ ମାଗାଜିନ ପେପର ତିଆରି ପାଇଁ ୧୭ଟି ଗଛ କଟାଯାଉଥିବା ବେଳେ ନ୍ୟୁଜପେପର କାଗଜ ପାଇଁ ୧୨ଟି ଗଛ କଟା ଯାଇଥାଏ । ତେଣୁ ଆମକୁ କାଗଜକୁ ଜଗିରଖି ବ୍ୟବହାର କରିବା ଉଚିତ୍‌ । ଆମକୁ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ । ତାପରେ ଯାଇ ସବୁଦିନ ଆମେ କାଗଜ ପାଇ ପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.