Below header

ଭୁବନେଶ୍ୱରର ଭବାନୀ ଶଙ୍କର ମନ୍ଦିର, ଜାଣନ୍ତୁ ଅନେକ ଅଜଣା କଥା

ବିଶାଳ ସୁରମ୍ୟ ଅଟ୍ଟାଳିକା, ଫ୍ଲାଏ ଓଭର ଓ ପ୍ରାଚୀର ଘେରା ଜନଗହଳି ପୂର୍ଣ୍ଣ ସହର ଭିତରେ ହଜି ଯାଇଛି ସେଦିନର ମନ୍ଦିର ମାଳିନୀ ଭୁବନେଶ୍ୱର । ତେବେ ତାରି ଭିତରେ କିଛି କିମ୍ବଦନ୍ତୀ ଓ କିଛି ଏମିତି ମନ୍ଦିର ରହିଛି ଯାହା ବିଷୟରେ ଆଦୌ ଜାଣି ନଥିବେ ରାଜଧାନୀ ବାସିନ୍ଦା ।

BHABNI SHANKER-UP-3

ଆଜି ଆସନ୍ତୁ ଜାଣିବା ଏକାମ୍ର କ୍ଷେତ୍ରରେ ଥିବା ଭବାନୀ ଶଙ୍କର ମନ୍ଦିର ବିଷୟରେ । କିମ୍ବଦନ୍ତୀ ଓ ଲୋକ କଥା ଅନୁସାରେ, ବହୁ ବର୍ଷ ପୂର୍ବେ ଏହି କ୍ଷେତ୍ରର ଶୋଭା କାନ୍ତି ତିନି ଭୁବନକୁ ମୋହିତ କରୁଥିଲା । ସେହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ମା’ ପାର୍ବତୀ ଥରେ ଇଚ୍ଛା ପ୍ରକାଶ କଲେ। ପୁଣି ଆଉ ଏକ କଥା ପାଇଁ ମଧ୍ୟ ମା’ଙ୍କର କୌତୁହଳ ବଢ଼ିଥିଲା । ସେ ଦେଖିବାକୁ ଚାହିଁଲେ କି କଳା ଗାଈ କିପରି ନିଜେ ନିଜେ ଯାଇ ଶିବ ଲିଙ୍ଗ ବା ବାବା ଲିଙ୍ଗରାଜଙ୍କ ଉପରେ ସିଧାସଳଖ କ୍ଷୀର ଦେଉଛି । ଏହା ସ୍ଥିର କରି କୈଳାସ ପର୍ଵତରୁ ବାହାରି ଆସିଲେ ।
ଜଣେ ଗାଈ ଜଗୁଆଳି ଭାବେ ଲିଙ୍ଗରାଜ ଅଞ୍ଚଳରେ ଭ୍ରମଣ କରୁଥିବା ସମୟରେ କୀର୍ତ୍ତି ଓ ବାସ ନାମକ ଦୁଇ ଜଣ ରାକ୍ଷସ ସହିତ ତାଙ୍କର ଭେଟ ହେଲା ମା’ଙ୍କର । ସେମାନେ ମାତା ପାର୍ବତୀଙ୍କୁ ଦେଖି ବିବାହ କରିବାକୁ ଚାହିଁଲେ । ତେବେ ମା ଚତୁରତାର ସହ ସର୍ତ୍ତ ରଖି କହିଲେ ମୋତେ ଯଦି ବିବାହ କରିବାକୁ ଚାହୁଁଛ ତେବେ ମୋତେ କାନ୍ଧରେ ବସାଇ ଲିଙ୍ଗରାଜ କ୍ଷେତ୍ର ବୁଲାଅ । ଏହାପରେ କୀର୍ତ୍ତି ଓ ବାସ ମା’ଙ୍କୁ ଯେତେବେଳେ କାନ୍ଧରେ ବସାଇଛନ୍ତି ମା ଉଗ୍ରରୂପ ନେଇ ସେମାନଙ୍କୁ ପାତାଳରେ ଚାପି ଦେଲେ ।

