ସୁଇମିଂ ପୁଲ୍ ତଳୁ ବାହାରିଲା ‘୩ କୁଇଣ୍ଟାଲ ସୁନା’, ବାସ୍ତବତା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
୩୦ ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ତଥା ପୁଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ମସୁଂର ଖାନଙ୍କ ଘରୁ ମିଳିଛି ୩ କୁଇଣ୍ଟାଲର ନକଲି ସୁନା। ମସୁଂର ଏହି ନକଲି ସୁନାକୁ ଘର ପରିସରସ୍ଥ ସୁଇମିଂ ପୁଲ୍ ଭିତରେ ହିଁ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍ଆଇଟି ଟିମ୍ ସେଠାରେ ପହଞ୍ଚିଥିଲା। ତନାଘନା ପରେ ସୁଇମିଂ ପୁଲରୁ ୫,୮୮୦ଟି ନକଲି ସୁନା ବିସ୍କୁଟ ଜବତ କରିଛି, ଯାହାର ଓଜନ ପାଖାପାଖି ୩ କୁଇଣ୍ଟାଲ ହେବ।
ଏହା ଦେଖି ତଦନ୍ତକାରୀ ଅଧିକାରୀମାନେ ଚକିତ ହୋଇପଡ଼ିଥିଲେ। ଏତେ ପରିମାଣର ନକଲି ସୁନା ବିସ୍କୁଟ କେଉଁଠୁ ଆସିଲା ଏବଂ ଏହା କେଉଁଥିରେ ବ୍ୟବହାର କରାଯାଉଥିଲା, ସେ ନେଇ ଏସ୍ଆଇଟି ଟିମ୍ ତଦନ୍ତ ଜାରି ରଖିଛି। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ।
ଏହାସହ ପଢ଼ନ୍ତୁ: ଏମିତି ଧରିଥିଲା ଚୋରି ରୋଗ, ସୋରୁମ ଯାଇ ଗିଳି ଦେଲେ ହୀରାର ହାର
ଆଇଏମଏ ଜୁଏଲେରୀର ସଂସ୍ଥାପକ ଥିବା ମଂସୁର ଖାନ୍ଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିନେଇଛି। ମସୁଂର ଦୁବାଇରୁ ଦିଲ୍ଲୀ ଆସିବା ପରେ ପୋଲିସ ତାଙ୍କୁ ନୂଆଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି। ଏସ୍ଆଇଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜରିଆରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ୩୦ ହଜାର ଲୋକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ନେଇ ମସୁଂରଙ୍କ ନାଁରେ ଅଭିଯୋଗ ରହିଥିଲା। କିନ୍ତୁ ସେ ୧ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଫେରାର ଥିଲେ। ବୁଧବାର ଏସ୍ଆଇଟି ଟିମ୍ ତାଙ୍କ ବେଙ୍ଗାଲୁରୁ ଘରେ ଚଢ଼ାଉ କରି ନକଲି ସୁନା ବିସ୍କୁଟ ଜବତ କରିଥିଲା। ଏହି ଠକେଇ ମାମଲାରେ ଏ ପଯ୍ୟର୍ନ୍ତ ୨୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଓ୍ଵସୀମ ନାମକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖାଯାଇଛି।