Below header

ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ ? ନିୟମ ନମାନିଲେ ପ୍ରବେଶ ମନା

ଧାର୍ମିକ ସ୍ଥଳରେ ମର୍ଯ୍ୟାଦା ରକ୍ଷା କରିବାକୁ ଡ୍ରେସ୍ କୋର୍ଡ ଜରୁରୀ । ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ପୋଷାକ ଉପରେ ଲାଗିଲା କଟକଣା । ଏଣିକି ଶ୍ରଦ୍ଧାଳୁ ପିନ୍ଧି ପାରିବେ ନାହିଁ ଶାଳୀନତା ନଥିବା ପୋଷାକ । ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା । ଚିରା ଫଟା ଜିନ୍ସ, ସ୍ଲିଭ ଲେସ୍ ପୋଷାକ, ହାଫ ପ୍ୟାଣ୍ଟ ପିନ୍ଧିଥିଲେ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । କେବଳ ୧୨ ବର୍ଷରୁ କମ୍ ପିଲାଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧି ଯିବାକୁ ଅନୁମତି ଦିଆଯିବ ।

ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଅଶାଳୀନ ପୋଷାକ ପରିଧାନ ନ କରି ଯେଭଳି ମାର୍ଜିତ ତଥା ପାରମ୍ପରିକ ପୋଷାକ ପରିଧାନ କରି ଆସିବେ, ତାଉପରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଆଜିଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିୟମ କଡାକଡି ହେବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏନେଇ କଡା ଚେକିଂ କରାଯିବ ।

ଚେକିଂ କରିବେ ଜେଟିପି ଓ ପ୍ରତିହାରୀ ସେବକ:

ଏହି ଚେକିଂ କରିବେ ଜେଟିପି ଓ ପ୍ରତିହାରୀ ସେବକ । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡାଯିବ । ସମୁଦ୍ର କୂଳକୁ ଯେଭଳି ଡ୍ରେସ ପିନ୍ଧି ଯାଉଛନ୍ତି ସେଭଳି ଡ୍ରେସ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଚିରା, ଫଟା ଜିନ୍ସ ପିନ୍ଧିବେ ନାହିଁ । ହାତ କଟା ପୋଷାକ ପିନ୍ଧିବା ଉପରେ କଟକଣା ଲାଗିବ । ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଯେଭଳି ଶାଳୀନତାପୂର୍ଣ୍ଣ ତଥା ପାରମ୍ପରିକ ପୋଷାକ ପରିଧାନ କରି ଆସିବେ, ତାଉପରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉକି, ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଏବେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ଯାହା ଆସନ୍ତା ଜାନୁଆରୀ ୧ ନୂଆବର୍ଷରୁ କଡାକଡି ଭାବେ ଏହି ନିୟମ ଲାଗୁ କରାଯିବ। ନୂଆବର୍ଷରୁ ଯେଉଁ ଭକ୍ତମାନେ ଶାଳୀନତା ଭାବେ ପୋଷକ ନପିନ୍ଧି ଶ୍ରୀମନ୍ଦିର ଆସିବେ ସେମାନଙ୍କୁ ପ୍ରବେଶ ମନା ।

ଧାର୍ମିକ ସ୍ଥଳରେ ମର୍ଯ୍ୟାଦା ରକ୍ଷା କରିବାକୁ ଡ୍ରେସ୍ କୋର୍ଡ ଜରୁରୀ:

ଏପଟେ ଧାର୍ମିକ ସ୍ଥଳରେ ମର୍ଯ୍ୟାଦା ରକ୍ଷା କରିବାକୁ ଡ୍ରେସ୍ କୋର୍ଡ ଜରୁରୀ । ଯାହାକୁ ନେଇ ଗତ ଜୁନ୍ ମାସରେ ମହାରାଷ୍ଟ୍ରର ସବୁ ମନ୍ଦିରରେ ଡ୍ରେସ୍ କୋଡ ଲାଗୁ କରିବାକୁ ମହାରାଷ୍ଟ୍ର ମନ୍ଦିର ମହାସଂଘ ଦାବି କରିଥିଲା । ଯଦିଓ ମହାସଂଘ ଆଧୁନିକ ପୋଷାକକୁ ବାରଣ କରି ନାହିଁ ତେବେ ଟ୍ରାଉଜର ଓ ସାର୍ଟ ଭଳି ପୋଷାକ ଭକ୍ତମାନେ ପିନ୍ଧି ପାରିବେ । ଏମିତିରେ ମହାରାଷ୍ଟ୍ରର ୧୩୧ଟି ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଲାଗୁ କରାଯାଇସାରିଛି । ଗୋଆ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ମନ୍ଦିର, ଚର୍ଚ୍ଚ ଓ ଗୁରୁଦ୍ୱାର ଯିବାକୁ ହେଲେ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ପଡ଼ିଥାଏ । ହାଫପ୍ୟାଣ୍ଟ, ବରମୁଡା ପ୍ୟାଣ୍ଟ, ମିନିସ୍କର୍ଟ, ନାଇଟ୍ ସୁଟ୍, ଚିରା ଜିନସ ପ୍ୟାଣ୍ଟ, ଫ୍ରକ୍ ଏବଂ ଥ୍ରି-କ୍ୱାର୍ଟର ଜିନ୍ସ ବା ଆଣ୍ଠୁ ତଳକୁ ଥିବା ଜିନ୍ସ କିମ୍ବା ସେହିଭଳି ପୋଷାକ ଉପରେ କଟକଣା କରାଯାଇଛି ।

ଲକ୍ଷ୍ନୌ ପ୍ରୟାଗରାଜର ମନକାମେଶ୍ୱର ମନ୍ଦିର, ମଥୁରାର ଶ୍ରୀରାଧାଦାମୋଦର ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କୁ ସଚେତନ କରିବା ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ଆସିବା ପାଇଁ ନିବେଦନ କରାଯାଇଛି । ସେହିଭଳି ଉତ୍ତରାଖଣ୍ଡର ୠଷିକେଶ, ହରିଦ୍ୱାର ଆଦି ଧାମିକ ସ୍ଥଳରେ ମଧ୍ୟ ଡ୍ରେସ୍ କୋଡ୍ର କରାଯାଇଛି । ସେହିଭଳି ଦକ୍ଷିଣ ଭାରତର ଅନେକ ମନ୍ଦିରରେ ମଧ୍ୟ ଅନେକ ବର୍ଷରୁ ନିର୍ଦ୍ଦିଷ୍ଟ ପୋଷାକ ଉପେର ଗୁରୁତ୍ୱ ଦିଆଯାଇ ଆସିଛି । ଦେଖିବାକୁ ଗଲେ ସେ ଶିକ୍ଷାନୁଷ୍ଠାନ ହେଉ ଅବା କାର୍ଯ୍ୟକ୍ଷେତ୍ର ଏମିତିକି ରାଜନୈତିକ ଦଳ ମଧ୍ୟ ନିଜ ନିଜ ଡ୍ରେସ୍ କୋଡ୍ର କରିଛନ୍ତି । ଯାହା ଏକ ମର୍ଯ୍ୟାଦା, ଶୃଙ୍ଖଳା ଏବଂ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ସେଥିପାଇଁ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଡ୍ରେସ୍ କୋଡ ରହିବା ନେଇ ଦାବି ହୋଇ ଅସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.