ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଅମିତ ଶାହ, କହିଲେ, ‘ଦିଦି ୧୨ ମିନିଟ୍‌ ଭାଷଣରେ ୧୦ ମିନିଟ୍‌ ମୋତେ ଓ ମୋଦି ଜୀଙ୍କୁ ଗାଳି ଦେଇଥାଆନ୍ତି’

ଗୋଟିଏ ପଟେ ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଏବଂ ଅନ୍ୟପଟେ ପଶ୍ଚିମବଙ୍ଗରେ ନିର୍ବାଚନୀ ବାତାବରଣ ପୂରା ସରଗରମ ରହିଛି। କିଛିଦିନ ତଳେ ବଙ୍ଗର ପୂରବସ୍ଥଳୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ଏବଂ ଏହି ସମୟରେ ସେ ମମତା ବାନାର୍ଜୀଙ୍କ ଉପରେ ଭୀଷଣ ବର୍ଷିଥିଲେ। ଶାହ କହିଥିଲେ କି, ଏହା ସ୍ପଷ୍ଟ ଯେ ବିଜେପି ୧୨୨ ଆସନ ସହିତ ମମତା ବାନାର୍ଜୀଙ୍କଠାରୁ ଆଗରେ ଅଛି। ଆମେ ‘ବମ୍‌, ବନ୍ଧୁକ ଓ ବାରୁଦ’ର ମଡେଲକୁ ବଦଳାଇ ‘ବିଶ୍ୱାସ, ବିକାଶ ଓ ବ୍ୟାପାର’ କରିବାକୁ ଚାହୁଁଛୁ।

ସେ କହିଥିଲେ, ‘ଅନୁପ୍ରବେଶକାରୀ ବ୍ୟକ୍ତି ବଙ୍ଗ ଲୋକଙ୍କ ହକ୍‌ର ରୋଜଗାରକୁ ଛଡ଼େଇ ନେଉଛନ୍ତି। ବଙ୍ଗ ଲୋକଙ୍କ ହକ୍‌ର ରାଶନ ନେଇ ଯାଉଛନ୍ତି। ବଙ୍ଗ ଭିତରେ ଆଇନ ବ୍ୟବସ୍ଥାକୁ ବିଗାଡ଼ୁଛନ୍ତି। ଅନୁପ୍ରବେଶକାରୀଙ୍କୁ ରୋକିବାର କାମ କେବଳ ବିଜେପି କରିପାରିବ ଏବଂ ଆଉ କେହି ନୁହେଁ’। ସେ ଆହୁରି କହିଥିଲେ ଯେ ‘ଦିଦିଙ୍କ ପାଖରେ ବଙ୍ଗର ବିକାଶ ପାଇଁ କୌଣସି ଏଜେଣ୍ଡା ନାହିଁ। ଦିଦି ବଙ୍ଗରେ ୧୨ ମିନିଟ୍‌ ଭାଷଣ ମଧ୍ୟରୁ ୧୦ ମିନିଟ୍‌ ମୋଦି ଜୀ ଓ ମୋତେ ଗାଳି ଦିଅନ୍ତି ଏବଂ ୨ ମିନିଟ୍‌ ସୁରକ୍ଷା ବଳଙ୍କୁ କଟୁ ଶୁଣାଇଥାଆନ୍ତି’।

କହି ରଖୁଛୁ, ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ୩୦ ମେ’ରେ ସମାପ୍ତ ହେଉଛି। ୧୭ଶ ବିଧାନସଭା ନିର୍ବାଚନ ପାଇଁ ୭,୩୪,୦୭,୮୩୨ ଭୋଟରଙ୍କ ଦ୍ୱାରା ଗତ ୨୭ ମାର୍ଚ୍ଚରୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଜାରି ରହିଛି। ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏବେ ସୁଦ୍ଧା ୫ଟି ପର୍ଯ୍ୟାୟ ଭୋଟିଂ ସରିଛି। ୬ଷ୍ଠ ପର୍ଯ୍ୟାୟରେ ୪୩ ଆସନ ପାଇଁ ୨୨ ଏପ୍ରିଲରେ ମତଦାନ ହେବ। ସେହିପରି ୭ମ ପର୍ଯ୍ୟାୟରେ ୩୬ ଆସନ ପାଇଁ ୨୬ ଏପ୍ରିଲ ଏବଂ ୮ମ ତଥା ଶେଷ ପର୍ଯ୍ୟାୟରେ ୩୫ ଆସନ ପାଇଁ ୨୯ ଏପ୍ରିଲରେ ଭୋଟ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.