କେବେଠୁ ଲିଭି ଗଲାଣି ଲଣ୍ଠନ ଆଲୁଅ, କେବଳ ସହରର ନୁହେଁ ଗାଁରୁ ବି ହଜି ଗଲାଣି

ଗଞ୍ଜାମ (କେନ୍ୟୁଜ୍‌) : ଯେତେବେଳେ ଆମ ନିକଟରେ ବିଦ୍ୟୁତ ପହଞ୍ଚି ନଥିଲା ଲୋକମାନେ କିରୋସିନିରେ ଡିବିରୀ ବତୀ ହେଉ କିମ୍ବା ଜଡ଼ାରେ ଦିହୁଡି ଲଗାଇ ଅନ୍ଧାରକୁ ଦୂରେଇ ପାରୁଥିଲେ l ଆମ ଜନ ଜୀବନ ହେଉକି ସହର, ଗ୍ରାମାଞ୍ଚଳ ଆଗରୁ ବ୍ୟବସ୍ଥା ସେତେ ଉନ୍ନତ ନଥିଲା। ସେଠାରେ ବସବାସ କରୁଥିବା ଲୋକ ବିଭିନ୍ନ ଉପାୟରେ ଅନ୍ଧାରକୁ ଦୂରେଇବା ପାଇଁ ପ୍ରୟାସ କରୁଥିଲେ। ଅପହଞ୍ଚ ଇଲାକା ତଥା ପାହାଡିଆ ଓ ଦୁର୍ଗମ ଅଞ୍ଚଳ କଥା ନ କହିଲେ ଭଲ। ସୂଯ୍ୟର୍ ଅସ୍ତ ହେବା ପରେ ରାଜୁତି କରୁଥିଲା ଅନ୍ଧାର। ସଞ୍ଜ ନଇଁଲେ ପଡି ଯାଉଥିଲା ତାଟି କବାଟ। କିଛି ଲୋକ ଡିବିରୀ ବତିରେ ପାଠ ପଡିବା ହେଉ ରୋଷେଇ କରିଆସୁଥିଲେ। ଧୂଆଁରେ ଘର ଭର୍ତ୍ତି ହୋଇଯାଉଥିଲା। ଏହା ପରେ କେହି ଜଣେ ଚିମିଲିର ବ୍ୟବସ୍ଥା ଆରମ୍ଭ କରିଥିଲେ। ସଳିତା ଦେଇ ଲଗାଯାଉଥିଲା ଚିମିଲିରେ। ଚିମିଲି ସହିତ ଲଣ୍ଠନକୁ ତିଆରି କରି ବଜାରକୁ ଛାଡିଲେ କୁଶଳୀ କାରିଗର। କୁହାଯାଏ ୧୯୨୦ ମସିହା ବେଳକୁ ଚିମିଲି ଓ ଲଣ୍ଠନ ଆମ ଜନ ଜୀବନକୁ ଚାଲି ଆସିଯାଇଥିଲା।

LANTHANସେତେବେଳର ଅନୁଭୂତିକୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଶ୍ରୀରାମ ନଗରର ବାସିନ୍ଦା କୁହନ୍ତି, ଘନ ଅନ୍ଧାର ମଧ୍ୟରେ ଆମକୁ ଲଣ୍ଠନ ସାହାଯ୍ୟ କରୁଥିଲା। କିନ୍ତୁ ଗାଁକୁ କରେଣ୍ଟ ଆସିଯିବା ପରେ ଆଉ ଲଣ୍ଠନର ଆବଶ୍ୟକତା ପଡୁନି। ତେଣୁ ସେହି ଗୁଡିକ ଅଳନ୍ଧୁ ହୋଇ ପଡ଼ିରହିଛି। କରେଣ୍ଟ ଚାଲିଗଲେ ଚାର୍ଜ ଲାଇଟରେ ଚଳିଯାଉଛି। ତେଣୁ ଲଣ୍ଠନ ଆଲମିରା ମଧ୍ୟରେ କେହି ରଖିଛନ୍ତିତ ‘ଆଉ କିଏ ଅଳିଆ ଗଦାରେ। ଦିଗପହଣ୍ଡି ଅଞ୍ଚଳର ନବରଙ୍ଗପୁରର ବଙ୍ଗାଳି ସାହୁ କହନ୍ତି, ଏବେ ଆଉ ଲଣ୍ଠନ ଦରକାର ପଡୁନି। ତଥାପି ଘରେ ରଖିଛୁ। ସାନଖେମୁଣ୍ଡି ଅଞ୍ଚଳର ସୀମାଞ୍ଚଳ ତ୍ରିପାଠୀ କହନ୍ତି, ପାଠପଢା ସମୟରେ ହେଉ ବାହାଘର, ସାମାଜିକ କାଯ୍ୟର୍କ୍ରମରେ ଲଣ୍ଠନକୁ ଖୋଜା ପଡୁଥିଲା। ଏବେ ସେହି ସ୍ଥିତି ଆଉ ନାହିଁ। କିନ୍ତୁ ପିଲାମାନେ ଜାଣିବା ପାଇଁ ଲଣ୍ଠନ କୁ ଘରେ ରଖାଯାଇଛି।

