Below header

ଏମିତି ଜଣେ ନାରୀ ଯଶୋଦାବେନ୍ : ମୋଦିଙ୍କ ପତ୍ନୀ

କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ନିଜ ଚତୁର୍ପାର୍ଶ୍ୱକୁ । କେତେବେଳେ ପତ୍ନୀ ରୂପରେ ଜୀବନରେ ପ୍ରେମର ଫଗୁଣ ନେଇ ଆସେ ତ କେବେ ମାଆ ହୋଇ ସେ ଅଜାଡ଼ି ଦିଏ ବାତ୍ସଲ୍ୟ ସ୍ନେହ । କେବେ ସମୃଦ୍ଧି, କେବେ ଶକ୍ତି, କେବେ ବଳ ତ ଆଉ କେବେ ବିଜୟ ଲାଗି ସେ ପୂଜା ପାଇଥାଏ । ବିଶ୍ୱ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ । ଯିଏ ସୀତାଙ୍କ ଭଳି ଏବେବି ବନବାସରେ । ତାଙ୍କ ବନବାସ କେବେ ଅନ୍ତ ବି ହେବ ନାହିଁ । ସେ ହେଉଛନ୍ତି ଯଶୋଦାବେନ୍ ନରେନ୍ଦ୍ରଭାଇ ମୋଦି । ଆଜ୍ଞା ହଁ ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଯଶୋଦାବେନ୍ ।

୧୯୫୨ରେ ଜନ୍ମ ହୋଇଥିବା ଯଶୋଦାବେନ୍ ୧୯୬୮ରେ ମୋଦିଙ୍କୁ ବିବାହ କରିଥିଲେ । ବିବାହ ପାଇଁ ଇଚ୍ଛା ନଥିଲେ ମଧ୍ୟ ଘର ଲୋକଙ୍କ ଚାପରେ ଏହି ସମ୍ପର୍କରେ ବାନ୍ଧି ହୋଇଥିଲେ ମୋଦି । ସେ ସମୟରେ ମୋଦିଙ୍କ ବୟସ ୧୭ ବର୍ଷ ଓ ଯଶୋଦାବେନଙ୍କୁ ହୋଇଥିଲା ମାତ୍ର ୧୫ ବର୍ଷ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବିବାହର ମାତ୍ର ତିନି ବର୍ଷ ପରେ ଯଶୋଦାବେନଙ୍କୁ ଛାଡି ହିମାଳୟ ଚାଲି ଯାଇଥିଲେ ମୋଦି ।

ତେବେ ତିନି ବର୍ଷ ବାହାରେ ରହିବା ପରେ ପୁଣି ଥରେ ଘରକୁ ଫେରିଥିଲେ ମୋଦି । ହେଲେ ଏଥର ସାଙ୍ଗରେ ନେଇ ଆସିଥିଲେ ଅଲଗା କିଛି ପ୍ଲାନ । ସମ୍ପର୍କୀୟଙ୍କ ଦୋକାନରେ କାମ କରିବା ପାଇଁ ଅହମ୍ମଦାବାଦ ବାହାରିଥିଲେ। ତାହା ପୁଣି ଯଶୋଦାବେନଙ୍କ ବିନା । ଘର ଲୋକଙ୍କ ବିରୋଧ ବି ଅଟକାଇ ପାରିନଥିଲା ମୋଦିଙ୍କ ବାଟ । ଯଶୋଦାବେନଙ୍କ କହିବା ଅନୁଯାୟୀ, ସେ ମାତ୍ର ୩ ମାସ ମୋଦିଙ୍କ ସହ ରହିଛନ୍ତି । ମୋଦି ଅହମ୍ମଦାବାଦ ଚାଲିଯିବା ପରେ ନିଜ ବାପ ଘରକୁ ଚାଲି ଆସି ପୁଣି ପାଠ ପଢ଼ା ଆରମ୍ଭ କଲେ । ତାଲିମ ନେବା ପରେ ୧୯୭୮ରୁ ଶିକ୍ଷକତା ଆରମ୍ଭ କରିଥିଲେ ଯଶୋଦାବେନ୍ ।

ସ୍ବାମୀଙ୍କଠୁ ଅଲଗା ହେବାର ସମସ୍ତ କଷ୍ଟ ସହିଯାଇଥିଲେ କିନ୍ତୁ ମୋଦିଙ୍କ ରାସ୍ତାରେ କେବେ ବି ସମସ୍ଯା ଛିଡା କରିନଥିଲେ । ସେ ସମୟରେ ବିଜେପିର ଜଣେ ଲୋକପ୍ରିୟ ନେତା ଭାବରେ ନିଜ ପରିଚୟ ବନାଇ ସାରିଥିଲେ ମୋଦି । ସେ କହିଛନ୍ତି, ଆମେ ବୁଝାମଣା ଭିତରେ ଅଲଗା ହୋଇଛୁ । ତାଙ୍କ ଭାଗ୍ୟ ତାଙ୍କର, ମୋ ଭାଗ୍ୟ ମୋର । ଏବେବି ସେ କେବେହେଲେ ପ୍ରଧାନମନ୍ତ୍ରୀ ଭାବେ ପରିଚୟ ଦିଅନ୍ତି ନାହିଁ କି ମୋଦିଙ୍କ କଥା ଉଠାନ୍ତି ନାହିଁ । ତେବେ ତାଙ୍କୁ ମୋଦିଙ୍କ ବିଷୟରେ ପଢ଼ିବାକୁ ଖୁବ୍‌ ଭଲ ଲାଗେ ।

୨୦୧୪ରେ ଯେତେବେଳେ ମୋଦି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଭରିଲେ ସେତିକିବେଳେ ଘୋଷଣା କଲେ ଯେ ସେ ବିବାହିତ। ଏହା ଯଶୋଦାବେନଙ୍କ ଭକ୍ତି ଓ ବିଶ୍ୱାସର ହିଁ ଫଳ ଥିଲା । ୫୦ ବର୍ଷ ପରେ ପତ୍ନୀ ବୋଲି ଘୋଷଣା କଲେ ମୋଦି ।

ଯଶୋଦାବେନ୍ ନିଜ ବୈବାହିକ ଜୀବନ ବିଷୟରେ କାହା ସହ ବିଶେଷ କଥା ହୁଅନ୍ତି ନାହିଁ । ଏପରିକି କେହି ଯଦି ମୋଦିଙ୍କ ବିଷୟରେ କିଛି ଆପତ୍ତିଜନକ ଟିପ୍ପଣୀ ଦିଅନ୍ତି ତେବେ ଯଶୋଦାବେନ୍ ତାଙ୍କୁ ଚୁପ୍ କରାଇ ଦିଅନ୍ତି । ଶିକ୍ଷକତାରୁ ଅବସର ନେବା ପରେ ପିଲାଙ୍କୁ ଟ୍ୟୁସନ୍‌ କରୁଛନ୍ତି । ସବୁବେଳେ ପୂଜା ପାଠରେ ସମୟ କାଟୁଥିବା ଯଶୋଦାବେନ୍, ମୋଦିଙ୍କୁ ନିଜର ରାମ ବୋଲି କୁହନ୍ତି । ସତରେ ଭାରତୀୟ ନାରୀର ପଟାନ୍ତର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.