ଆଇଏସ୍‌ଆଇ ମାୟାଜାଲରେ ଭାରତ, ରଣନୀତି ବଦଳାଇ କରୁଛି ଛାୟାଯୁଦ୍ଧ

ପାକିସ୍ତାନର ଗୋଇନ୍ଦା ବିଭାଗ ଆଇଏସ୍‌ଆଇ ବା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ । ଖୁବ୍‌ ଚକମା ଦେଇଛି ଭାରତୀୟ ସେନା ଓ କଶ୍ମୀର ପୋଲିସ୍‌କୁ । ସେଥିଲାଗୁ ହିଂସା ଥମୁ ନାହିଁ କଶ୍ମୀର ଉପତ୍ୟକାରେ । କୌଶଳ କରି ସ୍ଥାନୀୟ ଇନଫର୍ମରକୁ ହତ୍ୟା କରିବା ସହ ନିଜର ତାକତ୍‌ ବଢ଼ାଇ ଚାଲିଛି । ଗତ କିଛି ବର୍ଷ ଧରି ରଣକୌଶଳ ବଦଳାଇ ଚଳାଇଛି ଅଭିନବ ଛାୟାଯୁଦ୍ଧ । ଫେବ୍ରୁଆରୀ ୧୪ ତାରିଖ ପୁଲଓ୍ଵାମା ଆକ୍ରମଣ ଘଟଣା ପରେ ଧୀରେ ଧୀରେ ଖୋଲୁଛି ଏହାର ରହସ୍ୟ । ଏକସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧ରୁ ୨୦୧୩ ମଧ୍ୟରେ ଜମ୍ମୁ କାଶ୍ମୀର ସବୁଠାରୁ ଅଧିକ ଶାନ୍ତ ଥିଲା । ହେଲେ ପ୍ରକୃତରେ ଏହି ସମୟରେ ଆଇଏସ୍‌ଆଇ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ଦେଉଥିଲା ନୂଆ ରୂପ । ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦ ସଂଗଠନରେ ସାମିଲ କରି ନୂଆ ରଣନୀତିରେ ତାଲିମ ଦେଉଥିଲା । ଏପଟେ ଘାଟି ଅଞ୍ଚଳରେ ଭାରତୀୟ ସେନା ଓ ପୋଲିସ୍‌ର ଇନଫର୍ମରମାନଙ୍କୁ ମାରି ଚାଲିଥିଲା । ଫଳରେ ଭାରତୀୟଙ୍କୁ ମିଳି ପାରୁନାହିଁ ସଠିକ ଖବର । ଆହୁରି ମଧ୍ୟ ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀମାନଙ୍କ ନାଁ ଓ ସେମାନଙ୍କ କ୍ୟାଡର ସମ୍ପର୍କରେ ମଧ୍ୟ ମିଥ୍ୟା ପ୍ରଚାର କରାଯାଉଛି । ଯାହାଫଳରେ ବିଭ୍ରାନ୍ତିର ଶିକାର ହେଉଛି ଭାରତୀୟ ସେନା ।

INDIA-PAK BORDER-3
ଉଦାହରଣ ସ୍ୱରୂପ, ପୁଲଓ୍ଵାମାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆଦିଲ ଅହମଦ ଦର ଜୈସ୍‌-ଇ-ମହମ୍ମଦ ସଂଗଠନର ଜଣେ ସି-ଗ୍ରେଡ୍‌ ଆତଙ୍କବାଦୀ ବୋଲି ଜାଣିଥିଲା ଭାରତୀୟ ସେନା । ଏତେ ବିପଜ୍ଜନକ ନଥିଲା ବୋଲି ସୂଚନା ବି ଥିଲା । ହେଲେ ସେହି ଯୁବକ ଜଣକ କାର୍‌ରେ ଏତେ ପରିମାଣର ଆରଡିଏକ୍ସ ନେଇ ସିଆରପିଏଫ୍‌ ଯବାନଙ୍କ ବସ୍‌କୁ ବିସ୍ଫୋରଣ କରି ଉଡ଼ାଇ ଦେଇ ପାରିଲା ।
ଠିକ୍‌ ସେହିଭଳି ଫେବ୍ରୁଆରୀ ୧୪ ଘଟଣା ପରେ ଯେଉଁ ଦୁଇଜଣ ବଡ଼ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ୍‌ ମାରିଲେ ସେମାନଙ୍କ ପରିଚୟକୁ ନେଇ ପଡ଼ିଲେ ହରଡ଼ଘଣାରେ । ଅବଦୁଲ ରସିଦ ଗାଜି, କାମରାନ୍‌ ଓ ଫରହାଦ ଏମିତି ଅନେକ ନାଁ ଆସିଲା । ହେଲେ ଜଣାପଡ଼ିଛି ଯେ ଆଇଏସ୍‌ଆଇ ଏମାନଙ୍କର ନାଁ ବଦଳାଇ ଭାରତୀୟ ସେନାଙ୍କ ଇନଫର୍ମରଙ୍କୁ ଭୁଲ ସୂଚନା ପହଞ୍ଚାଉଛି ।

