ବୟସର ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଇଚ୍ଛା , ଅପେକ୍ଷାରେ ବାଲ୍ୟବନ୍ଧୁ ଗୌରୀ

ମହାମହିମ ରାଷ୍ଟ୍ରପତିଙ୍କ ବାଲ୍ୟବନ୍ଧୁ ଭାବେ ଟିକେ ଭେଟିବାକୁ ଇଛା ପ୍ରକାଶ କରିଛନ୍ତି ବେଗୁନିଆ ବ୍ଲକ ଦୁର୍ଗାପୁର ଗାଁର ପରିଣତ ବୟସରେ ପହଞ୍ଚିଥିବା ଗୌରୀ ମଲ୍ଲିକ । ଏନେଇ ପ୍ରଶାସନକୁ କରିଛନ୍ତି ନିବେଦନ ।

ବୟସ ହୋଇଗଲାଣି ଆଖିକୁ ଆଉ ଭଲରେ ଦିଶୁନି । କିନ୍ତୁ ମନରେ ଏବେବି ତାଙ୍କର ଆଶା ବିଶ୍ୱାସ ରହିଛି ରାଷ୍ଟ୍ରପତିଙ୍କୁ ଭେଟିବେ । କାରଣ ରାଷ୍ଟ୍ରପତି ମୁର୍ମୁ ଦିନେ ଏହି ବୃଦ୍ଧାଙ୍କର ସହପାଠୀ ଥିଲେ । ଯାହାଙ୍କ ସହ ପିଲାବେଳେ ହାତ ଧରି ଖେଳୁଥିଲେ ସେ ଆଜି ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ମନରେ ପ୍ରବଳ ଆଗ୍ରହ ଆସେ କିନ୍ତୁ ତାଙ୍କୁ ଭେଟିବା ସହଜ ନୁହେଁ । ନିଜ ବେଦନାକୁ କାହା ଆଗରେ ବା କହିବେ ।

ପିଲା ବେଳର ସହପାଠୀ ଏବେ ହେଉଛନ୍ତି ଦେଶର ସର୍ବୋଚ୍ଚ ପଦବୀରେ ଅଭିହିତ । ରାଷ୍ଟ୍ରପତିଙ୍କ ସହ ଇଚ୍ଛା ହୁଏ ଟିକେ ଭେଟିବାକୁ ହେଲେ ସୁରକ୍ଷା ବଳୟ ଭିତରେ ପ୍ରାୟତଃ ଦେଖା କରିବା ଅସମ୍ଭବ । ତେବେ ମହାମହିମ ରାଷ୍ଟ୍ରପତିଙ୍କ ବାଲ୍ୟବନ୍ଧୁ ଭାବେ ଟିକେ ଭେଟିବାକୁ ଇଛା ପ୍ରକାଶ କରିଛନ୍ତି ବେଗୁନିଆ ବ୍ଲକ ଦୁର୍ଗାପୁର ଗାଁର ପରିଣତ ବୟସରେ ପହଞ୍ଚିଥିବା ଗୌରୀ ମଲ୍ଲିକ । ଏନେଇ ପ୍ରଶାସନକୁ କରିଛନ୍ତି ନିବେଦନ ।

ବେଗୁନିଆ ବ୍ଲକ ଦୁର୍ଗାପୁର ଗାଁର ଗୌରୀ ମଲ୍ଲିକଙ୍କୁ ବୟସ ପାଖାପାଖି ୭୦ ହେବ । ବୟସର ଅପରାହ୍ନରେ ଏକ ଖୁସି ଖବର ପାଇଲେ ତାଙ୍କର ପିଲାବେଳର ସହପାଠୀ ଏବେ ଦେଶର ସର୍ବୋଚ୍ଚ ପଦବୀ ଧାରୀ ମହାମହିମ ରାଷ୍ଟ୍ରପତି । ତେବେ ଏକଥା ଜାଣିବା ପରେ ତାଙ୍କର ଖୁସି କହିଲେ ନ ସରେ । ହେଲେ ଇଚ୍ଛା ଟିକେ ଭେଟିବାକୁ । ପିଲାବେଳରେ ଭୁବନେଶ୍ବର ଏକ ଆଦିବାସୀ ଛାତ୍ରାବାସରେ ଉଭୟେ ଚାରିବର୍ଷ କାଳ ଏକାଠି ଖାଇଛନ୍ତି, ଏକାଠି ଖେଳିଛନ୍ତି ଏକାଠି ଶୋଇଛନ୍ତି । ଏପରି ଏକ ଅଭୁଲା ସ୍ମୃତିକୁ ବଖାଣିଛନ୍ତି ମହାମହିମ ରାଷ୍ଟ୍ରପତିଙ୍କ ବାଲ୍ୟବନ୍ଧୁ ଗୌରୀ ମଲ୍ଲିକ ।

ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ସାମନ୍ତାପୁର ଗାଁର ଗୌରୀ ୧୯୭୧ ମସିହାରେ ସପ୍ତମ ଶ୍ରେଣୀ ପରେ ଭୁବନେଶ୍ୱର ଏକ ଆଦିବାସୀ ସ୍କୁଲରେ ପାଠପଢୁଥିଲେ । ଆଉ ସେ ସମୟରେ ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସେଠାରେ ପାଠ ପଢୁଥିଲେ । ଉଭୟେ ଏକାଠି ଗୋଟିଏ ହଷ୍ଟେଲରେ ରହୁଥିବା ବେଳେ ଭଲ ବନ୍ଧୁ ଥିଲେ । ପରବର୍ତ୍ତୀ ସମୟରେ ୧୯୭୪ ମସିହାରେ ଏକାଦଶ ପାଠପଢା ଶେଷ ହେବା ପରେ ଫେରିଆସିଥିଲେ ଗାଁକୁ । ସମ୍ପର୍କର ଦୂରତା ବଢିଯାଇଥିଲା । ସମୟର ଚକରେ ଗୌରୀ ବିବାହ କରି ସାଂସାରିକ ଜଞ୍ଜାଳରେ ବ୍ୟସ୍ତ ରହୁ ରହୁ ହଠାତ୍ ତାଙ୍କର ସହପାଠିନୀଙ୍କୁ ଦେଖିବାକୁ ପାଇଲେ ସର୍ବୋଚ୍ଚ ପଦବୀରେ ଆଉ ଦେଖିଲା ପରେ ମନ ବ୍ୟାକୁଳ ହୋଇଥିଲା ତାଙ୍କୁ ଟିକେ ଦେଖିବାକୁ । ଏହା ଭିତରେ ମହାମହିମ ରାଜ୍ୟପାଳ ପଦବୀ ଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ପହଞ୍ଚି ଅନେକ ଥର ଓଡିଶା ଆସିଲେଣି ହେଲେ ଥରୁଟିଏ ସୁଯୋଗ ମିଳୁନାହିଁ ଦେଖା କରିବାକୁ । କିନ୍ତୁ ମହାମହିମ ପିଲାବେଳର ବନ୍ଧୁଙ୍କୁ ଖୋଜୁଥିବା କଥା ମଧ୍ୟ ବିଭିନ୍ନ ଗଣମାଧ୍ୟମରୁ ସୂଚନା ମିଳୁଛି । ଏବେ ପୁଣି ମହାମହିମ ରାଷ୍ଟ୍ରପତି ଓଡିଶା ଆସିଛନ୍ତି । ଏହି ସମୟରେ ଟିକେ ଦେଖାକରିବାକୁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗୌରୀଙ୍କ ସହିତ ଗ୍ରାମବାସୀ ।

ତେବେ କୃଷ୍ଣ ସୁଦାମାଙ୍କ ଭେଟ ପରି ପରିଣତ ବୟସରେ ଯଦି ଗୌରୀଙ୍କ ଇଛା ପୂରଣ ହେବ ତେବେ ସେ ବହୁତ ଖୁସି ହୁଅନ୍ତେ । ଦେଖାଯାଉ ଏଥର ତାଙ୍କ ଇଚ୍ଛା ପୂରଣ ହେଉଛି କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.