ଓଡ଼ିଶାରୁ ଗୋଆ ସବୁଠି ବଡ଼ଦିନର ଉତ୍ସାହ, ଜାଣନ୍ତୁ ଦେଶର କେଉଁଠାରେ ଖୁବ୍‌ ଧୁମ୍‌ଧାମ୍‌ରେ କରାଯାଏ ଯୀଶୁଙ୍କୁ ସ୍ୱାଗତ

ଜଗତରେ ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ବହନ କରୁଥିବା ବଡ଼ଦିନକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ବିଶ୍ୱବାସୀ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ପାଳନ କରାଯାଉଥିବା ଏହି ପର୍ବ ପାଇଁ ସାରା ବର୍ଷ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଡିସେମ୍ବର ୨୪ ମଧ୍ୟରାତ୍ରରୁ ନୂଆବର୍ଷ ପର୍ଯ୍ୟନ୍ତ ୭ ଦିନ ଧରି ବେଶ୍ ଉତ୍ସବ ମୁଖର ହୋଇଉଠେ ସାରା ଦୁନିଆ। କେବଳ ପାଶ୍ଚାତ ରାଷ୍ଟ୍ର ନୁହେଁ ଭାରତରେ ମଧ୍ୟ ଡିସେମ୍ବର ୨୫ରେ ବଡ଼ଦିନ ଖୁବ୍ ଧୁମଧାମରେ ପାଳନ କରାଯାଏ।

ଭାରତର ଭତ୍ତର-ପୂର୍ବାଞ୍ଚଳ, କେରଳ, ଗୋଆ, ମେଘାଳୟ ଆଦି ଅଞ୍ଚଳରେ ବହୁଳ ଭାବେ ଖ୍ରୀଷ୍ଟଧର୍ମାବଲମ୍ବୀ ବାସ କରୁଛନ୍ତି । ଓଡ଼ିଶାରେ ମଧ୍ୟ ଏହି ପର୍ବ ଖୁବ୍ ଉତ୍ସାହର ସହ ପାଳିତ ହୋଇଥାଏ । ରାଜ୍ୟର କନ୍ଧମାଳ, ଜଟଣୀ, ପିପିଲି, ସୁନ୍ଦରଗଡ଼ ଆଦି ଅଞ୍ଚଳରେ ମଧ୍ୟ ବହୁ ଖ୍ରୀଷ୍ଟଧର୍ମୀ ରହୁଛନ୍ତି । ବଡ଼ଦିନ ପାଳନ ଅବସରରେ ଚର୍ଚ୍ଚଗୁଡ଼ିକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା, ତାରକାରେ ସଜ୍ଜିତ କରାଯିବା ସହ ଖ୍ରୀଷ୍ଟମାସ ଟ୍ରିକୁ ମଧ୍ୟ ଛୋଟ ବଲ୍, ଲାଇଟ୍, ଚକୋଲେଟ୍ ରେ ସଜାଯାଇଥାଏ ।

ଗୋଆ

ଉତ୍ସବର ଅନ୍ୟନାମ ଗୋଆ । ବର୍ଷତମାମ ଏଠାରେ କିଛି ନା କିଛି ଉତ୍ସବ ପାଳନ ଲାଗି ରହିଥାଏ । ଖାସ୍ କରି ଖ୍ରୀଷ୍ଟମାସ ବେଳେ ଗୋଆ ଅତ୍ୟଧିକ ଉତ୍ସବ ମୁଖରିତ ହୋଇଥାଏ । ପର୍ତ୍ତୁଗୀଜଙ୍କ ଶାସନ କାଳରୁ ଏଠାରେ ବଡ଼ଦିନ ପାଳିତ ହୋଇଆସୁଛି । ଗୋଆର ବାସିଲିକା ଅଫ୍ ବମ୍ ଯେଶଶ୍ ଚର୍ଚ୍ଚ, ଇମାକୁଲେଟ୍ କନ୍ସେପ୍ସନ ଚର୍ଚ୍ଚ, ସେ କ୍ୟାଥେଡ୍ରାଲ ଚର୍ଚ୍ଚ ଆଦି ପ୍ରସିଦ୍ଧିଲାଭ କରିଛି । ଏଠାରେ ବାସ କରୁଥିବା ରୋମାନ କ୍ୟାଥଲିକ୍ ସମ୍ପ୍ରଦାୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବଡ଼ଦିନ ଖୁବ୍ ଧୁମ୍‌ଧାମ୍‌ରେ ମନାଯାଇଥାଏ । ପୂରା ସହରକୁ ଆଲୋକ ଓ ଫୁଲରେ ସଜା ଯାଇଥାଏ । ମଧ୍ୟରାତ୍ରିରୁ ଭୋର୍ ପର୍ଯ୍ୟନ୍ତ ଲୋକମାନେ ଗୀତ ଗାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । ସମୁଦ୍ରକୂଳ ହୋଟେଲ ଓ ରେସ୍ତୋରାଁରେ ଖ୍ରୀଷ୍ଟମାସ ପାଇଁ ସ୍ୱାଦିଷ୍ଟ ଭୋଜନ ପରିବେଷଣ କରାଯାଇଥାଏ । ଖୁବ୍ ଉତ୍ସାହର ସହ ଏହି ଦିନ ପାଳନ ପାଇଁ ବର୍ଷସାରା ଲୋକମାନେ ଅପେକ୍ଷା କରିଥାନ୍ତି ।

