ଫାଇଲିନ୍ରେ ମରିଥିଲେ ୪୪ ଜଣ
ଅକଟୋବର ୧୪, ୨୦୧୩ । ଭୟଙ୍କର ବାତ୍ୟା ଫାଇଲିନ୍ ଆସି ଉଜାଡ଼ି ଦେଲା ଓଡ଼ିଶାର ଅନେକ ଜିଲ୍ଲାକୁ । ଆଣ୍ଡାମାନ୍ ସମୁଦ୍ରରୁ ସୃଷ୍ଟି ହୋଇ ବଙ୍ଗୋପ ସାଗରରେ ପହଞ୍ଚିଥିଲା ବାତ୍ୟା ଫାଇଲିନ୍ । ଆଉ ଅକଟୋବର ୧୪ରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା । ଘଣ୍ଟାପ୍ରତି ୧୦୦ରୁ ୨୦୦ କିଲୋମିଟର ବେଗରେ ପବନ ବହିଲା । ୪୨,୪୦୦ କୋଟି ଟଙ୍କାର କ୍ଷତି ସହିଥିଲା ଓଡ଼ିଶା ।
ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଞ୍ଜାମ ଜିଲ୍ଲା । ପବନ ସାଙ୍ଗକୁ ବର୍ଷା ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା । ତେବେ ସରକାରଙ୍କ ତତ୍ପରତା ଯୋଗୁଁ ଉପକୂଳରେ ରହୁଥିବା ୫ ଲକ୍ଷ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଯାହା ୨୩ ବର୍ଷ ଭିତରେ ଦେଶରେ ବାତ୍ୟା ବେଳରେ ଥିଲା ସବୁଠାରୁ ବଡ଼ ସ୍ଥାନାନ୍ତରଣ । ଆଉ ଅନେକ ଜୀବନ ବଞ୍ଚି ଯାଇଥିଲା ଖାସ୍ ଏଇଥି ପାଇଁ । ତଥାପି ସରକାରୀ ସଂଖ୍ୟା ଅନୁଯାୟୀ ୪୪ ଜଣଙ୍କର ମୃତ୍ୟୁ ଘଟିଥିଲା ।
କେବଳ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନଥିଲା ତା ସହିତ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ଆଦି ପାଇଁ ଆଗୁଆ ବ୍ୟବସ୍ଥା କରିଥିଲେ ସରକାର । ଏଥିଲାଗି ପ୍ରଶଂସାର ପାତ୍ର ହୋଇଥିଲେ ଓଡ଼ିଶାର ନବୀନ ସରକାର ।
୧୯୯୯ ମହାବାତ୍ୟା : ବିଂଶ ଶତାବ୍ଦୀର ସବୁଠୁ ବଡ଼ ପ୍ରାକୃତିକ ବିପତ୍ତି
ତେବେ ଫାଇଲିନ୍ ଆସିଥିଲା ମହାବାତ୍ୟାର ୧୪ ବର୍ଷ ପରେ । ବିଜେଡି ବା ନବୀନ ସରକାର ରାଜ୍ୟର ଶାସନ ଭାର ସମ୍ଭାଳିବାର ଅଳ୍ପ ଦିନ ଭିତରେ ଓଡ଼ିଶାକୁ ପ୍ରଚଣ୍ଡ ଆଘାତ ଦେଇଥିଲା ୧୯୯୯ ମହାବାତ୍ୟା । ଅକଟୋବର ୨୯ରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା । ସମୁଦ୍ର ଜୁଆର ମାଡ଼ି ଆସିଥିଲା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳକୁ । ହଜାର ହଜାର ଲୋକ ମୃତ୍ୟୁବରଣ କଲେ । ଏହି ସଂଖ୍ୟା ଥିଲା୧୦ ହଜାରରୁ ଅଧିକ । କେବଳ ଜଗତସିଂହପୁରରେ ୮ ହଜାରରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲୋ ଯାହାଥିଲା ବିଂଶ ଶତାବ୍ଦୀର ସବୁଠୁ ବଡ଼ ପ୍ରାକୃତିକ ବିପତ୍ତି ।
କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର ସମେତ ଉପକୂଳର ପ୍ରାୟ ସମସ୍ତ ଜିଲ୍ଲା ସମେତ ମୋଟ୍ ୧୨ଟି ଜିଲ୍ଲା ପ୍ରବଳ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମୁକାବିଲା କରିବା ଲାଗି ସମର୍ଥ ନଥିଲା ଓଡ଼ିଶା । ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସରକାର ଏବଂ ସେନାର ସହାୟତାରେ ଅନେକ ଦିନ ଧରି ଚାଲିଲା ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ । ହେଲେ ଏଇ ମହାବାତ୍ୟା ଦେଇଗଲା ଅନେକ ଶିକ୍ଷା । ଯାହାକୁ ପାଥେୟ କରି ପ୍ରାକୃତିକ ବିପଦର ମୁକାବିଲା କରିବାକୁ ସାମର୍ଥ ହାସଲ କଲା ଓଡ଼ିଶା । ତେଣୁ ଫାଇଲିନ୍ ପରେ ହୁଡ୍ହୁଡ୍ ଏବଂ ଏବେ ଫନିର ସାମନା କରିବାକୁ ପ୍ରସ୍ତୁତ ହୋଇ ରହିଥିଲା ଓଡ଼ିଶା । ବାତ୍ୟା ଆଶ୍ରୟ ସ୍ଥଳୀ, ଓଡ୍ରାଫ୍ ଟିମ୍, ଆଧୁନିକ ପ୍ରଶିକ୍ଷଣ ସହ ଅଗ୍ନିଶମ ବାହିନୀ ସବୁବେଳେ ପ୍ରସ୍ତୁତ ହୋଇ ରହିଲେ । ସେହିପରି ସ୍ଥାନାନ୍ତର ସହ ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ବାତ୍ୟା ଓ ବନ୍ୟା ବେଳେ ଆତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ରଖାଗଲା ।
