Below header

୪୦୦ ଟଙ୍କାରୁ ଆରମ୍ଭ ୧୮୦୦ ଟଙ୍କାରେ ଶେଷ, ବର୍ଷାଋତୁରେ ବଜାରରେ ଛତୁର ପସରା

ବର୍ଷାଋତୁ ଆରମ୍ଭରୁ ବଜାରରେ ଛତୁର ପସରା । ଦାମ ବି କିଛି କମ ନୁହେଁ ,ଆରମ୍ଭ ୪୦୦ ଟଙ୍କାରୁ ଏବଂ ଶେଷ ୧୮୦୦ ଟଙ୍କାରେ। ତଥାପି ଛତୁ ପାଇଁ ଲୋକଙ୍କ ଭିଡ଼ ଲାଗୁଛି ସତେ ଯେମିତି ସ୍ୱାଦ ଆଗରେ ଦର ଫିକା ପଡିଯାଇଛି।

ବର୍ଷାର ଆଗମନ ସହ ଜୟପୁର ବଜାରରେ ବଡାଛତୁର ପସରା। ଅପରାହ୍ନରୁ ସନ୍ଧ୍ୟା ଯାଏ ସହରର ମୁଖ୍ୟରାସ୍ତା କଡରେ ବସି ରହୁଛନ୍ତି ଧାଡିକୁଧାଡି ଛତୁ ବେପାରୀ। ଯେଉଁ ଛତୁର ଦାମ ଯେତେ ଅଧିକ ସେହି ଦୋକାନ ଆଗରେ ଲୋକଙ୍କ ଭିଡ଼ ସେତେ ଅଧିକ। ଶ୍ରାବଣ ମାସରେ ଛତୁର ଦାମ ଯେମିତି ତାର ସ୍ୱାଦ ମଧ୍ୟ ସେମିତି। ଛୋଟ ଛୋଟ ବାଟି ଆକାରର ଏହି ଛତୁର ରଙ୍ଗ ବାଦାମୀ ଆଉ ଏଥିରେ ମାଟି ଅଙ୍ଗଟି ଅଧିକ ରୁହେ। ତେବେ ଆମିଷଠୁ ଅଧିକ ସ୍ୱାଦିଷ୍ଟ ଏହି ଛତୁର ଚାହିଦା ବର୍ଷାଦିନେ ଅଧିକ।

ନିରାମିଷାଶୀଙ୍କ ସବୁବେଳେ ପ୍ରଥମ ପସନ୍ଦ ଛତୁ ଆଉ ତାଭିତରେ ଶ୍ରେଷ୍ଠ ବଡାଛତୁ। ପ୍ରକୃତିର ସୃଷ୍ଟି ଭିତରେ ବଡାଛତୁ ଏକ ପାରମ୍ପରିକ ଖାଦ୍ୟ ଯାହା କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମିଳେ। ବଡାଛତୁର ଚାହିଦା ଯେମିତି ତାର ଦର ବି ସେମିତି ଆକାଶ ଛୁଆଁ। ଅନ୍ୟ ଛତୁ ପରି ଏହି ଛତୁକୁ ଚାଷ କରାଯାଏ ନାହିଁ। ଏହା ମାଟିରେ ଆପେ ଆପେ ଫୁଟିଥାଏ। ଏହି ଛତୁରେ ଭିନ୍ନ ଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଏ ଯାହାକୁ ଦେଖିଲେ ଆପଣଙ୍କ ପାଟିରୁ ଲାଳ ଗଡ଼ିବା ସୁନିଶ୍ଚିତ। ଏହି ଛତୁର ସ୍ୱାଦ ଏପରି ଯେ ଥରେ ଖାଇଲା ପରେ ପୁଣି ଥରେ ଖାଇବା ପାଇଁ ଆପଣ ନିଶ୍ଚୟ ମନ କରିବେ ସେଥିପାଇଁ ତ ଆକାଶଛୁଆଁ ଦର ହେଲେବି ବଡାଛତୁ ଖାଇବାକୁ ଲୋକ ଭୁଲନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.