Below header

ଏଥର ଜମିବ ଛାଡ଼ଖାଇ, ଟନ୍‌ ଟନ୍‌ ମାଛ ଆଉ ହଜାର ହଜାର ଛେଳି ହୋଇଛି ବରାଦ, ବୁଧବାରରେ ପଡୁଛି ନା କିଏ ବା ଛାଡ଼ିବ !

ଅରୁଆ ଓ ବିନା ପିଆଜ ରସୁଣ ଖାଇ ଖାଇ ୟା ଭିତରେ ବେଶ୍‌ କିଛି ଲୋକ ନୟାନ୍ତ ହୋଇଗଲେଣି । କାର୍ତ୍ତିକ ମାସ ସାରା ତ କିଛି ଲୋକ ଅରୁଆ ଖାଆନ୍ତି ତା ସହିତ ଆଉ କିଛି କେବଳ ପଞ୍ଚୁକ ପାଞ୍ଚ ଦିନ ହିବଷ୍ୟାନ୍ନ ଖାଇ ପାଳିଥାନ୍ତି । ତେବେ ନିରାମିଷ ଖାଉଥିବା ଲୋକଙ୍କୁ ସିନା ଏହା ବେଶି ଫରକ ପଡ଼େନି କିନ୍ତୁ ଆମିଷାସୀଙ୍କ ପାଟିତ ଆମ୍ବିଳା ହୋଇ ଗଲାଣି । ହେଲେ କାର୍ତ୍ତିକ ସରିଲା ଆଉ ଆଜି ପୂର୍ଣ୍ଣିମା ପରେ କାଲିକୁ ଛାଡ଼ଖାଇ । ଏଥର ଛାଡ଼ଖାଇ ପଡୁଛି ବୁଧବାର । ଏକଦମ ଆମିଷ ବାରି । ଏକଥା ବି ସ୍ପଷ୍ଟ ଯେ ତା ପରଦିନ ମାର୍ଗଶିର ଗୁରୁବାର । ତେଣୁ ବୁଧବାର ଦିନଟି ସବୁ ଦୃଷ୍ଟିର ଖାଦ୍ୟପ୍ରିୟ ତଥା ଆମିଷ ଲୋଭୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏସବୁ ବାଦ୍‌ ଆଜି ଚନ୍ଦ୍ର ଗ୍ରହଣ ପାଇଁ ଅନେକ ଉପବାସରେ ଥିବେ । ଖାଲି କେମିତି ରାତି ପାହିବ ଓ ସକାଳ ହେଲା ମାତ୍ରେ ମଟନ୍‌, ଚିକେନ୍‌ କିମ୍ବା ମାଛ ଦୋକାନରେ ଭିଡ଼ ଲଗାଇବେ ଲୋକେ । ଏଥିପାଇଁ ଅବଶ୍ୟ ଆଜିଠୁ ପ୍ରସ୍ତୁତି ହୋଇ ସାରିଲାଣି । କାଲି କଣ ଆସିବ ସ୍ଥିର ହୋଇ ସାରିଛି । ଖାଲି ରୋଷେଇ ପାଇଁ ଅପେକ୍ଷା । କିଛି ଲୋକ ତ ଆଲୋଚନା କରୁଛନ୍ତି, ଏ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର ଛୁଟି ନକରି ଛାଡ଼ଖାଇରେ ଛୁଟି କରିଦେବା ଉଚିତ । କାରଣ ମଣିଷ ଟିକେ ଭଲରେ ଖାଇ ପିଇ ବିଶ୍ରାମ ନେବ ।

ସେପଟେ ଆମିଷ ବେପାରୀମାନେ ବି ପ୍ରସ୍ତୁତ । ସେମାନଙ୍କର ପ୍ରସ୍ତୁତି ବହୁ ଆଗରୁ । ବୁଧବାରକୁ ଦେଖି କେତେ ଛେଳି ଆସିବେ କେତେ କୁକୁଡ଼ା ମଗାଯିବ ଏବଂ କେଉଁ କେଉଁ ମାଛ ଆଣିଲେ ଲୋକେ ପସନ୍ଦ କରିବେ ତାକୁ ଆଗୁଆ ବରାଦ ଦେଇ ସାରିଛନ୍ତି ବ୍ୟବସାୟୀମାନେ । ତେବେ ଛାଡ଼ଖାଇରେ ଟିକେ ରେଟ୍‌ ଅଧିକ ରହିବ । ତଥାପି ଲୋକଙ୍କୁ ପରଓ୍ଵା ନାହିଁ । ଯଦି କାର୍ତ୍ତିକ ମାସ ସାରା ଚଢ଼ା ରେଟ୍‌ରେ ପରିବା କିଣି ଖାଇଲୁ ତେବେ ଗୋଟେ ଦିନ ପାଇଁ ଅଧିକ ପଇସା ଦେଇ ଆମିଷ କାହିଁକି ଖାଇବୁ ନାହିଁ ? ଏଇ ଉତ୍ତର ମିଳିଲା ଆମିଷ ପ୍ରିୟଙ୍କ ଠାରୁ । ଅବଶ୍ୟ ଗରିବ ଲୋକଙ୍କ ପାଇଁ ଅଣ୍ଡା, ଶୁଖୁଆରେ ଦିନଟା ଚଳିଯିବ ।

