Below header

ଏମିତି କି ପରିସ୍ଥିତି ପଡିଲା ଯେ ନବମ ଶ୍ରେଣୀରେ ପଢ଼ୁଥିବା ଅମିତ ଆଜି ବିକୁଛି ବରା ଘୁଘୁନି, ପଢ଼ନ୍ତୁ ଏହି ପିଲାଟିର ଦୁଃଖଭରା କାହାଣୀ

ଭୁବନେଶ୍ୱର (କେନ୍ୟୁଜ୍) : କୁନି ହାତକୁ ତାର ଫୁରୁସତ ନାହିଁ । ହାଣ୍ଡିରୁ ଇଡଲି, ଆଳୁଦମ୍‌ ଓ ଘୁଘୁନି ସହ ଗରମ ଗରମ ଜଳଖିଆ ବାଢ଼ି ଦେଉଛି ପିଲାଟି । ତାର ନିରୀହ ମୁହଁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ। ଏ ବୟସରେ କାହିଁକି ଏଭଳି କାମ କରୁଛି ? ଭାବିବେ ହୁଏତ ବାପା ଦୋକାନରେ ନାହିଁ ବୋଲି କିଛି ସମୟ ଗରାଖଙ୍କୁ ସମ୍ଭାଳିବାକୁ ଆସିଛି ପିଲାଟି । ହେଲେ ନା ଏ ଭାବନା ସତ ନୁହେଁ । ପିଲାଟି ନିଜ ପରିବାର ଚଳାଇବାକୁ ନିଜ ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଏଇ କାମ କରୁଛି । ଦିନେ ଅବଶ୍ୟ ଏଇ ଦୋକାନରେ ତାର ବାପା ବସି ବିକୁଥିଲେ । ହେଲେ ତା ବାପା ଆଉ ଏ ଦୁନିଆରେ ନାହାନ୍ତି । ତାକୁ ଓ ତାର ମା’ ଏବଂ ଭଉଣୀକୁ ଅଚାନକ ଅସହାୟ କରି ଆରପାରିକୁ ଚାଲିଗଲେ ବାପା । ଏହାପରେ ଚିନ୍ତା ପଡ଼ିଲା କରିବୁ କଣ ? ଖାଇବୁ କଣ? ତେବେ ଦାରିଦ୍ର୍ୟ ସହ ଲଢ଼ିବାର ଶକ୍ତି ତାକୁ ସାହସ ଦେଲା ।

amitଭୁବନେଶ୍ୱର ବାଣୀବିହାର କ୍ୟାମ୍ପସରେ ଥିବା ତାର ବାପାଙ୍କ ଠେଲାଗାଡ଼ିରେ ଇଡଲି ବିକିବା ଆରମ୍ଭ କଲା ଏଇ ନବମ ଶ୍ରେଣୀ ଛାତ୍ର। ନାଁ ତାର ଅମିତ ପୃଷ୍ଟି । ସେଥିଲାଗି ଖେଳ ଛାଡ଼ି ମୁଣ୍ଡାଇଲା ପରିବାରର ବୋଝ । କ୍ରିକେଟ୍‌ ବ୍ୟାଟ୍‌ ଛାଡ଼ି ଧରିଲା ଡଙ୍କି, କରଚୁଲି । ପାଠ ପଢ଼ିବାକୁ ଭାରି ଇଚ୍ଛା। ହେଲେ ଆଗେ ପେଟରେ ଦାନା ପଡ଼ିଲେ ତ କିଛି କରି ହେବ ? ତେଣୁ ଏଇଆ ଭାବି ବାପାଙ୍କ ପରେ ସେ କାନ୍ଧକୁ ନେଇଛି ଘରର ଦାୟିତ୍ୱ । ମଞ୍ଚେଶ୍ୱର ଚକେଇସିଆଣି ହାଡ଼ବାଇ ବସ୍ତିରେ ରୁହେ ଅମିତ । ଘରେ ବଡ଼ ଭଉଣୀ ଓ ମା । ଭଉଣୀ କଲେଜରେ ପଢ଼େ । ଆଉ ଅମିତ ପଢୁଛି ଚକେଇସିଆଣି ସରକାରୀ ସ୍କୁଲରେ । ଘରେ ଆଳୁଦମ ,ଘୁଘୁନି  ଓ  ଇଟିଲି ତିଆରି କରିବା ପରେ ତାକୁ ଅଟୋରେ ବୋଝେଇ କରି ସକାଳୁ ସକାଳୁ ଆସି ଅମିତ ପହଞ୍ଚିଯାଏ ଦୋକାନରେ ।