BHABNI SHANKER-UP-2

ସେହି ଦିନ ଠାରୁ ଏହି ଦୁଇ ରାକ୍ଷସ ସେଠାରେ ପଥର ହୋଇ ପଡ଼ି ରହିଛନ୍ତି । ଏହାପରେ କ୍ଲାନ୍ତ ହୋଇପଡ଼ିଥିବା ମାତା ପାର୍ବତୀ ଥକ୍କା ମେଣ୍ଟାଇବାକୁ ଏଇ ସ୍ଥାନରେ ବିଶ୍ରାମ ନେଇଥିଲେ । ଏହି ସମୟରେ ମହାପ୍ରଭୁ ମହାଦେବ କୈଳାସ ଛାଡ଼ି ମାତାଙ୍କୁ ଖୋଜି ଖୋଜି ଆସି ସେହି ସ୍ଥାନରେ ପହଞ୍ଚିଥିଲେ । ତେବେ ଦେଖିଲେ ମା ବିଶ୍ରାମ ନେଇଛନ୍ତି । ତେଣୁ ସେ ତାଙ୍କୁ ନ ଉଠାଇ ତାଙ୍କ ପାଦ ପାଖରେ ବସି ତାଙ୍କର ପଦସେବା କରିଥିଲେ । ଏହି ମନ୍ଦିରରେ ଏଭଳି ଏକ ସ୍ୱତନ୍ତ୍ର ମୂର୍ତ୍ତି ଦେଖିବାକୁ ମିଳେ । ଯେଉଁଥିରେ ମାତା ପାର୍ବତୀଙ୍କ ପାଦ ପାଖରେ ପ୍ରତୀକ ଭାବେ ରହିଛି ଏକ ଶିବଲିଙ୍ଗ ।
ବିନ୍ଦୁ ସାଗରରୁ ଲିଙ୍ଗରାଜ ମନ୍ଦିରକୁ ଗଲା ବେଳେ ପୁଷ୍କରିଣୀର ପ୍ରାୟ ୨୦ ମିଟର ଦୂରରେ ଡାହାଣ ପଟେ ପଡ଼େ ଏହି ଭବାନୀ ଶଙ୍କର ମନ୍ଦିର । ଜଣେ ସାଧକ ପ୍ରଥମେ ଏହି ମନ୍ଦିରକୁ ଠାବ କରିଥିଲେ । ସେ ବାଟ ଭୁଲି ଏଠାରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଏହା ପରେ ସାଧକ ଜଣକ ପ୍ରଥମେ ସେଠାରେ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ । ପରେ ଭବାନୀ ଶଙ୍କର ମୂର୍ତ୍ତି ଉଦ୍ଧାର ହୋଇଥିଲା । ଏବେବି ସେହି ସାଧକ ପରିବାର ତରଫରୁ ଉଭୟ ମନ୍ଦିର ପାଇଁ ବିରଳ ଦୁଦୁରା ଫୁଲ ପୂଜା ପାଇଁ ପଠା ଯାଉଛି । ଯାହା ଦେଖିବାକୁ ନାଲି ଓ ଧଳା ରଙ୍ଗର ।

DUDURA FLOWER
ଏହି ମନ୍ଦିର ପରିସରକୁ ଲାଗି ରହିଛି ପିତ୍ତ ଓ ବାଶକି ଏବଂ ଶୁଆଶାରୀ ମନ୍ଦିର । ଶୁଆଶାରୀ ମନ୍ଦିରର କାହାଣୀ ହେଉଛି, ପ୍ରଭୁ ଭୋଳାନାଥ ଓ ମାତା ପାର୍ବତୀ ସେଠାରେ ବିଶ୍ରାମ ନେବା ବେଳେ ବ୍ରହ୍ମଜ୍ଞାନ ଚର୍ଚ୍ଚା କରିଥିଲେ । ତାକୁ ସେଠାରେ ଥିବା ଶୁଆଶାରୀ ଲୁଚି ରହି ଶୁଣି ନେଇଥିଲେ । ସେମାନଙ୍କ ସ୍ମୃତିରେ କରାଯାଇଛି ଏହି ମନ୍ଦିର ।

ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.