ଏବେ ବି ବଞ୍ଚିଛି ମାନବିକତା, ସହିଦଙ୍କ ମା’ଙ୍କ ମାଗଣାରେ ଚିକିତ୍ସା କଲେ ଡାକ୍ତର, ଡିସଚାର୍ଜ ପରେ ଏମିତି କୃତଜ୍ଞତା ଜଣାଇଲେ ବୃଦ୍ଧା; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି କହିବେ ଏବେ ବି ଦୁନିଆରେ ମଣିଷପଣିଆ ବଞ୍ଚିଛି। ଏହି ଭିଡିଓରେ ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନର ମା’ଙ୍କ ମାଗଣା ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯିବା ବେଳେ ସେ ଡାକ୍ତରଙ୍କୁ କୁଣ୍ଢାଇ ଧରି ପ୍ରବଳ କାନ୍ଦୁଥିବା ଦେଖାଯାଇଛି।

ଭିଡିଓରେ ଚିକିତ୍ସା କରୁଥିବା ଡାକ୍ତର ଅଲତାଫ ଶେଖ ବୃଦ୍ଧା ମହିଳା ଶାନ୍ତାବାଇ ସୁରଦଙ୍କୁ କୋଳେଇ ଧରି ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଛି। ଆଇପିଏସ୍‌ ଅଫିସର ଦୀପାଂଶୁ କାବ୍ରା ଏହି ଭିଡିଓକୁ ରି-ଟ୍ଵିଟ୍‌ କରି ଲେଖିଛନ୍ତି ‘ସହିଦଙ୍କ ମା’ ଗୋଟିଏ ପୁଅ ହରାଇଛନ୍ତି, କିନ୍ତୁ ତାଙ୍କର ୧୩୫ କୋଟି ପୁଅ ଝିଅ ଆହୁରି ଅଛନ୍ତି। ଆମ ସମସ୍ତଙ୍କୁ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ପରିବାରର ଧ୍ୟାନ ରଖିବାର ପ୍ରେରଣା ଡାକ୍ତର ସାହେବଙ୍କ ଠାରୁ ନେବା ଉଚିତ’। ଏହି ଭିଡିଓକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଉଛି।


ଗଣମାଧ୍ୟମ ସହ କଥାବାର୍ତ୍ତା ହେବା ଅବସରରେ ଡାକ୍ତର ଅଲତାଫ କହିଛନ୍ତି ଶାନ୍ତାବାଇ ଜଣେ ହୃଦ୍‌ରୋଗୀ। ତାଙ୍କର ଗୋଟିଏ ପୁଅ ହୃଦଘାତରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଜମ୍ମୁ କଶ୍ମୀରର କୁପଓ୍ଵାଡ଼ାରେ ସାତ ବର୍ଷ ତଳେ ସହିଦ ହୋଇଛନ୍ତି। ମୁଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ତାଙ୍କ ମାଗଣା ଚିକିତ୍ସା ପାଇଁ କଥା ହେବାରୁ ସେମାନେ ସହମତି ଜଣାଇଥିଲେ। ଏବେ ଚିକିତ୍ସା ପରେ ଶାନ୍ତାବାଇ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.