ଅଭିଶପ୍ତ ଗାଁ! ଏଠାରେ ରହିବାକୁ ହେଲେ ବଦଳାଇବାକୁ ପଡ଼େ ଟାଇଟଲ୍‌

ଗୁଜରାଟ: କୌଣସି ଗାଁରେ ରହିବାକୁ ହେଲେ ଆପଣଙ୍କୁ ନିଜ ଟାଇଟଲ ବା ସାଙ୍ଗିଆ ପରିବର୍ତ୍ତନ କରିବାକୁ ପଡ଼ିବ! ନିଜ ପରିବାରର ନାଁ ଛାଡ଼ି ଆପଣଙ୍କୁ ସେଠାକାର ଟାଇଟଲ ବ୍ୟବହାର କରିବାକୁ ପଡ଼ିବ। ତା ହେଲେ ହିଁ ସେଠାରେ ଆପଣ ବସବାସ କରିପାରିବେ ନଚେତ୍‌ ରହିବା ମନା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠାରେ ରହିବାକୁ ହେଲେ ବ୍ୟକ୍ତିକୁ ନିଜ ମୂଳ ଟାଇଟଲକୁ ବଦଳାଇବାକୁ ପଡ଼ିଥାଏ।

ରିପୋର୍ଟ ମୁତାବକ, ଗୁଜରାଟର ମୋରବୀ ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯାହାର ସମସ୍ତ ବାସିନ୍ଦାଙ୍କ ଟାଇଟଲ ସମାନ। ଏହି ଗାଁରେ ବାସ କରୁଥିବା ପ୍ରାୟ ୭୦୦ ଜଣଙ୍କ ଟାଇଟଲ‘‘ଚରବାଡ଼ିୟା’’। ତେବେ ଯିଏ ବି ଏହି ଗାଁରେ ରହିବାକୁ ଆସନ୍ତି ତାଙ୍କୁ ପ୍ରଥମେ ଚରବାଡ଼ିୟା ଟାଇଟଲ୍‌ ରଖିବାକୁ ପଡ଼ିଥାଏ।

ମୋରବୀ ଜିଲ୍ଲାର ବାଙ୍କାନେର କସ୍‌ବେଠାରୁ ୧୩ କିମି ଦୂରରେ ସ୍ଥିତ ବୋକାଡଥମ୍ଭା ଗାଁର ସମସ୍ତ ବାସିନ୍ଦାଙ୍କ ଟାଇଟଲ ଚରବାଡ଼ିୟା। ଗତ ୧୦୦ ବର୍ଷ ହେଲା ଏହି ଗାଁ ଲୋକଙ୍କ ଟାଇଟଲ ଗୋଟିଏ ବୋଲି ଜଣାଯାଇଛି। ଏହି ଗାଁକୁ ଚରବାଡ଼ିୟା ଟାଇଟଲ୍‌ ନଥିବା ଲୋକଙ୍କ ପ୍ରବେଶ ନିଷେଧ। ତେବେ ଏଭଳି ଗୋଟିଏ ନାଁ ରଖିବା ପଛରେ ଏକ ଅଭିଶାପ ଥିବା କୁହାଯାଉଛି। ବିଶ୍ୱାସ ରହିଛି ଯେ, ଚରବାଡ଼ିୟା ଟାଇଟଲ୍‌ ନଥିବା ଲୋକ ଏହି ଗାଁରେ ବସବାସ କଲେ ତାଙ୍କ ଉପରେ ଅଭିଶାପ ପଡ଼େ ଫଳରେ ସେ ଅକାଳରେ ରୋଗାଗ୍ରସ୍ତ ହୋଇଥାନ୍ତି।

ଏହାସହ ପଢନ୍ତୁ: ଏମିତି କୁକୁର, ଯାହାକୁ ସେନା ଦେଲା ସଲାମୀ

କିଛିବର୍ଷ ପୂର୍ବେ ପଡୋଶୀ ଗାଁର କିଛି ଲୋକ ଏଠାକୁ ରହିବାକୁ ଆସିଥିଲେ। ମାତ୍ର ବାରଣ ସତ୍ତ୍ୱେ ସେମାନେ ନିଜ ଟାଇଟଲ ପରିବର୍ତ୍ତନ କରିନଥିଲେ। କିଛି ଦିନ ପରେ ପରିବାରର ସମସ୍ତ ସଦସ୍ୟ ରୋଗାଗ୍ରସ୍ତ ହୋଇପଡ଼ିଥିଲେ। ଫଳରେ ବାଧ୍ୟ ହୋଇ ଗାଁ ଛାଡ଼ି ସେମାନେ ଅନ୍ୟତ୍ର ଚାଲିଯାଇଥିଲେ ବୋଲି ଗାଁର ପୁରୁଖା ଲୋକମାନେ କହିଛନ୍ତି। ଏଣୁ ଏହି ଗାଁରେ ଶାନ୍ତିରେ ରହିବାକୁ ହେଲେ ଚରବାଡ଼ିୟା ଟାଇଟଲ ରଖିବାକୁ ବାଧ୍ୟ ବୋଲି ଗାଁ ଲୋକେ କହିଛନ୍ତି।

ସେହିପରି ଏହି ଗାଁରେ କୌଣସି ଗ୍ରାମପଞ୍ଚାୟତ ନାହିଁ। ଗାଁ ଲୋକେ ନିଜ ମାମଲା ନିଜେ ହିଁ ସମାଧାନ କରିଥାନ୍ତି। ପାଖରେ ଥିବା ଏକ ରାମ ମନ୍ଦିରରେ ଲୋକମାନେ ଏକାଠି ହୋଇ ପରସ୍ପର ସହମତିରେ ସମସ୍ତ ମାମଲାକୁ ସମାଧାନ କରୁଥିବା ଗାଁର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି।

Leave A Reply

Your email address will not be published.