Below header

ଡରନ୍ତୁ ନାହିଁ ! ଆପଣଙ୍କର କିଛି ହେବ ନାହିଁ, ଯାହା ହେବ ସେମାନଙ୍କର ହେବ

ଏବେ ବୁଲ୍‌ବୁଲ୍‌ ଗଲା । ଆଗକୁ ଆଉ କଣ ବାତ୍ୟା ଆସୁଛି । ଏସବୁ ବାତ୍ୟା ଲୋକଙ୍କୁ ଭୟଭୀତ କରୁଛି । ଆଶଙ୍କାରେ ରଖୁଛି । ଲୋକେ ପାଣିପାଗ କଥା ଜାଣିବାକୁ ଅଧିକ ଉତ୍କଣ୍ଠାରେ ରହୁଛନ୍ତି । କାରଣ କେବଳ ଭୟ । ହେଲେ ଏ ସାମୁଦ୍ରିକ ଝଡ଼କୁ ଛାଡ଼ି ଆଉ ଏକ ଝଡ଼ ଆସୁଛି ଆସନ୍ତା ବୁଧବାର ଦିନ । ଯାହାକୁ ରାଜ୍ୟ ସରକାର କି ତାଙ୍କ ଏନ୍‌ଡିଆରଏଫ୍‌ କେହି ବି ରୋକି ପାରିବେ ନାହିଁ । ଏଥିରେ କାହାକୁ ବି ପୂର୍ବରୁ ଥଇଥାନ କରାଯାଇ ପାରିବ ନାହିଁ । ଜୀବନ ଜୀବ ହିଁ ଜୀବ । ଏଥିରୁ ସାରା ରାଜ୍ୟର କୌଣସି ଅଞ୍ଚଳ ବାଦ୍‌ ପଡ଼ିବ ନାହିଁ । କଣ ଡରିଗଲେ କି ? ଡରିଲେ ଅବା କଣ ହେବ । ଯାହା ବିଧିର ବିଧାନ । ତାକୁ ବା କିଏ ଟାଳି ପାରିବ ।

ହଉ ଆଜ୍ଞା ଆଉ ବେଶି ଗୌରଚନ୍ଦ୍ରିକା କି କରିବା ନାହିଁ । କଥାଟାକୁ ଟିକେ ସ୍ପଷ୍ଟ କରି ଦେଉଛୁ । କାଲି ହେଉଛି କାର୍ତ୍ତିକ ପୂର୍ଣ୍ଣମୀ । ମଙ୍ଗଳବାର । ତା ପରଦିନ ବୁଧବାର । ଆଉ ଏଥର ବୁଧବାରରେ ପଡୁଛି ଛାଡ଼ଖାଇ । ତେଣୁ ବୁଧବାରିଆ ଛାଡ଼ଖାଇରେ କଣ ହେବ ସେ କଥା ଆପଣମାନଙ୍କୁ ଭଲ ଭାବେ ଜଣାଥିବ । କିଏ ପୂରା କାର୍ତ୍ତିକ ମାସଟି ତ ଆଉ କିଏ କେବଳ ପଞ୍ଚୁକ ପାଳନ କରି ଆମିଷ ଓ ପିଆଜ ରସୁଣ ଛାଡ଼ିଛନ୍ତି । ତେଣୁ ଆମିଷାସୀମାନେ ଭୋକିଲା ବାଘ ଭଳି ଅନେଇ ରହିଛନ୍ତି ଛାଡ଼ଖାଇ ଦିନକୁ । ତେଣୁ ଏହି ଦିନରେ ଛେଳି ଓ କୁକୁଡ଼ାଙ୍କର ଆଉ ତ୍ରାହି ନାହିଁ । ଆମିଷ ବେପାରୀଙ୍କ ଦ୍ୱାରା ଆଗରୁ ବୁକ୍‌ ହୋଇ ସାରିଛନ୍ତି ବିଭିନ୍ନ ପ୍ରଜାତିର କୁକୁଡ଼ା ଓ ଛେଳି । ସେମାନଙ୍କ ଜୀବନ ଯିବା ଥୟ । ତେଣୁ ଆମେ କହିଲୁ, ଛାଡ଼ଖାଇ ଝଡ଼ରେ ନିଶ୍ଚୟ ଜୀବନ ଜୀବ । ଶହେ କି ଦୁଇ ଶହ ନୁହେଁ ଲକ୍ଷ ଲକ୍ଷ ଜୀବନ କେଁ ଓ ମେଁ ହୋଇ ଚାଲିଯିବ । କଣ ଭୁଲ କହିଲୁ କି ?

କେ ନ୍ୟୁଜ୍‌ ସ୍ପେସାଲ ଡେସ୍କ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.