କରୋନା ଟିକାର ସାଇଡ୍‌ ଇଫେକ୍ଟ ନେଇ ରହିଥିବା ଭୁଲ ଧାରଣା ଦୂର କରନ୍ତୁ

କରୋନା ଭାଇରସ୍‌କୁ ରୋକିବ ଟିକା ବା ଭ୍ୟାକସିନ । ଏଇ ବିଶ୍ୱାସରେ ଏବେ ସାରା ଦେଶରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି । ତେବେ ଲୋକଙ୍କ ଭିତରେ କିଛି ଭ୍ରମାତ୍ମକ କଥା ମଧ୍ୟ ପ୍ରଚାରିତ ହେଉଛି । ଯେମିତିକି ଟିକାର ପାର୍ଶ୍ୱପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ । ଅବଶ୍ୟ ଦେଖା ଯାଇଛି ଯେ କିଛି ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଉଥିବା ବେଳେ ଅନେକ ଲୋକଙ୍କ ଠାରେ କୌଣସି ବି ପ୍ରତିକ୍ରିୟା ଦେଖିବାକୁ ପିଳି ନାହିଁ । ଲୋକଙ୍କ ଭିତରେ ଏକ ଧାରଣା ରହିଛି ଯେ ପାର୍ଶ୍ୱପ୍ରତିକ୍ରିୟା ଦେଖା ନକଲେ ଟିକା ଆମ ଶରୀରରେ କାମ କରିବ ନାହିଁ । ଆସନ୍ତୁ ଜାଣିବା ଏ ନେଇ କଣ କହୁଛନ୍ତି ବିଶେଷଜ୍ଞମାନେ ।

ପାର୍ଶ୍ୱପ୍ରତିକ୍ରିୟା କଣ ହୁଏ

ଟିକାକରଣ ପୂର୍ବରୁ ଓ ଏବେ ମଧ୍ୟ କୁହାଯାଉଛି ଯେ ଟିକା ଲଗାଇବା ପରେ ଟିକା ଜାଗାଟି ବଥା ହେବା, କାହାର ବାନ୍ତି, ଜ୍ୱର, ମୁଣ୍ଡବିନ୍ଧା, ହାଲିଆ ଲାଗିବା ଆଦି ଲକ୍ଷଣ ଦେଖାଯାଏ । ତେବେ ଏଥିରେ ଡରିବା ଉଚିତ ନୁହେଁ । ଏହା ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତିତନ୍ତ୍ରଗୁଡ଼ିକ ସକ୍ରିୟ ହୋଇ ଉଠନ୍ତି ।

ପ୍ରତ୍ୟେକ ଭ୍ୟାକସିନ୍‌ ଭଳି କରୋନା ଟିକାର ମଧ୍ୟ ସାଇଡ୍‌ ଇଫେକ୍ଟ ରହିଛି । ତେବେ ଏହା ବେଶି ସମୟ ରହେ ନାହିଁ । ଅତି ବେଶିରେ ଦିନେ ଦୁଇ ଦିନ ଜ୍ୱର କିମ୍ବା ମୁଣ୍ଡବିନ୍ଧା ଓ ବାନ୍ତି ଆଦି ହୁଏ । ଏଥିରେ କିନ୍ତୁ କୌଣସି ଭୟ ନଥାଏ ।

ଭୁଲ ଧାରଣା ଦୂର କରନ୍ତୁ

ସବୁଠାରୁ ବଡ଼ କଥା ହେଉଛି ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଲେ ହିଁ ଟିକା ଦେହରେ କାମ କରୁଛି ବୋଲି ଯେଉଁ ଭୁଲ ଧାରଣା ରହିଛି ତାକୁ ସମସ୍ତେ ଦୂର କରିଦେବା ଉଚିତ । ସମସ୍ତଙ୍କ ଶରୀର ସମାନ ନୁହେଁ । ତେଣୁ ଅନେକଙ୍କ ଠାରେ ପ୍ରତିକ୍ରିୟା ଦେଖା ନଗଲେ ମଧ୍ୟ ତାଙ୍କ ଦେହରେ ଟିକା ସମାନ ଭାବେ କାମ କରିଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେଣୁ ମନରେ କୌଣସି ଶଙ୍କା ନରଖି ଟିକା ନିଅନ୍ତୁ ଏବଂ ପୂର୍ବ ପରି ସତର୍କ ରୁହନ୍ତୁ ।

ବିଶେଷଜ୍ଞଙ୍କ କହିବା କଥା ଯାଞ୍ଚରୁ ଜଣାପଡ଼ିଛି ଯେ ଫାଇଜର ଭ୍ୟାକସିନ ଟ୍ରାଲ୍‌ ବେଳେ ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ଠାରେ ପାର୍ଶ୍ୱପ୍ରତିକ୍ରିୟା ଦେଖା ଗଲା ନାହିଁ। କାରଣ ସେମାନଙ୍କ ଶରୀରରେ କରୋନା ଭାଇରସ୍‌ ସହ ଲଢ଼ିବାର ଶକ୍ତି ତିଆରି ହୋଇ ସାରିଥିଲା ।
ସୂଚନା ଅନୁସାରେ ଲୋକଙ୍କୁ ଦିଆଯାଉଥିବା ଟିକାରେ ସ୍ପାଇକ୍‌ ପ୍ରୋଟିନ୍‌ ନାମକ ଏକ ଭାଇରାଲ ପ୍ରୋଟିନ୍‌ ରହିଥାଏ । ଯାହା କରୋନା ଭାଇରସ୍‌ର ବାହାର ଭାଗ ଉପରେ ଥାଏ । ଟିକାରେ ଥିବା ସ୍ପାଇକ୍‌ ପ୍ରୋଟିନ୍‌ କରୋନା ଭାଇରସ୍‌ର ନକଲ କରି ଶରୀରରେ ଥିବା ରୋଗ ପ୍ରତିରୋଧକ ତନ୍ତ୍ରିଗୁଡ଼ିକୁ ସକ୍ରିୟ କରିଥାଏ । ତେଣୁ ଏହା ପ୍ରତ୍ୟେକ ବ୍ୟକ୍ତି ଦେହରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ କରୋନା ଭାଇରସ୍‌ ସହ ଲଢ଼ିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.