ଅଦ୍ଭୁତ ଏହି ପରମ୍ପରା, ଈଶ୍ୱର ମାନି ପୂଜା କରୁଛନ୍ତି କାଠ ଖୁଣ୍ଟ

ବିବିଧତାରେ ଏକତା କେବଳ ଭାରତ ରେ ହିଁ ସମ୍ଭବ ହୋଇଥାଏ । ଏପରି ହୁଏତ ଆଉ କୌଣସି ରାଷ୍ଟ୍ରରେ ଦେଖାଯାଇନଥାଏ । ଏଠାକାର ବିଭିନ୍ନ ରାଜ୍ୟର ଭାଷା, ପରମ୍ପରା ,ପର୍ବ ପର୍ବାଣି ପାଳନର ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ। ଅଲଗା ଅଲଗା ପ୍ରାନ୍ତର ଲୋକଙ୍କର ବିଶ୍ୱାସ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିଏ ପଥରକୁ ଜୀବନ୍ତ ଠାକୁର ଭାବି ପୂଜାକଲାଣି ତ କିଏ ଗଛକୁ । ପ୍ରଚଳିତ ଏକ ଲୋକ କଥା ଅନୁଯାୟୀ ‘ମାନିଲେ ଠାକୁର ନମାନିଲେ ପଥର’ । କେତେ ବିଶ୍ୱାସ ଓ ଅନ୍ଧବିଶ୍ୱାସ ଏଠାକାର ଲୋକଙ୍କ ଭିତରେ ଭରି ରହିଛି ତାହାର କୌଣସି ଠିକଣା ହିଁ ନାହିଁ ।ଏମିତି ହିଁ ରୋଚକକର ଘଟଣା ଦେଖାଦେଇଛି ଓଡିଶାର ସମ୍ବଲପୁର ଜିଲ୍ଲାରେ । ଏହି ଜିଲ୍ଳା ଅନ୍ତର୍ଗତ ବାମଡା ବ୍ଲକର ଲୋକଙ୍କ ଠାରେ ଥିବା ଏକ ବିଶ୍ୱାସ କଥା ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏକ ଅଦ୍ଭୁତ ବିଶ୍ୱାସ ଅଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମଡା ବ୍ଲକ ଅନ୍ତର୍ଗତ କୁସୁମୀ,କନ୍ଧବାଲନ୍ଦାଓ ବେତଝରଣ ଗ୍ରାମ ଲୋକଙ୍କର ।

ଏଠାକାର ଲୋକେ କୌଣସି ଦେବ ଦେବୀ କି ପଶୁ ପକ୍ଷୀଙ୍କୁ ନୁହେଁ ବରଂ ଏକ କାଠର ଖୁଣ୍ଟ ଉପରେ ହିଁ ନିଜର ଅଖଣ୍ଡ ବିଶ୍ୱାସ ରଖିଛନ୍ତି ।ସେମାନେ ଏହାକୁ ନିଜର ମୁଖିଆ ହିସାବରେ ମଧ୍ୟ ମାନିଥାନ୍ତି । ଏହାର ଆଶୀର୍ବାଦ ନେବା ପରେ ହିଁ ଗାଁର ଲୋକେ ନିଜ ନିଜର ଦିନର ଆରମ୍ଭ କରିଥାନ୍ତି । ଏମିତିକି ବିବାହ, ବ୍ରତ ଭଳି ଶୁଭକାର୍ଯ୍ୟ ମାନ ଆରମ୍ଭ କରିଥାନ୍ତି । ଏହି ଖୁଣ୍ଟ ଟିକୁ ସ୍ଥାନୀୟ ଭାଷାରେ ‘ଗୌନ୍ତିଆ ଖୁଣ୍ଟ’ କୁହାଯାଇଥାଏ । ଏହି ୩ଟି ଗାଁ ବାମଡା ବ୍ଲକର ମୁଖ୍ୟ କାର୍ଯ୍ୟାଳୟରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗାଁ ଗୁଡିକ ଭାରତ ସ୍ୱାଧୀନତା ହାସଲ ପୂର୍ବରୁ ବାମଡା ରାଜାଙ୍କ ଅଧୀନରେ ଥିଲା । ବାମଡାର ୨୭ ତମ ରାଜା ବାସୁଦେବ ସୁଢଳଙ୍କ ଅନୁଯାୟୀ ଏହି ଅଂଚଳରେ ବସଵାସ କରୁଥିବା ଆଦିବାସୀ ଓ ଅଣ ଅଧିବାସୀଙ୍କ ଭିତରେ ଭଲ ସମ୍ପର୍କ ସ୍ଥାପନ କରିବା ପାଇଁ ହିଁ ଏପରି ଏକ ନୂଆ ପ୍ରଥା ଆରମ୍ଭ କରିବାର ଚିନ୍ତା କରିଥିଲେ । ଏହା ସହ ଅଂଚଳର ଶାସନ ବ୍ୟବସ୍ଥା ସୁଦୃଢ ହେବ ବୋଲି ତାଙ୍କର ବିଶ୍ୱାସ ଥିଲା ।

