ବାଣପୁର ଘଣ୍ଟଶିଳା ପାହାଡ଼ରେ ଲାଗିଛି ଗହଳି, ପଥରକୁ ପିଟିଲେ ବାହାରୁଛି ଘଣ୍ଟ ଶବ୍ଦ

ଟାଙ୍ଗି (ଖୋର୍ଦ୍ଧା) : ଆଜିକାଲି ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯାହାର କିମ୍ବଦନ୍ତି ଏବେ ବି ରହସ୍ଯ ଭିତରେ। ଯାହାକୁ କିଏ କେବେ ଜାଣିବାକୁ ଚେଷ୍ଟା କରିନାହାନ୍ତି। ଏହି ଅଗବ ଦୁନିଆରେ ଅନେକ ଗଜବ ଘଟଣା ପ୍ରତିଦିନ ଆମ ସହିତ ଘଟିଥାଏ । ଯାହା ବେଳେ ବେଳେ ଲୋକଲୋଚନକୁ ଆସିଥାଏ ତ କେତେବେଳେ ସେମିତି ଗୁପ୍ତ ହୋଇ ରହିଯାଇଥାଏ । ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ନା ଆପଣ ନିହାତି ଜାଣିଥିବେ। ଏହା ନିକଟରେ ରହିଛି ଏକ ପାହାଡ଼ । ଯାହା ଘଣ୍ଟଶିଳା ଭାବେ ପରିଚିତ।

ghantasilaa

ଗତ ଇଂରାଜୀ ନବବର୍ଷ ଜାନୁଆରୀ ୧ ତାରିଖରେ ସ୍ଥାନୀୟ ଗ୍ରାମର କେତେଜଣ ଯୁବକ ବଣଭୋଜି କରିବାକୁ ପାହାଡ଼ ଉପରକୁ ଯାଇଥିଲେ। ପାହାଡ଼ରେ ଥିବା ବଡ଼ ବଡ଼ ପଥର ଖଣ୍ଡରେ ଚୂନପଥର ସାହାଯ୍ୟରେ ଯୁବକମାନେ ସେମାନଙ୍କ ନାମ ଲେଖିବା ବେଳେ ଜଣେ ଯୁବକ ଉକ୍ତ ଚୂନପଥରକୁ ଫିଙ୍ଗିଦେଇଥିଲେ। ଏହି ଚୂନପଥର ଏକ ପଥର ଚଟାଣ ଉପରେ ପଡ଼ିଥିଲା। ତେବେ ଆଶ୍ଚର‌୍ୟ୍ୟର କଥା ଚୂନପଥରଟି ଉକ୍ତ ପଥର ଚଟାଣ ଉପରେ ପଡ଼ିବା ପରେ ଘଣ୍ଟି ଭଳି ଶବ୍ଦ ବାହାରିଥିଲା। ଯୁବକ ଜଣକ ଏହା ଶୁଣି କୌତୁହଳରେ ପୁନର୍ବାର ଉକ୍ତ ପଥରକୁ ଅନ୍ୟ ଏକ ଛୋଟ ପଥର ଖଣ୍ଡରେ ପିଟିବାରୁ ସେହିପରି ଶବ୍ଦ ବାହାରିଥିଲା। ତାହା ପ୍ରଘଟ ହେବା ପରେ ଏଠାରେ ଲାଗିଛି ଜନଗହଳି । ଶହଶହ ଲୋକ ଆସୁଛନ୍ତି ଏହି ପଥରକୁ ଦେଖିବାକୁ ।

pahada

ବାଣପୁର ଏକ ପୌରାଣିକ ସହର। ଏହା ହେଉଛି ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ। ଏଠାରେ ରହିଛି ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ଭବ୍ୟ ମନ୍ଦିର। ମା ଙ୍କ ମନ୍ଦିର ପଛପାଖରେ ବୋହିଯାଇଛି ଶାଳିଆ ନଦୀ। ଏହି ନଦୀ କୂଳ ତଥା ମା’ଙ୍କ ମନ୍ଦିରରୁ ପାଖାପାଖି ୨୫୦ ମିଟର ଦୂରରେ ରହିଛି ଘଣ୍ଟଶିଳା ପର୍ବତ। କିମ୍ବଦନ୍ତୀ ଅନୁଯାୟୀ, ପୁରାଣ ଯୁଗରେ ବାଣାସୁର ଏଠାରେ ରାଜତ୍ୱ କରୁଥିଲେ। ବାଣାସୁରଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମା’ ଭଗବତୀ। ବାଣାସୁର ସୋଲରୀ ଏବଂ ଭାଲେରୀ ପାହାଡ଼ ଶିଖରରେ ତାଙ୍କର ଦୁଇ ପାଦ ରଖି ଘଣ୍ଟଶିଳା ପାହାଡ଼ରୁ ଘଣ୍ଟି ବଜାଇ ମା’ଙ୍କ ପୂଜାର୍ଚ୍ଚନା କରନ୍ତି ବୋଲି ବିଶ୍ୱାସ ରହିଛି। ସେହି କାରଣରୁ ଏହି ପାହାଡ଼କୁ ଘଣ୍ଟଶିଳା ବୋଲି କୁହାଯାଏ।

ghanta

ପୁରାଣ ଯୁଗରେ ବାଣାସୁର ଏହି ଶିଳାଖଣ୍ଡକୁ ପିଟି ଘଣ୍ଟି ଶବ୍ଦ କରି ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ ବୋଲି ଏବେ କେତେକ ଲୋକ ମତବ୍ୟକ୍ତ କରିଛନ୍ତି। ତେବେ ସେ ଯାହା ହେଉ ନା କାହିଁକି ଘଣ୍ଟଶିଳା ପର୍ବତରେ ଘଣ୍ଟି ଭଳି ବାଜୁଥିବା ଏକ ଶିଳାଖଣ୍ଡ ଆବିଷ୍କୃତ ହେବା ପରେ ସ୍ଥାନୀୟ ଲୋକେ ଉତ୍ସାହିତ ହୋଇଉଠିଛନ୍ତି। ଏହି ପଥର ଖଣ୍ଡ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। ଏ ଦିଗରେ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ବାଣପୁରରୁ ମନୋଜ ନାଇଡୁ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.