LANTHANଦୀପ, ଚିମିଲି କିମ୍ବା ଲଣ୍ଠନ ଆଉ ବଜାରରେ ମଧ୍ୟ ମିଳିବା କଷ୍ଟ ହୋଇପଡ଼ିଲାଣି। ବ୍ୟବସାୟୀ କହନ୍ତି, ଲଣ୍ଠନ ବିକ୍ରି ହେଉନି। ଏପରିକି ତାହାର କାଚ ମଧ୍ୟ ଆସୁ ନାହିଁ। ପଚାଶ ଟଙ୍କାରୁ ବିକ୍ରି ଆରମ୍ଭ ହୋଇଥିବା ଲଣ୍ଠନ ୩ ଶହ ଟଙ୍କାରେ ପହଞ୍ଚିଛି। କେବଳ କାହାର ଆବଶ୍ୟକ ହେଲେ ଆସି ନେଉଛନ୍ତି। ଅନ୍ୟପକ୍ଷରେ ଯୁବ ଗୋଷ୍ଠୀ କହନ୍ତି, ଆମେତ ଘରେ ଲଣ୍ଠନ ଦେଖିନାହୁଁ, ବାହାରକୁ ଗଲେ ହୋଟେଲ କିମ୍ବା ପାର୍କରେ ରଖାଯାଇଥିବା ଦେଖିବାକୁ ପାଉଛୁ। ସଂସ୍କୃତି ଗବେଷକ କୁହନ୍ତି, ୧୯୧୦ରୁ ୧୯୧୫ ବେଳକୁ ବତି, ଚିମିଲି ଆସିଥିବା ଅନୁମାନ କରାଯାଏ। କାରଣ ୧୯୦୭ରେ ଆମ ରାଜ୍ୟକୁ କିରୋସିନି ଆସିଥିଲା। ୧୯୨୦ ମସିହାରେ ବିଶିଷ୍ଟ ସାହିତ୍ୟିକ ଓଡ଼ିଆ ଡିକସିନାରୀରେ କାଚ ବେଷ୍ଟିତ ଦୀପ ସମ୍ପର୍କରେ ଅଭିହିତ କରିଛନ୍ତି। ପୂର୍ବରୁ ବିଭିନ୍ନ ମ୍ୟୁନିସିପାଲିଟିରେ ଖୁଣ୍ଟରେ ଲଣ୍ଠନ ଲଗାଯାଉଥିଲା। ରେଳ ଷ୍ଟେସନ ଏବଂ ଟ୍ରେନରେ ଲଣ୍ଠନ ଧରିବା ଓ ଲେବଲ କ୍ରସିଙ୍ଗିରେ ମଧ୍ୟ ଚିମିଲି, ଲଣ୍ଠନ ଲଗାଯାଉଥିଲା। ୧୯୮୦ରେ ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ହେଲା। ବିଦ୍ୟୁତ ସବୁ ସ୍ଥାନରେ ପହଂଚିବାକୁ ବ୍ୟବସ୍ଥା ହେଲା। ଏହା ପରେ ଲଣ୍ଠନର ଆଦର କମିଗଲା। ଏହା ଆମ ସ୍ମୃତିରେ ଚି଼ହ୍ନ ପରି ରହିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.