Below header

ପେସାରେ ଟାୟାର ମିସ୍ତ୍ରୀ, ହେଲେ ନିଶା ତାଙ୍କର ବଡି ବିଲ୍ଡିଂ

ଏଭଳି ଏକ ପ୍ରତିଭା ଯାହାକୁ ଗରିବୀ ବାନ୍ଧି ରଖିପାରିନି।  ପେସା ତାଙ୍କର ଟାୟାର ମରାମତି କରିବା । ହେଲେ ନିଶା ତାଙ୍କର ବଡି ବିଲ୍ଡିଂ।  କେନ୍ଦୁଝର ପୁରୁଣା ବଜାର ର ବାସିନ୍ଦା ଅବଦୁଲ ରେହେମାନ ।

କେନ୍ଦୁଝର(କେନ୍ୟୁଜ୍): ମଣିଷର ଆତ୍ମବିଶ୍ଵାସ ତାକୁ ସଫଳତା ଆଣି ଦେଇଥାଏ ।  ଦୃଢ଼ ଇଚ୍ଛାଶକ୍ତି ତାକୁ ଲକ୍ଷ୍ୟସ୍ଥଳ ଆଡ଼କୁ ଟାଣି ନେଇଥାଏ । ପ୍ରାୟତଃ ଅଧିକାଂଶ ସମୟରେ ଦେଖିବାକୁ ମିଳିଛି ଯେ ଯଦି ପ୍ରତିଭା ଅଛି ତେବେ, ଅଭାବ ଅନାଟନ କେବେ ବି ବାଧକ ସାଜିନଥାଏ । ଏଭଳି ଏକ ପ୍ରତିଭା ଯାହାକୁ ଗରିବୀ ବାନ୍ଧି ରଖିପାରିନି।  ପେସା ତାଙ୍କର ଟାୟାର ମରାମତି କରିବା । ହେଲେ ନିଶା ତାଙ୍କର ବଡି ବିଲ୍ଡିଂ।

କେନ୍ଦୁଝର ପୁରୁଣା ବଜାର ର ବାସିନ୍ଦା ଅବଦୁଲ ରେହେମାନ । ଅତି ଅଳ୍ପ ବୟସରୁ ସେ ବାପାଙ୍କୁ ହରାଇଥିଲେ। ମା’ ଓ ଉଭଣୀର ବୋଝ ମୁଣ୍ଡାଇବାକୁ ଯାଇ କେନ୍ଦୁଝର ଚର୍ଚ୍ଚଛକରେ ଟାୟାର ମରାମତି ଦୋକାନ କରି ରୋଜଗାର କରି ପରିବାରର ବୋଝକୁ ହାଲୁକା କରିବାକୁ ଲକ୍ଷ୍ୟ ରଖିଥିଲେ ଅବଦୁଲ। ହେଲେ ମାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢିଥିଲେ । ଏହି ସମୟରେ ପରିବାରର ଦାୟିତ୍ଵ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଟାୟାର ମରାମତି ଦୋକାନରୁ ଆସୁଥିବା ତାଙ୍କ ମାସିକ ଆୟରେ ସେ ବାନ୍ଧି ହୋଇ ରହିଯାଇଥିଲେ। ସୁନ୍ଦର ସ୍ବାସ୍ଥ୍ୟ ତିଆରି କରିବାକୁ ତାଙ୍କ ପାଖରେ କୌଣସି ସୁଯୋଗ ନଥିଲା।

reheman

ତେବେ ଅବଦୁଲଙ୍କ  ପ୍ରତିଭାକୁ ଚିହ୍ନିଥିଲେ ଗୁରୁ ସ୍ୱାଧୀନ ଷଢ଼ଙ୍ଗୀ । ଏହି ଯୁବକଙ୍କ ଶିରାପ୍ରଶିରାରେ ଅନେକ ସାମର୍ଥ୍ୟକୁ ସେ ଆକଳନ କରିଥିଲେ । ଗରିବ ଟାୟାର ମରାମତି ମିସ୍ତ୍ରୀ ଅବଦୁଲ ଓରଫ ବୁଟୁଲ ମଧ୍ୟ ଗୁରୁଙ୍କ କଥାରେ ଉତ୍ସାହିତ ହୋଇପଡ଼ିଲେ । ମନ ଧ୍ୟାନ ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଜିମ୍‌ରେ ବ୍ୟାୟମ ଆରମ୍ଭ କରିଦେଲେ । ତାଙ୍କର ଅଭୂତ କୌଶଳ ତାଲିମ୍ ଗ୍ରହଣ କରୁଥିବା ଅନ୍ୟ ପ୍ରତିଭାକୁ ବେଶ୍ ଆକର୍ଷିତ କରିଥିଲା। ଏହି ବ୍ୟାୟମ୍ ତାଙ୍କୁ ଆଗକୁ ବଢ଼ିବା ପାଇଁ ଖୋରାକ୍ ଯୋଗାଇ ଥିଲା । ଯାହାକି ମାତ୍ର ୨୭ ବର୍ଷରେ ସେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି ।

ଗତ ଜାନୁଆରୀ ମାସରେ ମିଷ୍ଟର ଓଡ଼ିଶା ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରି ସଫଳତା ଅର୍ଜନ କରିଛନ୍ତି । ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ଅର୍ଜନ କରିଛନ୍ତି । କଥା ଏତିକିରେ ଅଟକି ନାହିଁ, ମାର୍ଚ୍ଚ ମାସରେ ରାଉରକେଲାରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ଅନେକ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରି ସଫଳତା ଅର୍ଜନ କରିଛନ୍ତି । ୧୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିଷ୍ଟର ରାଉରକେଲା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଅବଦୁଲ, ଯଦି ସରକାର କିଛି ଆର୍ଥିକ ସାହାଯ୍ୟ କରନ୍ତେ ତାହେଲେ ଦେଶ ପାଇଁ ଗୌରବ ଆଣି ପାରିବେ ବୋଲି କହିଛନ୍ତି ଅବୁଦୁଲ ରେହେମାନ । ତେବେ ସୁନା ଭଳି ଝଟକୁଛି ଏହି ଉଦୀୟମାନ ଯୁବକଙ୍କ ସଂଘର୍ଷର କାହାଣୀ । ଯାହାକି ଯୁବଗୋଷ୍ଠୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.