କେନ୍ଦ୍ରାପଡ଼ା (କେନ୍ୟୁଜ୍) : ସୁଖକୁ ହୁଏତ ଭୁଲି ହୋଇଯିବ କିନ୍ତୁ ଦୁଃଖ ଯନ୍ତ୍ରଣାକୁ ମଣିଷ ଭୁଲିବା ସହଜ ନୁହେଁ । ସେଭଳି ଘଟଣା ମନ ଭିତରେ ରହିଯାଏ କାଳ କାଳକୁ । କଥାରେ ଅଛି ପରା ’ଦିନ ଯାଏ ଚିହ୍ନ ରହେ’ । ଠିକ୍ ସେମିତି ଆଜି ବି ଅନେକ ଲୋକଙ୍କ ମନରେ ତାଜା ରହିଛି ୧୯୯୯ ମହାବାତ୍ୟାର ସ୍ମୃତି । ସେଦିନର ସେହି ଲୋମଟାଙ୍କୁରା ଘଟଣାକୁ ଯିଏ ଅଙ୍ଗେ ନିଭେଇଛି କେମିତି ବା ଭୁଲିଯିବ ? ପ୍ରଳୟ ଆଣିଥିବା ପବନ ଆଉ ବନ୍ୟାକୁ । ମହାବାତ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ ୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ଗୃହ ପାଳିତ ପଶୁ ଭାସିଗଲେ। କଚ୍ଚାଘର ମାଟିରେ ମିଶିଗଲା। ଏଇ ବାତ୍ୟା ଦେଇଗଲା ଅନେକ ଦୁଃଖ ଆଉ ଦୁର୍ଦ୍ଦଶା । ହେଲେ ସେହି ବିପର୍ଯ୍ୟୟ ହିଁ ଦେଖାଇ ଦେଇଗଲା ପ୍ରାକୃତିକ ବିପଦ ସହ ଲଢ଼ିବାର ବାଟ । ମନକୁ ଦେଇଗଲା ଏସବୁକୁ ସାମନା କରିବାର ସାହସ । ଆଜି ଦିନରେ ବାତ୍ୟା ମୁକାବିଲା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଯାହାଫଳରେ ସଜାଡି ହୋଇଛି ବହୁତ କିଛି। ତିଆରି ହୋଇଛି ଶତାଧିକ ବାତ୍ୟା ଆଶ୍ରୟସ୍ଥଳୀ । ପୁଣି ଚବିଶି ଘଣ୍ଟା ତୟାର ରହୁଛନ୍ତି ଅଗ୍ନିଶମ ବାହିନୀ । ଦୁଇ ଶହରୁ ଅଧିକ ସିଭିଲ ଡିଫେନସ ଯୁବକ ତାଲିମ ନେଇଛନ୍ତି ଏଭଳି ସ୍ଥିତିର ମୁକାବିଲା ପାଇଁ ।
୧୯୯୯ ମସିହା ମହାବାତ୍ୟା । ଦିନ ଥିଲା ଅକ୍ଟୋବର ୨୯ । ଗୋଟିଏ ଦିନରେ ଥିଲା ଚାରିଟି ୯ର ସମାହାରରେ ଘଟିଥିଲା ପ୍ରଳୟ । ଆଉ ଇତିହାସରେ ଲେଖି ହୋଇଗଲା ମହାବାତ୍ୟାର ଦିନ ଭାବରେ । ସେଦିନ ପ୍ରକୃତିର ତାଣ୍ଡବ ଯିଏ ଦେଖିଛି, ତାର ମନରୁ କେବେ ବି ପାସୋରି ଯିବନି। ବାତ୍ୟା ଆସିବ, ଅନେକ ପରିବାରକୁ ହଜାଇ ଦେବ, ଆଉ କାହା ପାଇଁ ସ୍ମୃତି ହୋଇଯିବ, ଏକଥା କେହି କେବେ ସ୍ୱପ୍ନରେ ବି ଭାବି ନଥିଲେ। ୧୯୯୯ ମହାବାତ୍ୟାରେ ଉପକୂଳବର୍ତ୍ତୀ ଜିଲ୍ଲାଗିଡ଼ିକ ସର୍ବାଧିକ କ୍ଷତି ସହିଥିଲେ। ୨୫୦ କିଲୋମିଟରରୁ ଅଧିକ ବେଗରେ ପବନ ସହ ମୂଷଳ ଧାରାର ବର୍ଷାକୁ ସହ୍ୟ କରିଛନ୍ତି ଲୋକେ। ହଜାର ହଜାର ଘର ଭୁଶୁଡ଼ି ଗଲା। ଚାଷ ଉଜୁଡ଼ି ଗଲା। ଜଗତସିହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ମୃତ ଶରୀର ସବୁ ମାଳ ମାଳ ହୋଇ ଭାସୁଥିଲା ଅବା ପଡ଼ି ରହିଥିଲା। ଏକ ଲକ୍ଷରୁ ଅଧିକ ଗୃହ ପାଳିତ ପଶୁ ପ୍ରାଣ ହରାଇଲେ। କେବଳ କେନ୍ଦ୍ରାପଡା ଜିଲ୍ଲାରେ ୬୫ଜଣଙ୍କର ମୃତ୍ୟୁ ହୋଇଥିବା ହିସାବ ମିଳିଥିଲା।
ଯେଉଁମାନେ ପାରାଦୀପ କାମ କରିବାକୁ ଯାଇଥିଲେ, ନା ଟଙ୍କା ନା ମୃତ୍ୟୁ କାହାରି କିଛି ତାଲିକା ମିଳିଲାନି। ମହାକାଳପଡା ବ୍ଲକ ତେନ୍ତୁଳିକନ୍ଦା ଗାଁରେ ସର୍ବାଧିକ ୨୩ଜଣ ପ୍ରାଣ ହରାଇଥିଲେ। ପାନିଖିଆରେ ୭ଜଣଙ୍କ ଜୀବନ ନେଇଥିଲା ଏହି ମହାବାତ୍ୟା । ଆଜିବି ଗାଁଲୋକେ ୨୩ ବର୍ଷ ତଳର ସେହି ସ୍ମୃତିକୁ ଭୁଲି ପାରୁ ନାହାନ୍ତି। କେତେ କେତେ ପରିବାର ବିଚ୍ଛିନ୍ନ ହୋଇ ଯାଇଛନ୍ତି। ଯେବେବି ଅକ୍ଟୋବର ୨୯ ଆସେ କେନ୍ଦ୍ରାପଡାବାସୀଙ୍କ ଆଖିକୁ ଲୁହ ଆସିଯାଏ। ମନ ଅଶାନ୍ତ ହୋଇପଡ଼େ । ସେହି ମହାବାତ୍ୟାର ଭୟ ମନକୁ ଘାରେ । କାଳେ ପୁଣି ଥରେ ଆସିବ କି ପ୍ରଳୟ ?