ଦିଲ୍ଲୀ

ଖୁବ୍ ଧୁମଧାମରେ ବଡ଼ଦିନ ପାଳନ କରାଯାଉଥିବା ଭାରତର ଅନ୍ୟ ଏକ ସହର ହେଉଛି ଦିଲ୍ଲୀ । ଭାରତର ରାଜଧାନୀ ଦିଲ୍ଲୀର ଗଳିକନ୍ଦିରେ କ୍ୟାଣ୍ଡେଲ ଜାଳି ଏହିଦିନକୁ ଖୁବ୍ ଉତ୍ସାହର ସହ ପାଳନ କରାଯାଇଥାଏ । ଚର୍ଚ୍ଚଗୁଡ଼ିକୁ ଯୀଶୁଙ୍କ ଜନ୍ମଦିନ ଅବସରରେ ଖୁବ୍ ସୁନ୍ଦରଭାବେ ସଜ୍ଜିତ କରାଯାଇଥାଏ । ଏଠାରେ ଥିବା ଚର୍ଚ୍ଚଗୁଡ଼ିକ ମଧ୍ୟରାତ୍ରରୁ ଚଳଚଞ୍ଚଳ ହୋଇପଡ଼ିଥାନ୍ତି । ଲୋକମାନେ ଖ୍ରୀଷ୍ଟମାସ ଟ୍ରିକୁ ଛୋଟ ଛୋଟ ବଲ୍ ଓ ଲାଇଟ୍ରେ ସଜାଇ ସାନ୍ତାଙ୍କୁ ଆମନ୍ତ୍ରଣ କରିଥାନ୍ତି । ନୂଆଦିଲ୍ଲୀର ସେଣ୍ଟ୍ ଜେମ୍ସ ଚର୍ଚ୍ଚ, କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦ ରିଡିମ୍ପସନ୍, ସେଣ୍ଟ୍ ଷ୍ଟିଫେନ୍ ଚର୍ଚ୍ଚ, ସେଣ୍ଟ୍ ଲ୍ୟୁକ୍ ଚର୍ଚ୍ଚ ଆଦି ଚର୍ଚ୍ଚଗୁଡ଼ିକ ବଡ଼ଦିନରେ ଉତ୍ସବମୁଖର ହୋଇଥାଏ ।

ମନାଲି

ଶୀତଋତୁରେ ପ୍ରବଳ ବରଫପାତ ହେଉଥିବାରୁ ମନାଲି ଯିବାକୁ କେହି ପ୍ରାୟତଃ ପସନ୍ଦ କରିନଥାନ୍ତି । କିନ୍ତୁ ଅଳ୍ପସଂଖ୍ୟକ ଲୋକଥିବା ଏହି ସୁନ୍ଦର ସ୍ଥାନରେ ବଡ଼ଦିନ ପର୍ବ ଖୁବ୍ ଧୁମଧାମରେ ପାଳନ କରାଯାଏ । ସହରରେ ଥିବା ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ, ଖ୍ରୀଷ୍ଟ ଚର୍ଚ୍ଚ, ଯୋଗିନ୍ଦ୍ର ନଗର ଚର୍ଚ୍ଚକୁ ଯୀଶୁଙ୍କ ଜନ୍ମଦିନ ଅବସରରେ ଲାଇଟ୍ ଓ ଫୁଲରେ ସଜାଯାଇଥାଏ । ଏହାବ୍ୟତୀତ ବଜାର, ସାହିଗଳି ମଧ୍ୟ ସଜାଯାଇଥାଏ । କ୍ରିସମାସ ଟ୍ରିକୁ ଲାଇଟ୍ରେ ସଜାଇ ଘର ସାମ୍ନାରେ ରଖାଯାଇଥାଏ । ଲୋକମାନେ ଘରେ ଘରେ ସ୍ୱାଦିଷ୍ଟ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁବ୍ ଉତ୍ସାହର ସହ ଏହି ଦିନକୁ ପାଳନ କରିଥାନ୍ତି । କିଛି ଚର୍ଚ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ ।