ସେହିପରି ନିରାମିଷ ଲୋକଙ୍କ ପାଇଁ ଡିମାଣ୍ଡରେ ଥିବା ଫୁଲକୋବି ଏବଂ ଛତୁର ପରିମାଣ ବଜାରରେ ବଢ଼ି ଯାଇଛି । ଛୋଟରୁ ବଡ଼ ବିଭିନ୍ନ ହୋଟେଲରେ ମଧ୍ୟ ସ୍ୱତନ୍ତ୍ର ଛାଡ଼ଖାଇ ପ୍ୟାକେଜ ଘୋଷଣା କରାଯାଇଛି । ସିଙ୍ଗଲ ପାଇଁ ଅଲଗା ରେଟ୍‌ ଆଉ ଫ୍ୟାମିଲୀ ପାଇଁ ଭିନ୍ନ ଦାମ୍‌ ରହିଛି ।

ଆମର ପ୍ରତ୍ୟେକ ପର୍ବପର୍ବାଣୀ ହୁଏତ କୃଷି ଭିତ୍ତିକ କିମ୍ବା ବାଣିଜ୍ୟ ଓ ମନୋରଞ୍ଜନ ସହିତ ଜଡ଼ିତ । ତେଣୁ ଗବେଷକ କୁହନ୍ତି ତା ଭିତରୁ ଛାଡ଼ଖାଇ ବି ବାଦ୍‌ ପଡ଼ି ନାହିଁ । କୁହାଯାଏ କି କାର୍ତ୍ତିକ ପରେ ମାର୍ଗଶିର ମାସରେ ପବନର ଗତି ବଦଳିଯାଏ । ତେଣୁ ସମୁଦ୍ରରେ ଅନ୍ୟ ଦେଶକୁ ବାଣିଜ୍ୟ କରିବାକୁ ଯାଉଥିବା ସାଧବମାନେ ଏହି ସମୟରେ ସେମାନଙ୍କ ଯାତ୍ରା ଆରମ୍ଭ କରନ୍ତି । ସେହିପରି ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ସମୁଦ୍ର ଓ ନଦୀ ଭିତରକୁ ଯାଇଥାନ୍ତି । ସାଧବ ପୁଅଙ୍କୁ ମେଲାଣି ଦେବା ପୂର୍ବରୁ ବଡ଼ ଭୋଜିର ଆୟୋଜନ କରାଯାଉଥିଲା । ଯେଉଁଥିରେ ଆମିଷ ଖାଦ୍ୟ ମଧ୍ୟ ରହୁଥିଲା । ତେଣୁ ଠିକ୍‌ କାର୍ତ୍ତିକ ମାସ ସରିଲେ ତା ପରଦିନ ଛାଡ଼ଖାଇ କରି ଲୋକେ ଆମିଷ ଭୋଜନ କରୁଥିଲେ ।

ଛାଡ଼ଖାଇ ଅର୍ଥ ହେଉଛି, ଛାଡ଼ିବା ପରେ ପୁଣି ଖାଇବା । କାର୍ତ୍ତିକ ମାସଟି ପୂରାପୂରି ଆମିଷ ତ୍ୟାଗ କରିବା ପରେ ଛାଡ଼ଖାଇ ଦିନ ପୁଣି ଆମିଷ ଖିଆଯାଏ । ତେଣୁ ଏହାକୁ ଛାଡ଼ଖାଇ ବୋଲି ନାମ ଦିଆଯାଇଛି । ୠତୁ ଅନୁସାରେ ଏହି ସମୟରେ ଆମିଷ ଖାଇବା ଭଲ ବୋଲି ମଧ୍ୟ ବିଶେଷଜ୍ଞ କୁହନ୍ତି ।

ହେଲେ ଏକଥା ବି ସତ ଯେ ଆଗ ଭଳି ଆଉ ଏତେ ଧର୍ମକର୍ମ କରି ପୂରା ମାସକ ଯାକ ହବିଷ୍ୟାନ୍ନ ଖାଇବା ଲୋକ ଖୁବ୍‌ କମ୍‌ ଅଛନ୍ତି । ତଥାପି ଯଦି ପଞ୍ଚୁକ ପାଞ୍ଚ ଦିନ ବି କେହି ପାଳୁଛନ୍ତି ସେଥିରେ ଆମିଷ ଖାଇବାକୁ ଏମିତି ହୁଅନ୍ତି ଯେ ଯେମିତି ଛାଡ଼ଖାଇଦିନ ଗୋଟା ଛେଳିକୁ ଗିଳି ଯିବେ । ଯଦି ଆପଣ ସେହିଦିନ ଆମିଷ ଦୋକାନ ଆଗରେ ଧାଡ଼ି ଲଗାଇଥିବା ଲୋକଙ୍କ ହାବଭାବକୁ ଦେଖିବେ ଜାଣି ପାରିବେ ଆମିଷର ଲୋଭ କେମିତି ସେମାନଙ୍କୁ ଘାରିଛି । ସେହିଭଳି ପିଆଜ ରସୁଣ ଛାଡ଼ିଥିବା ଲୋକେ ମଧ୍ୟ ଏମିତି ହାଇଁପାଇଁ ହୁଅନ୍ତି ହେଲେ ଟିକେ କମ୍‌ । ତେବେ ଇଏ ତ ଖାଦ୍ୟର କଥା । କଥାରେ ଅଛି ‘ଆପ ରୁଚି ଖାନା ପର ରୁଚି ପେହନ୍‌ନା’ା ତେଣୁ ଆମିଷ ହେଉ କି ନିରାମିଷ ସମସ୍ତେ ନିଜ ଇଚ୍ଛା ଓ ସ୍ୱାଧୀନତାରେ ଖାଇ ପାରିବେ । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ପରେ ଛାଡ଼ଖାଇ ପାଇଁ ସମସ୍ତଙ୍କୁ ଆମର ଶୁଭେଚ୍ଛା । ନିଜେ ଖାଆନ୍ତୁ ଓ ଅନ୍ୟକୁ ବି ଖୁଆନ୍ତୁ ଆଉ ଖୁସିରେ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.