ରଥରେ ଦର୍ଶନ ଦେବେ ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ, ବିଶ୍ବାସ ରହିଛି ପୁରୀରୁ ମହାବାହୁ ଆସି ଏଠି ବିଜେ କରନ୍ତି

ଗୋଟିଏ ଦିନ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଆବାହମାନ କାଳରୁ ଏହି ପରମ୍ପରା ରହିଆସିଛି । ଶୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣିଥାନ୍ତି ।

ମୟୂରଭଞ୍ଜ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରୁ ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ । ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ରଥରେ ବସି ଜନ୍ମବେଦୀକୁ ଯାତ୍ରା କରିବେ ମହାବାହୁ । ରଥରେ ବାମନଙ୍କୁ ଦର୍ଶନ କରି ପୁନର୍ଜନ୍ମରୁ ମୁକ୍ତି ପାଇବେ ଭକ୍ତ । ଏହାର ଗୋଟିଏ ଦିନ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଆବାହମାନ କାଳରୁ ଏହି ପରମ୍ପରା ରହିଆସିଛି । ପୁରୀ ଶୀଗୁଣ୍ଡିଚା ଯାତ୍ରାର ଗୋଟିଏ ଦିନ ପରେ ଏଠାରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା । ଏଠାରେ ବି ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ । କେବଳ ଅପେକ୍ଷା ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ଆଗମନକୁ ।

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ବନିଅନ୍ତାଙ୍କ ରଥଯାତ୍ରା । ବାରିପଦା ସହର ହୋଇ ଉଠିଛି ଚଳଚଞ୍ଚଳ । ଏ ହେଉଛି ବାରିପଦା ରଥଖଳାର ଦୃଶ୍ୟ । ରଥରେ ଶେଷସ୍ପର୍ଶ ଦେଉଛନ୍ତି କାରିଗର । ଜ୍ବରରୁ ସୁସ୍ଥ ହେବାପରେ ନବଜୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ । ଏହାସହ ରଥରେ ନେତ ବନ୍ଧା ହେବାସହ ଦକ୍ଷିଣାୟନ ବନ୍ଦାପନା ପୂଜା ହୋଇଛି । ଅପେକ୍ଷା ଆସନ୍ତାକାଲିକୁ ଯେବେ ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ ।

ବାରିପଦାରେ ରଥ ଟଣାକୁ ନେଇ ଭିନ୍ନ ଏକ ପରମ୍ପରା ଦେଖିବାକୁ ମିଳିଥାଏ । ଶୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତ ଟାଣିଥାନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଇଛି ପୋଲିସ ପ୍ରଶାସନ । ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି । ତିନିଗୋଟି ଅସ୍ଥାୟୀ ୱାଚ ଟାୱାର ସହ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହାସହ ବାରିପଦା ଟାଉନଥାନା ପରିସରରେ ଥିବା କଣ୍ଟ୍ରୋଲ ରୁମରୁ କଡ଼ା ନଜର ରଖାଯିବ। ରଥଯାତ୍ରା ପାଇଁ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୧୫ଜଣ ଇନ୍ସପେକ୍ଟର ଓ ୯୦ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ଦାଇତ୍ବରେ ରହିଛନ୍ତି । ସାଧା ପୋଷାକରେ ପୋଲିସ କର୍ମଚାରୀଙ୍କୁ ମୁତୟନା କରାଯିବା ସହ ୨୭ ପ୍ଲାଟୁନ ଫୋର୍ସ ଜଗି ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.