ଡାମନ ଓ ଡିଉ

ଡାମନ ଓ ଡିଉର ଏକ ପ୍ରଧାନ ପର୍ବଭାବେ ବଡ଼ଦିନ ପାଳନ କରାଯାଏ । ଅତୀତରେ ଏଠାରେ ଫରାସୀମାନେ ବାସ କରୁଥିବାରୁ ସେମାନେ ବଡ଼ଦିନ ପାଳନ କରୁଥିଲେ । ସେବେଠାରୁ ଏହି ପ୍ରଥା ରହିଆସିଛି । କେରଳ ଭଳି ଏଠାରେ ମଧ୍ୟ ରୋମାନ କ୍ୟାଥଲିକ୍ ସମ୍ପ୍ରଦାୟର ବାସ କରିଥାନ୍ତି । ବଡ଼ଦିନ ପାଳନ ଅବସରରେ ଏହି କେନ୍ଦ୍ରଶାସିତ ଅଞ୍ଚଳ ଖୁବ୍ ଉତ୍ସବ ମୁଖରିତ ହୋଇଥାଏ । ଏଠାରେ ଥିବା ସେଣ୍ଟ ପଲ୍ସ ଚର୍ଚ୍ଚ, ସି କ୍ୟାଥେଡ୍ରାଲ୍, ଚର୍ଚ୍ଚ ଅଫ୍ ଆୱାର ଲେଡି ଅଫ୍ ରୋସାରି ଭଳି ଚର୍ଚ୍ଚମାନ ଖୁବ ଆକର୍ଷଣୀୟ ଭାବେ ସଜ୍ଜିତ ହୋଇଥାଏ । ଏଠାରେ ବାସ କରୁଥିବା ଖ୍ରୀଷ୍ଟିୟାନମାନେ ଅତିଥିଙ୍କୁ ଚକୋଲେଟ, ମିଷ୍ଟାନ୍ନ ଦେଇ ଆପ୍ୟାୟିତ କରିଥାନ୍ତି ।

କେରଳ:

ଖ୍ରୀଷ୍ଟଧର୍ମାବଲମ୍ବୀ ବାସ କରୁଥିବା ଭାରତର ପ୍ରମୁଖ କ୍ଷେତ୍ରମାନଙ୍କ ମଧ୍ୟରେ କେରଳ ଅନ୍ୟତମ । ଏଠାରେ ସେଣ୍ଟ ଥୋମାସ୍ ସାଏରୋ-ମାଲାବାର କ୍ୟାଥୋଲିକ୍ ଚର୍ଚ୍ଚ, ସେଣ୍ଟ ଫ୍ରାନ୍ସିସ୍ ସିଏସ୍ଆଇ ଚର୍ଚ୍ଚ, ସାଣ୍ଟା କ୍ରୁଜ୍ କ୍ୟାଥେଡ୍ରାଲ୍ ବାସିଲିକା ଆଦି ପୁରାତନ ଚର୍ଚ୍ଚମାନ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେରଳରେ ଚିତ୍ତାକର୍ଷକ ବେଳାଭୂମି, ନଭଶ୍ଚୁମ୍ବୀ ପର୍ବତମାଳା ସହିତ ଆଲୋକମାଳାରେ ସଜ୍ଜିତ ଚର୍ଚ୍ଚମାନ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ । ପ୍ରତିବର୍ଷ ବଡ଼ଦିନର ଢେର ଆଗରୁ ଏଠାରେ ଯୀଶୁଙ୍କ ଆଗମନ ନିମନ୍ତେ ଉତ୍ସବ ଆରମ୍ଭ ହୋଇଯାଇଥାଏ । ଯୀଶୁଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଖୁବ୍ ସୁନ୍ଦରଭାବେ ଚର୍ଚ୍ଚରେ ଦର୍ଶାଯାଇଥାଏ । ବଡ଼ଦିନରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଚର୍ଚ୍ଚ ତରଫରୁ ଚକୋଲେଟ୍, କେକ୍ ଆଦି ଦିଆଯାଏ । ବଡ଼ଦିନ ପାଇଁ ଏଠାକାର ହୋଟେଲ, ମଲ୍ରେ ରିହାତି ମଧ୍ୟ ଦିଆଯାଇଥାଏ ।