ହୁଡ୍ହୁଡ୍ : ପ୍ରଭାବିତ ହୋଇଥିଲା ଦକ୍ଷିଣ ଭାଗ
ଫାଇଲିନ୍ର ଠିକ୍ ବର୍ଷେ ପରେ ଆସିଲା ହୁଡ୍ହୁଡ୍ । ଠିକ୍ ସେହି ଅକଟୋବର ୧୪ରେ । ୨୦୧୪ରେ ଅକଟୋବର ୧୪ରେ ଆସିଥିବା ଏହି ବାତ୍ୟା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଥିଲେ । ୧୬ଟି ଜିଲ୍ଲାକୁ ସତର୍କ କରି ଦିଆଯାଇଥିଲା । ପ୍ରାୟ ୧୮୫ ରୁ ୨୬୦ କିଲୋମିଟର ବେଗରେ ପବନ ବହିଥିଲା । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସମେତ ଓଡ଼ିଶାର ଦକ୍ଷିଣ ଭାଗ ବିଶେଷ କରି କୋରାପୁଟ, ନବରଙ୍ଗପୁରରେ ଏହା ବିତ୍ପାତ ଘଟାଇଥିଲା ।
ତିତଲି : ଗଜପତି ଓ ଗଞ୍ଜାମରେ ଘଟାଇଥିଲା ବିପର୍ଯ୍ୟୟ
ଗତ ବର୍ଷ ଅର୍ଥାତ୍ ୨୦୧୮ ଅକଟୋବର ୧୧ ତାରିଖରେ ଆସିଥିଲା ତିତଲି ବାତ୍ୟା । ଏହା ବିଶେଷ ଭାବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟୟ ଘଟାଇଥିଲା । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ଫଳରେ ଅନେକ କ୍ଷୟକ୍ଷତି ହୋଇଥିଲା । ହେଲେ ପୂର୍ବ ବାତ୍ୟା ତୁଳନାରେ କମ୍ ଥିଲା ତିତଲିର ପ୍ରଭାବ । ତଥାପି ଖୁବ୍ ଭଲ ଭାବେ ଆଗୁଆ ପ୍ରସ୍ତୁତି କରିଥିଲେ ରାଜ୍ୟ ସରକାର ।
ଫନି : ଟାର୍ଗେଟ୍ କରିଥିଲା ବଡ଼ ସହର
ଆଉ ଏବେ ଅଚାନକ ମେ ମାସ ୩ ତାରିଖରେ ଆସିଲା ବାତ୍ୟା ଫନି । ଛାରଖାର ହୋଇଗଲା ରାଜ୍ୟର ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଓ କଟକ ଆଦି । ଚିଲିକାରେ ଚାରି ଚାରିଟି ମୁହାଣ ସୃଷ୍ଟି ହେଲା । ପୁରୀ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇଁଥିବା ଏହି ବାତ୍ୟାର ବେଗ ଥିଲା ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ । ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ଜିଲ୍ଲାରେ ଗଛ, ବିଦ୍ୟୁତ୍ ଖୁଣ୍ଟି ସବୁ ଉପୁଡ଼ି ପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ୍ ସେବା ଆସିବାକୁ ଲାଗିଲା ୮ ଦିନରୁ ଅଧିକ ସମୟ । ସେହିପରି ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ସ୍ୱାଭାବିକ ହେବା ଲାଗି ଲାଗିଯିବ ଅନେକ ସମୟ । ସରକାରୀ ଆକଳନ ଅନୁସାରେ ରାଜ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ମୃତ୍ୟୁ ଘଟିଛି ୭୦ରୁ ଅଧିକ ଲୋକଙ୍କର ।
ତେବେ ପୁଣି ରାଜ୍ୟ ସରକାର ପ୍ରଶଂସିତ ହୋଇଛନ୍ତି ବାତ୍ୟା ପୂର୍ବର ପ୍ରସ୍ତୁତି ପାଇଁ । ଅବଶ୍ୟ ବାତ୍ୟା ପର ସ୍ଥିତିର ମୁକାବିଲା କରିବାରେ ବିଳମ୍ବ ହେତୁ ସରକାରଙ୍କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଛି ।
ତେବେ ଫନି ଆସିବା ପୂର୍ବରୁ ଗଣମାଧ୍ୟମ ତାର ପ୍ରଭାବ ଏବଂ ସଚେତନତା ସମ୍ପର୍କରେ ଲୋକଙ୍କୁ ବାରମ୍ବାର ସତର୍କ କରାଇ ଦିଆଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଗୁରୁତ୍ୱ ଦେଇ ନଥିଲେ । ଯାହାର ଫଳ ମଧ୍ୟ ଭୋଗିବାକୁ ପଡ଼ିଛି । ଅବଶ୍ୟ ଏତିକି ସ୍ପଷ୍ଟ ଯେ ପ୍ରାକୃତିକ ବିପତ୍ତିକୁ କାହାର ହାତ ନାହିଁ । ଏଥିରେ ସତର୍କ ରହି ଏହାର ମୁକାବିଲା ସିନା କରାଯାଇ ପାରିବ, ହେଲେ ଏହାକୁ ରୋକି ହେବ ନାହିଁ ।