ଏବେ ୨୩ ବର୍ଷ ପରେ କଣ ହୋଇଛି
୧୯୯୯ ମସିହାରୁ ୨୦୨୨, ଏହା ଭିତରେ ମହାବାତ୍ୟାକୁ ଦୀର୍ଘ ୨୩ ବର୍ଷ ପୂରି ଗଲାଣି । ଦୁଇ ଦଶନ୍ଧିରୁ ଅଧିକ ବ୍ୟବଧାନରେ ଅନେକ ପରିବର୍ତ୍ତନ ହୋଇଛି। ସେ ସମୟରେ ଗାଆଁରେ ବେଶି କୋଠା ଘର ନଥିଲା। ବାତ୍ୟା ଆଶ୍ରୟସ୍ଥଳୀ ନଥିଲା। ଉଦ୍ଧାରକାରୀ ଟିମ୍ ନଥିଲେ। ଆଉ ଏବେ କେନ୍ଦ୍ରାପଡା ଜିଲ୍ଲାରେ ୧୧୭ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି। ୫୦୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ବିପଦ ସମୟରେ କାର୍ଯ୍ୟରେ ଲାଗୁଛି। ୧୦ଟି ଫାୟାର ଟିମ୍ ପ୍ରସ୍ତୁତ ରହୁଛନ୍ତି ଅହରହ। ୨୦୦ ସିଭିଲ ଡିଫେନ୍ସ ଯୁବକ ତାଲିମ ନେଇଛନ୍ତି ଉଦ୍ଧାର କାର୍ଯ୍ୟ କରିବା ପାଇଁ । କେନ୍ଦ୍ରାପଡା ଜିଲ୍ଲାର ୨୪୯ ପଞ୍ଚାୟତରେ ୭ ଦିନ ପାଇଁ ଖାଦ୍ୟ ମହଜୁଦ ରଖା ଯାଉଛି।
ସରକାର ଜିରୋ କାଜୁଆଲ୍ଟି ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ବାତ୍ୟା ଓ ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ସକାଶେ ପ୍ରତି ଗାଁର ଆଗ୍ରହୀ ଯୁବକଙ୍କୁ ଅଗ୍ନିଶମ ବିଭାଗ ଦ୍ଵାରା ତାଲିମ ଦିଆଯାଉଛି। ସେମାନେ ପାଣିରୁ, ରାସ୍ତାରୁ ଓ ଘରୁ ଲୋକଙ୍କୁ ଉଦ୍ଧାର କରି ପାରୁଛନ୍ତି।
ବାତ୍ୟାର ମୁକାବିଲା ପାଇଁ ବେଶ୍ କିଛି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ତୁରନ୍ତ ପଦକ୍ଷେପ ନିଆଯାଉଛି । ବିଶେଷ କରି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାର ଯୋଜନା ସବୁଠାରୁ ଅଧିକ ଫଳପ୍ରଦ ହୋଇଛି । ଏଥିପାଇଁ ଆଜି ଓଡ଼ିଶା ଏବଂ ଏହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠି ପ୍ରଶଂସିତ ହେଉଛନ୍ତି । ତେବେ ତଥାପି କିଛି ସମସ୍ୟା ରହି ଯାଉଛି ତୃଣମୂଳ ସ୍ତରରେ । ଯାହାର ସମାଧାନ ପାଇଁ ଉଭୟ ସରକାର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡ଼ା । ଏଭଳି ବିପଦ କେବଳ ଜଣକ ପାଇଁ ଆସେ ନାହିଁ । ଦୁର୍ଦ୍ଦଶାରେ ପଡ଼ନ୍ତି ସମସ୍ତେ । ତେଣୁ କେବଳ ଏତିକିରେ ରହିଗଲେ ହେବନି । ଅଗକୁ ଆଗକୁ ଆହୁରି ଆଗକୁ ବଢ଼ିବାକୁ ହେବ । ଆହୁରି ସତର୍କ ଓ ସାବଧାନ ହେବାକୁ ପଡ଼ିବ ଏସବୁର ମୁକାବିଲା ପାଇଁ ।