୧୭୦୦ ବର୍ଷ ପୂର୍ବରୁ ସମୁଦ୍ରରେ ବୁଡ଼ିଥିବା ଜାହାଜ ସହ ଏହିସବୁ ଅମୂଲ୍ୟ ଜିନିଷ ଉଦ୍ଧାର

ସମୁଦ୍ରଗର୍ଭରୁ ବେଳେବେଳେ ଏମିତି ଜିନିଷ ମିଳେ ଯାହା ବେଶ୍‌ ରୋଚକପୂର୍ଣ୍ଣ ହୋଇଥାଏ। ସ୍ପେନ୍‌ର ବେଲେରିକ ଆଇଲ୍ୟାଣ୍ଡର ମେଜୋରକା କୂଳରେ ଏବେ ସେଭଳି କିଛି ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଏହି କୂଳରୁ ୧୭୦୦ ବର୍ଷ ତଳୁ ସମୁଦ୍ରରେ ବୁଡ଼ିଥିବା ଏକ ଜାହାଜ ମିଳିଛି। ଏଥିସହ ଜାହାଜରେ ରୋମାନ ଯୁଗର ୧୦୦ରୁ ଅଧିକ ଜାର୍‌ ମଧ୍ୟ ଉଦ୍ଧାର କରାଯାଇଛି।

ଗତ ଜୁଲାଇ ମାସରେ ଫେଲିକ୍ସ ଅଲାରକୋନ୍‌ ଏବଂ ତାଙ୍କ ପତ୍ନୀ ଏହି ଜାହାଜର ସନ୍ଧାନ କରିଥିଲେ। ଜାହାଜର ଲମ୍ବା ୩୩ ଫୁଟ ହୋଇଥିବା ବେଳେ ଚଉଡ଼ା ୧୬ ଫୁଟ ରହିଛି। ତେବେ ଜାହାଜରୁ ମିଳିଥିବା ଜାର୍‌କୁ ଅଲିଭ୍‌ ଅଏଲ୍‌, ମାଛ ଚଟଣୀ ଏବଂ ମଦ ରଖିବା ପାଇଁ ବ୍ୟବହାର କରାଯାଉଥିବା ଅନୁମାନ କରାଯାଉଛି।

ରିପୋର୍ଟ ମୁତାବକ ସମୁଦ୍ରରେ ହଜାରେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିରହିବାରୁ ଜାର୍‌ରେ ସମୁଦ୍ର ପାଣି ଏବଂ ଲୁଣର ଆସ୍ତରଣ ଜମି ରହିଛି। ଫଳରେ ଦୁଇଟି ଜାର୍‌ର ହ୍ୟାଣ୍ଡେଲ ଜାମ୍‌ ହୋଇଯାଇଛି। ଏବେ ପର୍ଯ୍ୟନ୍ତ ଏହାକୁ ଖୋଲା ଯାଇନଥିବା ସୂଚନା ମିଳିଛି।

ଏହାସହ ପଢ଼ନ୍ତୁ: ରହସ୍ୟମୟ ଏହି ଗରମ ପାଣି ଝରଣା, ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଶରୀରର ଅନେକ ରୋଗ

ବିଶେଷଜ୍ଞଙ୍କ କହିବାନୁସାରେ, ଏହି ଜାର୍‌କୁ ଚାରିମାସ ପର୍ଯ୍ୟନ୍ତ ସାଧା ପାଣିରେ ବୁଡ଼ାଇ ରଖାଯିବ। ଫଳରେ ଜାର୍‌ ଉପରେ ଜମା ହୋଇଥିବା ଲୁଣ ଅଂଶ ଛାଡ଼ିଯିବ। ତରତର ହେଲେ କାଳେ ଜାର୍‌ ଭାଙ୍ଗିଯିବ ଆଶଙ୍କା କରି ଏଭଳି ଅଧିକ ସମୟ ନିଆଯାଉଥିବା ଜଣାଯାଇଛି।

ତେବେ ଜାର୍‌ ଉପରେ ଲେଖାଯାଇଥିବା ଅକ୍ଷରକୁ ଏବେ ପର୍ଯ୍ୟନ୍ତ ପଢ଼ାଯାଇପାରିନାହିଁ। ଜାର୍‌ଗୁଡ଼ିକୁ ଉଦ୍ଧାର କରିବା ପରେ ମେକଲୋର୍କା ସଂଗ୍ରହାଳୟକୁ ପଠାଇ ଦିଆଯାଇଛି। ସେଠାରେ ଗବେଷକମାନେ ଏହା ଉପରେ ପରୀକ୍ଷଣ କରି ପୂର୍ବରୁ ଲୋକମାନେ ଜିନିଷପତ୍ରକୁ କିପରି ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖୁଥିଲେ ସେ ବିଷୟରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.