କୋଚି

ଭାରତର ପୁରାତନ ଚର୍ଚ୍ଚମାନଙ୍କ ମଧ୍ୟରୁ କୋଚିଠାରେ ୧୫୦୩ ମସିହାରେ ନିର୍ମିତ ସେଣ୍ଟ ଫ୍ରାନ୍ସିସ୍ ଚର୍ଚ୍ଚ ଅନ୍ୟତମ । ୧୫୨୫ରେ କୋଚିରେ ପ୍ରାଣତ୍ୟାଗ କରିଥିବା ଭାସ୍କୋଡ଼ାଗାମାଙ୍କ ମରଶରୀର ଏହି ଚର୍ଚ୍ଚରେ ରଖାଯାଇଥିଲା । ମାତ୍ର ୧୪ ବର୍ଷ ପରେ ଏହାକୁ ପର୍ତ୍ତୁଗାଲର ଲିସବନକୁ ସ୍ଥାନାନ୍ତରିତ କରାଯାଇଥିଲା । ୟୁରୋପୀୟ ସ୍ଥାପତ୍ୟକଳାରେ ନିର୍ମିତ ଚର୍ଚ୍ଚଟି ପୁରାତନକାଳର ଭାସ୍କର୍ଯ୍ୟକୁ ବର୍ଣ୍ଣନା କରିଥାଏ । ଏହି ଚର୍ଚ୍ଚରେ ବଡ଼ଦିନ ଖୁବ୍ ଧୁମଧାମରେ ପାଳନ କରାଯାଏ । ସମ୍ପୂର୍ଣ୍ଣ ଚର୍ଚ୍ଚକୁ ଆଲୋକୀକରଣ କରାଯାଇ ଯୀଶୁଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇଥାଏ । ବଡ଼ଦିନ ପାଳନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।

ବାଙ୍ଗାଲୋର

ଖ୍ରୀଷ୍ଟମାସ ଋତୁରେ ବାଙ୍ଗାଲୋରରେ ଏକ ଉଲ୍ଲାସମୟ ବାତାବରଣ ଦେଖାଯାଇଥାଏ । ବିଭିନ୍ନ ଫଳରେ ତିଆରି କେକ୍ ଓ ପେଷ୍ଟ୍ରିର ସୁଗନ୍ଧ ସାରାସହରରେ ଖେଳୁଥାଏ । ବଡ଼ଦିନ ବାଙ୍ଗାଲୋରର ପ୍ରମୁଖ ପର୍ବ ହୋଇନଥିଲେ ମଧ୍ୟ ଏଠାକାର ଲୋକଙ୍କ ମନରେ ଏହି ଦିନ ପାଳନ ପାଇଁ ଉତ୍ସାହ ପ୍ରବଳମାତ୍ରାରେ ରହିଥାଏ । ଏ ଅବସରରେ ସହରର ସେଣ୍ଟ ମାରିସ୍ ବାସାଲିକା, ଖ୍ରୀଷ୍ଟିୟାନ୍ ଫେଲୋସିପ୍ ଚର୍ଚ୍ଚ, ସିଟି ହାର୍ଭେଷ୍ଟ ଏଜି ଚର୍ଚ୍ଚଗୁଡ଼ିକୁ ଆଲୋକରେ ସଜାଯାଇଥାଏ । ମଧ୍ୟରାତ୍ରରୁ ସହରବାସୀ କେକ୍ କାଟି ଗୀତ ଗାଇ ପରସ୍ପରକୁ ମେରୀ କ୍ରିସ୍ମାସ୍ ଅଭିନନ୍ଦନ ଜଣାଇ ବଡ଼ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟଧର୍ମୀମାନେ ନୂଆ ପୋଷାକ ପିନ୍ଧି ସମ୍ପର୍କୀୟଙ୍କୁ ମିଷ୍ଟାନ୍ନ ଖୁଆଇ ଯୀଶୁଙ୍କ ଜନ୍ମଦିନ ପାଳନ କରିଥାନ୍ତି।

Leave A Reply

Your email address will not be published.