ପଞ୍ଜାବ : ଆଇଆର୍‌ଏସ୍‌ ଅଧିକାରୀଙ୍କ ମହାନତା, ଗଛ-ଲତା ପାଇଁ ଆରମ୍ଭ କଲେ ଆମ୍ବୁଲାନ୍ସ ସେବା

ମଣିଷ ଓ ପଶୁ-ପକ୍ଷୀଙ୍କ ଭଳି ପ୍ରକୃତି ମଧ୍ୟ ଗଛ-ଲତାରେ ଦେଇଛି ଜୀବନ । ମାନବ ସମାଜ ପାଇଁ ଉଦ୍ଭିଦ ଜଗତର ଅବଦାନ ଅତୁଳନୀୟ । ସେଇଥିପାଇଁ ଗଛକୁ ବୋଧହୁଏ କୁହାଯାଏ ବୃକ୍ଷ ଦେବତା । ହେଲେ ଅଧିକାଂଶ ସମୟରେ ଆମେ ଅନ୍ୟ ଜୀବ ଭଳି ଗଛ ଲତାର ରୋଗ କିମ୍ବା ଆଘାତ ପ୍ରତି ଦୃଷ୍ଟି ଦେଇ ନଥାଉ । ହେଲେ ଆମ ଗହଣରେ ଏଭଳି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କୁ ଗଛ-ଲତାର ଆଘାତ ତାଙ୍କୁ କରିଛି ଆନ୍ଦୋଳିତ  । ସତେ ଯେପରି ଗଛ ଲତାର ସ୍ପନ୍ଦନ ତାଙ୍କ ହୃଦୟକୁ ସ୍ପନ୍ଦିତ କରିଛି । ଏଥିପାଇଁ ସେ ଗଛ-ଲତାର ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଆଉ ଆରମ୍ଭ କରିଛନ୍ତି ‘ଟ୍ରି ଆମ୍ବୁଲାନ୍ସ ସେବା’ ।

tree service.
photo credit: aajtak.in

ପଞ୍ଜାବର ଏହି ଆଇଆର୍‌ଏସ୍‌ ଅଧିକାରୀଙ୍କ ନାମ ହେଉଛି ରୋହିତ ମେହେରା । ଗଛ-ଲତାର ସେବା ପାଇଁ ସେ ଏକ ହେଲ୍ପ ଲାଇନ୍‌ ନମ୍ବର (୮୯୬୮୩୩୯୪୧୧) ଜାରି କରିଛନ୍ତି । ଯଦି କୌଣସି ଗଛର ରୋଗ ହେବା ଖବର କିମ୍ବା ଅନ୍ୟ କିଛି ଅସୁବିଧା ସମ୍ପର୍କରେ ତାଙ୍କୁ ଏହି ନମ୍ବରରେ ମିଳେ । ତେବେ ତତ୍‌କ୍ଷଣାତ୍‌ ସେ ଓ ତାଙ୍କର ଟିମ୍‌ ସେଠାରେ ପହଞ୍ଚି ଯାଆନ୍ତି । ଗଛକୁ ରୋଗ ହୋଇଥାଉ କିମ୍ବା ଆଉ କିଛି । ତାଙ୍କର ‘ଟ୍ରି ଆମ୍ବୁଲାନ୍ସ’ ସେଠାରେ ପହଞ୍ଚିଯାଏ । ଆବଶ୍ୟକ ଅନୁଯାୟୀ ସେବା ଦେବା ସହ ଦରକାର ପଡ଼ିଲେ ଗଛକୁ ଅନ୍ୟତ୍ର ଉଠାଯାଇ ରୋପଣ କରାଯାଏ ।

tree service.
photo credit: aajtak.in

ରୋହିତ ଯଦିଓ ଜଣେ ଉଦ୍ଭିଦବିତ୍‌ ନୁହଁନ୍ତି ହେଲେ ଗଛର ଯତ୍ନ ନେବା ପାଇଁ ସେ ତାଙ୍କ ସହ କେତେଜଣ ଉଦ୍ଭିଦ ବିଜ୍ଞାନୀଙ୍କୁ ମଧ୍ୟ ରଖିଛନ୍ତି । ସେ ଆଜି ଯାଏ ପ୍ରାୟ ୩୨ ପ୍ରକାରର ଗଛ-ଲତାର ସେବା କରିସାରିଲେଣି । ଏବେ ସେ ୭/୮ ଫୁଟ୍‌ ଉଚ୍ଚ ଗଛର ପୁନଃରୋପଣ କରି ପାରୁଛନ୍ତି । ବଡ଼ ଗଛ ପାଇଁ ଆବଶ୍ୟକୀୟ ସରଞ୍ଜାମ ହେଲେ ସେ ବଡ଼ ଗଛର ସେବା ନେଇପାରିବେ ବୋଲି କୁହନ୍ତି ।

ସେ ତାଙ୍କ ଶାଶୂଙ୍କ ନାମରେ ‘ପୁଷ୍ପା ଟ୍ରି ଆଣ୍ଡ୍‌ ପ୍ଲାଣ୍ଟ ହସ୍‌ପିଟାଲ ଏଣ୍ଡ୍‌ ଡିସ୍‌ପେନ୍‌ସରୀ’ ଖୋଲିଛନ୍ତି । ଏବେ ୧୨ ଜଣ ଲୋକରେ ତାଙ୍କର ଗଛ ସେବା ଚାଲିଛି । ଆଗକୁ ଏହାକୁ ବଢ଼ାଇବେ ବୋଲି ସେ କହିଛନ୍ତି । ତାଙ୍କ ଆମ୍ବୁଲାନ୍ସରେ ରହିଛି କୋଡି, ଗାତ ଖୋଳିବା ପାଇଁ ଆବଶ୍ୟକ ମେସିନ୍‌, କଟର, ଆରୀ, ପାଣି ଟାଙ୍କି, ଖତ ଓ ଔଷଧ ଭଳି ସରଞ୍ଜାମ । ଗଛ-ଲତା ପ୍ରତି ଥିବା ତାଙ୍କର ଏହି ସେବା ମନୋଭାବ ଓ ଆକର୍ଷଣ ଅନ୍ୟଙ୍କ ଆଖି ନିଶ୍ଚୟ ଖୋଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.