ଜାଣନ୍ତୁ କେମିତି ଖବର କାଗଜ ବିକୁଥିବା ଜଣେ ସାଧାରଣ ପିଲା ହୋଇଗଲେ ଦେଶର ‘ମିସାଇଲ୍ ମ୍ୟାନ୍’ !

ଏମିତି ଜଣେ ବ୍ୟକ୍ତି, ଏମିତି ଜଣେ ରାଷ୍ଟ୍ର ମୁଖ୍ୟ ଯାହାଙ୍କୁ ସାରା ଦେଶ ଭଲ ପାଏ, ଆଦର କରେ । ସେ ଜଣେ ରାଷ୍ଟ୍ରପତି ଏକଥା ଯେତିକି ଗୁରୁତ୍ୱ ନରଖେ, ସେ ଆମରି ଭିତରୁ ଜଣେ ଆମକୁ ଚିହ୍ନନ୍ତି ଓ ଆମ ସମସ୍ୟାକୁ ଜାଣନ୍ତି । ଏଭଳି ଭାବନା ରହିଛି ଆମ ସମସ୍ତ ଭାରତବାସୀଙ୍କ ମନରେ । ତାଙ୍କୁ ହୁଏତ ଜଣେ ବୈଜ୍ଞାନିକ ଭାବେ ମିସାଇଲ୍ମ୍ୟାନ୍ର ନାଁ ମିଳିଛି । ହେଲେ ସେ ଜଣେ ଦରଦୀ ମଣିଷ ଏବଂ ତାଙ୍କରି ବାସ୍ତବ ଜୀବନ ହେଉଛି ସମସ୍ତଙ୍କ ପାଇଁ ଆଦର୍ଶ । ମିସାଇଲ ମ୍ୟାନ ନାମରେ ଜଣାଶୁଣା ଏପିଜେ ଅବଦୁଲ କାଲାମଙ୍କର ଆଜି ଜନ୍ମ ଦିନ। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କଲାମ । କାଲାମଙ୍କର ଜନ୍ମ ଅକ୍ଟୋବର ୧୫ ତାରିଖ ୧୯୩୧ମସିହାରେ । ତାମିଲନାଡୁର ରାମେଶ୍ୱରମରେ ହୋଇଥିଲା।
୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା। ଏହି ଅଘଟଣ ଘଟିବା ସମୟରେସେ ଆଇଆଇଏମରେ ପିଲାଙ୍କୁ ପାଠ ପଢ଼ାଉଥିଲେ ଏବଂ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟି ଚାଲିଥିଲେ। କିନ୍ତୁ କେବେ ଥକି ପଡିନଥିଲେ କଲାମ । ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଥିଲେ। କିନ୍ତୁ ଲୋକଙ୍କ ପାଇଁ ସବୁଦିନ ପ୍ରେରଣାର ଉତ୍ସ ହୋଇ ରହିଗଲେ। ଆସନ୍ତୁ ଜନ୍ମଦିନରେ ଜାଣିବା ତାଙ୍କ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।
ଅବଦୁଲ କାଲାମ ଏକ ଅତି ଗରିବ ମୁସଲିମ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କର ପୂରା ନାମ ଅବୁଲ ପକିର ଜୈନୁଲ୍ଲାବ୍ଦିନ ଅବଦୁଲ କଲାମ। ସେଣ୍ଟ ଜୋସେଫ କଲେଜରେ ପାଠ ପଢ଼ିଥିଲେ କଲାମ। ଖୁବ୍ କଠିନ ପରିସ୍ଥିତିରେ ଗତି କରିଥିଲା ତାଙ୍କ ଜୀବନ । ଖବର କାଗଜ ବ୍ରିକ୍ରି କରୁଥିବା କଲାମ ପରବର୍ତ୍ତୀ ସମୟରେ ହୋଇଗଲେ ଜଣେ ବୈଜ୍ଞାନିକ। ସେ ଭାରତ ପାଇଁ ଅଗ୍ନି, ପୃଥିବୀ ଭଳି ମିସାଇଲ ବନାଇ ଦେଶକୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ବର୍ଗରେ ସାମିଲ କରିଥିଲେ।
