Below header

ଜଳବାୟୁ ପରିବର୍ତ୍ତନ ହେତୁ ତରଳିବାରେ ଲାଗିଛି ବରଫ, ବୈଜ୍ଞାନିକଙ୍କୁ ଘାରୁଛି ଚିନ୍ତା

ଜଳବାୟୁ ପରିବର୍ତ୍ତନ ହେତୁ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ ବରଫ ତରଳିବାର ଗତି ତିନି ଦଶନ୍ଧି ଅପେକ୍ଷା ତିନି ଗୁଣ ବୃଦ୍ଧି ପାଇଛି । ଏହି କାରଣରୁ ସମୁଦ୍ରରେ ଜଳ ସ୍ତର ଦ୍ୱିଗୁଣିତ ହୋଇଛି ।

ମଣିଷ ପାଇଁ ହିଁ ପୃଥିବୀ ଦିନେ ନା ଦିନେ ଧ୍ୱଂସ ପାଇବ । ଏଭଳି କହିବାର କାରଣ ହେଉଛି ମଣିଷ ଯେଉଁଭଳି ଭାବେ ପୃଥିବୀକୁ ପ୍ରଦୂଷିତ କରୁଛି, ଏଥିପାଇଁ ଗ୍ଲୋବାଲ୍‌ ଓ୍ଵାର୍ମିଂ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଦେଖାଯାଉଛି । ତେବେ ଗ୍ଳେସିୟର ତରଳିବା କାରଣ ବି ମନ୍ୟୁଷ୍ୟକୃତ । ବୈଜ୍ଞାନିକଙ୍କ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ ବରଫ ତରଳିବାର ଗତି ତିନି ଦଶନ୍ଧି ଅପେକ୍ଷା ତିନି ଗୁଣ ବୃଦ୍ଧି ପାଇଛି । ଏହି କାରଣରୁ ସମୁଦ୍ରରେ ଜଳ ସ୍ତର ଦ୍ୱିଗୁଣିତ ହୋଇଛି । ତେବେ ଏହାକୁ ନେଇ ଆଜି ଆମେ କିଛି ବିଶେଷ କଥା ଜଣାଇବୁ । ଗ୍ରୀନଲ୍ୟାଣ୍ଡ ହେଉଛି ଆର୍କଟିକ୍ ମହାସାଗରର ଏକ ବଡ଼ ଅଞ୍ଚଳ ଏବଂ ବିଶ୍ୱର ସବୁଠାରୁ ବଡ ଦ୍ୱୀପ । କିନ୍ତୁ ଏଠାରେ ଥିବା ବରଫଗୁଡ଼ିକ କଳା ବରଫ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ତେବେ କଳା ବରଫ କଥା ଆପଣ ହୁଏତ କେବେ ଶୁଣି ନଥିବେ । କଳା ବରଫ ହେବା ପଛରେ ବି ମଣିଷ ଦାୟୀ ।

ଏକ ଅଧ୍ୟୟନ ଅନୁଯାୟୀ, ଗ୍ରୀନଲ୍ୟାଣ୍ଡ ୧୦୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗରମ ହେବାକୁ ଲାଗିଛି । ୨୦୧୯ ମସିହା ପର ଠାରୁ ବିଶ୍ୱର ଅନେକ ସମୁଦ୍ରର ଜଳ ସ୍ତର ବୃଦ୍ଧି ପାଇଛି । ଆର୍କଟିକ ତରଳିବା ଯୋଗୁଁ ଏପରି ହୋଇଛି ବୋଲି କୁହାଯାଉଛି । ଏହା ବ୍ୟତୀତ ଗ୍ରୀନଲ୍ୟାଣ୍ଡର ପେଟରମାନ୍ ଗ୍ଲେସିଅର୍ ମଧ୍ୟ ବର୍ତ୍ତମାନ ଫାଟିବାକୁ ଲାଗିଛି । ବୈଜ୍ଞାନିକମାନେ ଏବେ ଏହାକୁ ନେଇ ଚିନ୍ତିତ ଅଛନ୍ତି । ସମୁଦ୍ରର ନିକଟତମ ଅଞ୍ଚଳରେ ଥିବା ଗ୍ଲେସିୟର ଯୋଗୁଁ ଗ୍ରୀନଲ୍ୟାଣ୍ଡର ବରଫ ଗରମ ହେଉଛି । ଫଳରେ ଏହା ଖୁବ୍‌ ଶୀଘ୍ର ସମୁଦ୍ର ଜଳ ସହିତ ମିଶିଯାଇପାରେ ।

ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି ଯେ ଧଳା ବରଫ ଗୁଡ଼ିକ ଦ୍ରୁତ ଗତିରେ କଳା ବରଫ ସହିତ ମିଶିବାକୁ ଲାଗିଲେଣି । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କଳା ବରଫ ଶୀଘ୍ର ତରଳେ । କିନ୍ତୁ ଏହା ପଛର କାରଣ ହୁଏତ ଆପଣମାନେ ଜାଣି ନଥିବେ । ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱର ବଢୁଥିବା ତାପମାତ୍ରା ଯୋଗୁଁ ଗ୍ଲେସିୟର ତରଳିଯାଉଥିବାରୁ ଏହି ଅଞ୍ଚଳରେ ପଥର ଏବଂ ଧୂଳିର ସ୍ତର ବଢ଼ିଯାଇଛି । ଫଳରେ ଏଠାକାର ଧଳା ବରଫ ଧିରେ ଧିରେ କଳା ବରଫରେ ପରିଣତ ହେଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ହିମାଳୟରୁ ଆଣ୍ଟାର୍କଟିକା ପର୍ଯ୍ୟନ୍ତ କଳା ବରଫ ବୃଦ୍ଧି ପାଉଛି । ଅଧିକାଂଶ ସ୍ଥାନରେ ସମତଳ ଅଞ୍ଚଳରୁ ଧୂଳି ଉଠିବା, ଜଙ୍ଗଲ ନିଆଁରୁ ଧୂଆଁ ବାହାରିବା, ଶିଳ୍ପ ଏବଂ ଡିଜେଲ ଇଞ୍ଜିନରୁ ବାହାରୁଥିବା କଳା ଅଙ୍ଗାରକାମ୍ଳର କ୍ଷୁଦ୍ର କଣିକା ମଧ୍ୟ ହଜାରେ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ଗ୍ଲେସିୟରରେ ଧଳା ବରଫକୁ କଳା ବରଫରେ ପରିଣତ କରୁଛି ।

ସୂଚନା ଅନୁସାରେ ଆଣ୍ଟାର୍କଟିକାରେ ୧୯୭୦ ଦଶକ ମଧ୍ୟରେ ସମୁଦ୍ର ବରଫ ପ୍ରତି ୧୦ ବର୍ଷରେ ଏକ ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ ବୈଜ୍ଞାନିକଙ୍କ ଅନୁଯାୟୀ ଗତ ବର୍ଷ ଅପେକ୍ଷା ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବନିମ୍ନ ସ୍ତରରେ ଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ୧୯୭୦ ରୁ ୨୦୨୧ ମଧ୍ୟରେ ଆର୍କଟିକ୍ ପୂରା ବିଶ୍ୱର ଚାରି ଗୁଣ ଅଧିକ ଦ୍ରୁତ ଗତିରେ ଗରମ ହୋଇଛି । ସେଥିପାଇଁ ଗ୍ରୀନଲ୍ୟାଣ୍ଡରେ ବିଶ୍ୱର ଏକ ତୃତୀୟାଂଶ ବରଫ ତରଳି ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.