Below header

ଡ୍ୟୁଟି ସାରି ବିଳମ୍ବିତ ରାତିରେ ୧୦ କିମି ବାଟ ଦୌଡ଼ିଲେ ଏହି ଯୁବକ; ଭିଡିଓରେ ତାଙ୍କ ଜୋସ୍‌ ଦେଖିଲେ ଯେ କେହି ବି କରିବ ସଲାମ୍‌…

ସୋସିଆଲ ମିଡିଆରେ ରବିବାର ରାତିରୁ ଖୁବ୍‌ ଭାଇରାଲ ହେଉଛି ଏକ ଭିଡିଓ, ଯେଉଁଥିରେ ନଜର ଆସୁଛନ୍ତି ଜଣେ ୧୯ ବର୍ଷୀୟ ଯୁବକ। ଶରୀରରେ ଝାଳ ଲଥପଥ୍‌, ହେଲେ ଚେହେରାରେ ନାହିଁ ଟିକିଏ ବି ଥକ୍କାପଣ। ଶୂନଶାନ ରାତି, ତଥାପି ରାସ୍ତାରେ ଦୌଡ଼ି ଦୌଡ଼ି ଆଗକୁ ମାଡ଼ି ଚାଲିଛନ୍ତି ସେ। ଆଉ ଠିକ୍‌ ସେତିକି ବେଳେ ତାଙ୍କ ସହ ସାମ୍ନାସାମ୍ନି ହୋଇଛନ୍ତି ଫିଲ୍ମ ନିର୍ମାତା ବିନୋଦ କାପଡି। ବିନୋଦ ତାଙ୍କୁ ନିଜ କାର୍‌ରେ ଛାଡ଼ି ଦେବାକୁ ଅନେକ ବାର ଅଫର୍‌ ବି ଦେଇଥିଲେ, ହେଲେ ଯୁବକ ଏଥିରେ ଆଦୌ ରାଜି ହୋଇ ନ ଥିଲେ। ପରେ ଯୁବକଙ୍କ କାର୍ଯ୍ୟ ଫିଲ୍ମ ନିର୍ମାତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ଶେଷରେ ସେହି ରାତିରେ ହିଁ ଯୁବକଙ୍କ ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ବିନୋଦଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରିବାରେ ଲାଗିଛନ୍ତି। ଯୁବକଙ୍କ ଜୋସ୍‌ ଦେଖି ୟୁଜରମାନେ ତାଙ୍କ ମନରେ ଆହୁରି ଉତ୍ସାହ ଭରିଛନ୍ତି। ଏହି ଭାଇରାଲ ଭିଡିଓରେ ଯୁବକ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ବିଳମ୍ବିତ ରାତିରେ ରାସ୍ତାରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ବାସ୍ତବରେ ଫିଲ୍ମ ନିର୍ମାତା କାର୍‌ରେ ସେହି ବାଟ ଦେଇ ଯାଉଥିବା ବେଳେ ହଠାତ୍‌ ତାଙ୍କ ନଜର ପଡ଼ିଥିଲା ଯୁବକଙ୍କ ଉପରେ। ଯୁବକ ଜଣକ କାନ୍ଧରେ ବ୍ୟାଗ ପକାଇ ହସ ହସ ଚେହେରାରେ ରାସ୍ତାରେ ଦୌଡ଼ି ଘରକୁ ଫେରୁଥିଲେ।

ଭିଡିଓରେ ଆପଣ ଦେଖି ପାରିବେ ଯେ ଯୁବକ ଜଣକ ରାତି ପ୍ରାୟ ୧୧ଟାରେ ନିଜ ଘର ଅଭିମୁଖେ ଦୌଡ଼ୁଛନ୍ତି। ବିନୋଦ କାପଡି ତାଙ୍କ ସହ କଥା ହେବା ପରେ ଜଣାପଡ଼ିଥିଲା କି, ଯୁବକଙ୍କ ନାମ ପ୍ରଦୀପ ମେହେରା। ସେ ମ୍ୟାକଡୋନାଲ୍ଡ କମ୍ପାନୀରେ କାମ କରନ୍ତି। ପ୍ରଦୀପ କହିଥିଲେ, ତାଙ୍କୁ ସେନାରେ ଭର୍ତ୍ତି ହେବାର ଅଛି। ନିଜ ଡ୍ୟୁଟି ସାରି ସେ ଦୌଡ଼ ଅଭ୍ୟାସ କରୁଛନ୍ତି। ପ୍ରତିଦିନ ନିଜ ସିଫ୍ଟ ପରେ ସେ ଘରକୁ ଦୌଡ଼ି ଦୌଡ଼ି ଯାଆନ୍ତି। ବିନୋଦଙ୍କ ପ୍ରଶ୍ନରେ ପ୍ରଦୀପ କହିଥିଲେ ଯେ ବର୍ତ୍ତମାନ ସେ ଘରକୁ ଯାଇ ନିଜ ପାଇଁ ଏବଂ ବଡ଼ ଭାଇଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ। ପ୍ରଦୀପଙ୍କ ଘର ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲାରେ। ସେ ନୋଏଡାରେ ନିଜ ଭାଇଙ୍କ ସହିତ ରହୁଛନ୍ତି। ତାଙ୍କ ମା’ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ପ୍ରଦୀପଙ୍କ କହିବା ହେଲା, ଦୌଡ଼ ପ୍ରାକ୍ଟିସ୍‌ ପାଇଁ ତାଙ୍କୁ ଆଦୌ ସମୟ ମିଳେ ନାହିଁ। ଏଥିପାଇଁ ସେ ଏହି ସମୟକୁ ହିଁ ଉପଯୋଗ କରନ୍ତି। ପ୍ରତିଦିନ ନୋଏଡା ସେକ୍ଟର ୧୬ରୁ ବରୌଲାସ୍ଥିତ ନିଜ ଘର ପର୍ଯ୍ୟନ୍ତ ପାଖାପାଖି ୧୦ କିଲୋମିଟର ବାଟ ଦୌଡ଼ନ୍ତି। ଅନ୍ୟପକ୍ଷରେ ବିନୋଦ ଯେତେବେଳେ ତାଙ୍କୁ କହିଥିଲେ କି, ତାଙ୍କର ଏହି ଭିଡିଓ କ୍ଲିପ୍‌ ଖୁବ୍‌ ଭାଇରାଲ ହେବାକୁ ଯାଉଛି। ତ ଏହା ଉପରେ ପ୍ରଦୀପ ହସିକି କହିଥିଲେ, ‘ମୋତେ କିଏ ଚିହ୍ନିବ, କିନ୍ତୁ ଯଦି ଏହା ଭାଇରାଲ ହୁଏ ତ ଠିକ୍‌ ଅଛି। ମୁଁ କିଛି ତ ଭୁଲ୍‌ କରୁନି’। ଏପରି କି, ବିନୋଦ ତାଙ୍କୁ ଡିନର ପାଇଁ ଅଫର୍‌ ମଧ୍ୟ କରିଥିଲେ, ତଥାପି ସେ ମନା କରି ଦେଇଥିଲେ। ପ୍ରଦୀପ କହିଥିଲେ, ଯଦି ସେ ତାଙ୍କ ସହିତ ଡିନରରେ ଯିବେ, ତ ତାଙ୍କ ଭାଇ ଭୋକିଲା ରହିଯିବେ। ବାସ୍ତବରେ, ଏହି ଭିଡିଓ ଲୋକଙ୍କ ହୃଦୟ ଜିତୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.