 

ଏହା ସହ ପଢନ୍ତୁ:

ଭାରତରେ ଅଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ

ଏହି ଖୁଣ୍ଟ ଗୁଡିକ ୬ ଫୁଟ ଲମ୍ବା ଓ ୬ ଫୁଟ ଚୌଡାରେ ତିଆରି କରାଯାଇଥାଏ । ଏହି ଖୁଣ୍ଟକୁ ଗାଁର ଏକ ପୁରୁଣା ଓ ଗହଳିଆ ଗଛ ତଳେ ସ୍ଥାପନା କରାଯାଇଥାଏ । ଏହାର ମୂଳକୁ ‘ଦେବମୂଳ’ କୁହାଯାଇଥାଏ । ମାନ୍ୟତା ଅଛି ଯେ ଏହାର ଆଶୀର୍ବାଦ ପ୍ରାପ୍ତି ହେଲେ ଘରେ ସୁଖ ସମୃଦ୍ଧିର ବୃଦ୍ଧି ଘଟିଥାଏ । ଗ୍ରାମର ମୁଖ୍ୟ ଓ ପରିବାର ସଦସ୍ୟ ମାନେ ଏହି ଖୁଣ୍ଟ ଗୁଡିକର ପ୍ରତିନିଧି ରୂପେ କାମ କରିବା ସହ ଏହାର ତଦାରଖ ଦାୟିତ୍ୱରେ ଥାନ୍ତି । ନୂଆଖାଇ ଓ ରକ୍ଷା ବନ୍ଧନ ପରି ବିଶେଷ ଉତ୍ସବ ଗୁଡିକରେ ଗାଁ ଲୋକେ ଏକାଠି ହୋଇ ‘ଗୌନ୍ତିଆ ଖୁଣ୍ଟ’କୁ ପୂଜାର୍ଚ୍ଚନା କରିବା ସହ ଖୁଣ୍ଟକୁ ରାକ୍ଷୀ ମଧ୍ୟ ବାନ୍ଧିଥାନ୍ତି । ଏମିତିକି ଖୁଣ୍ଟ ତଳର ମାଟିକୁ ସ୍ଥାନୀୟ ଅଧିବାସୀ ପବିତ୍ର ବୋଲି ମନେ କରିଥାନ୍ତି | ଏହାକୁ ଆଣି ବିବାହ, ବ୍ରତ ପରି ଶୁଭକର୍ମ ଗୁଡିକରେ ଲଗାଯାଇଥାଏ ।

ଏମିତିକି କୌଣସି ଶୁଭ କର୍ମ ଗୁଡିକରେ ପ୍ରଥମେ ଏହି ଖୁଣ୍ଟ ଗୁଡିକୁ ନିମନ୍ତ୍ରଣ କରାଯାଇଥାଏ ।  ଏହି ତିନି ଗାଁରେ ଗୋଣ୍ଡ, ଭୂୟାଁ ଓ ଅଘୋରୀ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି । ଅଘୋରୀୟ ମାନେ ଏହାକୁ ‘ଗୌନ୍ତିଆ ଖୁଣ୍ଟ’ କହୁଥିବା ବେଳେ ଗୋଣ୍ଡ ଓ ଭୂୟାଁ ସମ୍ପ୍ରଦାୟ ଏହାକୁ ‘ନାୟକ ଖୁଣ୍ଟ’ ନାମରେ ମାନିଥାନ୍ତି । ଏହାର କାହାଣୀକୁ ନେଇ ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି । ୨୦୦୫ ମସିହାରେ ଇଂରାଜୀ ଲେଖକ ୟୁବେ ସ୍କୋଡା ଏହି ସମ୍ପ୍ରଦାୟ ଉପରେ ବିଭିନ୍ନ ଅଧୟନ କରି ‘ଡ ଅଘରୀଆ ଏ ପିଜେଣ୍ଟ କାଷ୍ଟ ଅନ ଏ ଟ୍ରାଇବଲ’ ନାମକ ଏକ ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକରେ ଗୋଟିୟା ଖୁଣ୍ଟ ବିଷୟରେ ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଗ୍ରାମର ମୁଖିଆ ତୁଲାରାମଙ୍କ ଅନୁସାରେ ଏହି ପରମ୍ପରା ପ୍ରାୟ ୨୦୦ ବର୍ଷ ହେବ ଚାଲିଆସୁଛି । ଆଗକୁ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କ ଅନୁସାରେ ଏହାଦ୍ୱାରା ଗାଁର ଲୋକଙ୍କ ମଧ୍ୟରେ ଏକତା ବଜାୟ ରହିବା ସହ ଭାଇଚାରା ମଧ୍ୟ ବୃଦ୍ଧି ଘଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.