amitmaaବାପା ଉପେନ୍ଦ୍ର କୁମାର ସାହୁ ଏହି ଇଡିଲି ଘୁଘୁନି ବିକି ପରିବାର ପୋଷୁଥିଲେ । ପୁଅ ଝିଅଙ୍କୁ ପାଠ ପଢାଉଥିଲେ । ହେଲେ ବିଧାତା ସହିଲା ନାହିଁ । ଉପେନ୍ଦ୍ର ରୋଗରେ ପଡି ଦୁଇ ବର୍ଷ ତଳେ ଚାଲି ଗଲେ ଆରପାରିକୁ । ଘରେ ମା ଓ ଭଉଣୀ ଖୁବ୍‌ ଭାଙ୍ଗି ପଡ଼ିଲେ । ସାରା ଦୁନିଆଟା ଅନ୍ଧାର ଲାଗିଲା । ଏମାନଙ୍କ ଅବସ୍ଥା ଦେଖି ନିଜେ ଦମ୍ଭ ଧରିଲା ଅମିତ । ଯଦିଓ ମା ବାହାରିଥିଲେ ଦୋକାନରେ ବସିବାକୁ କିନ୍ତୁ କୁନି ପିଲା ହେଲେ ବି ଅମିତ ବୁଝିପାରିଲା ଦୁଃଖକଷ୍ଟର କଥା । ତେଣୁ ନିଜକୁ ସମ୍ଭାଳି ମା’କୁ ରୋକିଲା । ଆଉ ଆରମ୍ଭ କରିଦେଲା ବାପା ଛାଡ଼ିଥିବା ବ୍ୟବସାୟ । ତାର ଇଡଲି ଘୁଘୁନି  ଓ ଆଳୁଦମ ଭାରି ସୁଆଦିଆ । ତେଣୁ ଲୋକ ବି ଭିଡ଼ ଲଗାନ୍ତି । ଘରୁ କିଛି ନଖାଇ ସକାଳୁ ଚାଲି ଆସେ ଅମିତ । ବେଳେ ବେଳେ ସେହି ଇଡଲି ଦୁଇଟା ପାଟିରେ ପକାଇବାକୁ କାଢ଼ି ଆଣେ ସିନା କିନ୍ତୁ ବେଳ ମିଳେ ନାହିଁ ଖାଇବାକୁ । ପ୍ରାୟ ୧୨ଟା ଗୋଟାଏ ଯାଏ ରହି ବେପାର ସରିଲେ ଘରକୁ ଫେରେ । ଟିକିଏ ବିଶ୍ରାମ ନେଇ ସନ୍ଧ୍ୟାରେ ଟିଉସନ୍‌ ଯାଏ । ଆଉ ପାଠରେ ମନ ଦିଏ ।

amittବାପା ଚାହିଁଥିଲେ ତାଙ୍କର ପୁଅ ଝିଅ ଦୁଇଜଣ ପାଠ ପଢ଼ି ବଡ଼ ମଣିଷ ହେବାକୁ । ସେକଥା ମନେ ରଖିଛି ଅମିତ । ଯେତେ କଷ୍ଟ ଆସୁ ପଛେ କାମ କରିବି ଆଉ ପାଠ ପଢ଼ିବି । ହେଲେ ଭିକ ମାଗିବିନି କି କାହା ଆଗରେ ହାତ ପତାଇବିନି । ଏଇ ଦୃଢ଼ ଦମ୍ଭ ସବୁବେଳେ ରହିଛି ଅମିତ ମନରେ । ତା ବିଷୟରେ ଜାଣିବା ପରେ କିଛି ସହାୟତାର ହାତ ବଢ଼ିଛି । ହେଲେ ତା ପରିବାରର ସ୍ଥାୟୀ ଆର୍ଥିକ ସମାଧାନ ଏବଂ ତାକୁ ବିନା ବାଧା ପ୍ରତିବନ୍ଧକରେ ପାଠ ପଢ଼ିବାର ସୁଯୋଗ ମିଳିବତ ? ଆପଣବି ତାକୁ ତାର ଜୀବନ ସଂଘର୍ଷରେ ସହାୟତା କରି ପାରିବେ ।

ଅମିତକୁ ଯୋଗାଯୋଗ କରିବାର ଫୋନ୍‌ ନମ୍ବର ହେଉଛି- 9937962356 ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.