ADIL-2ଏକ ହିସାବ ଅନୁଯାୟୀ, ଗତ ତିନି ବର୍ଷ ଭିତରେ ପାକିସ୍ତାନ ସେନା ଓ ଆଇଏସ୍‌ଆଇ ସମର୍ଥିତ ଆତଙ୍କବାଦୀମାନେ ୧୮୦ ଜଣ କଶ୍ମୀର ନାଗରିକଙ୍କୁ ହତ୍ୟା କରିଛନ୍ତି । ଏଥିରେ ଅନେକ ରହିଛନ୍ତି ଭାରତୀୟ ସେନାର ଇନଫର୍ମର । ଯାହାଫଳରେ ସେନାର ଗୋଇନ୍ଦା ସୂତ୍ର ଦୁର୍ବଳ ହୋଇଛି । ସେହିଭଳି ପାକ୍‌ ପଟୁ ଯେତିକି ଆତଙ୍କବାଦୀ ଅନୁପ୍ରବେଶ କରି ଭାରତୀୟ ସେନା ହାତରେ ମରିଛନ୍ତି ସେହି ଅନୁପାତରେ ରାଜ୍ୟ ଭିତରେ ମଧ୍ୟ ତାଠାରୁ ଆତଙ୍କବାଦୀ ରହିଛନ୍ତି । ଏହା କେମିତି ଘଟିଲା ତାହା ବି ଭାରତୀୟ ସେନାକୁ ଆଶ୍ଚର୍ଯ୍ୟ କରିଛି । ଯାହା ଜଣାପଡ଼ିଛି, ଜାଣିଶୁଣି ପାକିସ୍ତାନ ଭୁଲ ତଥ୍ୟ ସବୁ ଭାରତୀୟ ସେନା ପାଖରେ ପହଞ୍ଚାଉଛି । ଏସବୁ କରିବା ସହ କଶ୍ମୀରରେ ଅଧିକରୁ ଅଧିକ ଲୋକଙ୍କୁ ଆତଙ୍କବାଦୀ ବନାଇ ସେମାନଙ୍କୁ ତାଲିମ ଦେଇ ଚାଲିଛି । ଫଳରେ ଘାଟିରେ ଥମୁ ନାହିଁ ଆତଙ୍କ ।

TERRORIST-7ପାର୍ଲିଆମେଣ୍ଟ ଆକ୍ରମଣ ପରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଫାଶି ଦିଆଯାଇଥିଲା । ଏହା ପରେ ଆଇଏସ୍‌ଆଇ ଓ ପାକ୍‌ ସେନା ସେମାନଙ୍କ ରଣକୌଶଳରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କିଛି ବରିଷ୍ଠ ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ଜଣାପଡ଼ିଛି । ସେମାନେ ନିର୍ଦ୍ଦିଷ୍ଟ ଭାବେ ଭାରତୀୟ ଇନଫର୍ମରଙ୍କୁ ଟାର୍ଗେଟ୍‌ କରିବା ସହ ମିଥ୍ୟା ଖବର ଦେଇ ଭୁଆଁ ବୁଲାଇଛନ୍ତି । ଯାହାଫଳରେ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଭୟଙ୍କର କାଣ୍ଡ ।
ତେଣୁ ଏବେ ସମୟ ଆସିଛି, ଭାରତୀୟ ସେନା ତାର ରଣନୀତି ମଧ୍ୟ ସେହି ଅନୁସାରେ ବଦଳାଇବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.