କଲାମଙ୍କୁ ଦେଶର ସେବା ପାଇଁ ସବୋର୍ଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଭାରତ ସରକାରଙ୍କ ଦ୍ୱାରା କଲାମ ୧୯୮୧ରେ ସବୋର୍ଚ୍ଚ ନାଗରିକ ସମ୍ମାନ, ପଦ୍ମ ଭୂଷଣ ଏବଂ ପରେ ୧୯୯୦ ମସିହାରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ଭାରତର ସବୋର୍ଚ୍ଚ ପଦବିରେ ନିଯୁକ୍ତି ପାଇବା ପୂର୍ବରୁ ଭାରତ ରତ୍ନ ସମ୍ମାନ ପାଇବାରେ ସେ ହେଉଛନ୍ତି ଦେଶର ତୃତୀୟ ରାଷ୍ଟ୍ରପତି ।
ଏହାସହ ପଢନ୍ତୁ :
୨୦୦୨ ମସିହାରେ କଲାମ ଭାରତର ରାଷ୍ଟ୍ରପତି ହୋଇଥିଲେ। ପାଞ୍ଚ ବର୍ଷ ଅବଧି ପୂରା ହେବା ପରେ ସେ ପୁଣି ଥରେ ଶିକ୍ଷା, ଲେଖନୀ ଏବଂ ସାର୍ବଜନିକ ସେବା ପାଇଁ ଫେରି ଆସିଥିଲେ। ୧୯୬୨ ମସିହାରେ କଲାମ ଇସ୍ରୋରେ ପହଁଚିଥିଲେ। ସେ ପ୍ରୋଜେକ୍ଟ ଡାଇରେକ୍ଟର ଭାବରେ ଭାରତ ପାଇଁ ନିଜର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନ ଏସଏଲବି-୩ ବନାଇଥିଲେ। ୧୯୮୦ରେ ଉପଗ୍ରହକୁ ପୃଥିବୀ କକ୍ଷରେ ସମୀପ ସ୍ଥାପନା କରାଯାଇଥିଲା ଏବଂ ଭାରତ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ କ୍ଲବର ସଦସ୍ୟ ହୋଇଗଲା।
୧୯୯୨ ମସିହାରୁ ୧୯୯୯ ମସିହା ପଯ୍ୟର୍ନ୍ତ କଲାମ ରକ୍ଷା ମନ୍ତ୍ରୀର ରକ୍ଷା ପରାମର୍ଶଦାତା ମଧ୍ୟ ରହିଥିଲେ। ଏହାସହିତ ସେ ୪ଟି ବହି ଲେଖିଥିଲେ ଯାହା ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରେରଣାର ଉତ୍ସ ହୋଇଛି। ତାଙ୍କ ବହି ଗୁଡିକ ହେଉଛି ‘ଓ୍ଵିଙ୍ଗସ୍ ଅଫ୍ ଫାୟାର’, ‘ଇଣ୍ଡିଆ ୨୦୨୦-ଏ ଭିଜନ ଫର ଦ ନ୍ୟୁ ମିଲେନିୟମ’, ‘ମାଇଁ ଜର୍ଣ୍ଣି’ ତଥା ‘ଇଗ୍ନାଟିଡ୍ ମାଇଣ୍ଡସ୍-ଅନଲିସିଙ୍ଗ ଦ ପାଓ୍ଵାର ଓ୍ଵିଦିନ ଇଣ୍ଡିଆ’। ଏହି ବହି ଗୁଡି ଉଭୟ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ ହୋଇସାରିଛି। ସେ ଦେଶର ଜଣେ ବୈଜ୍ଞାନିକ ଥିଲେ।
କଲାମଙ୍କ ପାଇଁ ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କହିଥିଲେ ମୁଁ ମରିଯିବା ପରେ କେହି ଦୁଃଖ କରିବନି କି ସରକାରୀ ଛୁଟି ଘୋଷଣା କରିବନି। ଯଦି ପାରିବ ସେହିଦିନ ଆଉ ଦୁଇଘଣ୍ଟା ଅଧିକ ପରିଶ୍ରମ କରିବ। ଏସବୁ ପାଇଁ ତ କେବେବି ଭୁଲ ହେବେ ନାହିଁ କଲାମ୍ ।
ଆଜି ଜନ୍ମ ଦିନରେ ଆସନ୍ତୁ ଜାଣିବା କଲାମ୍ଙ୍କ କିଛି ପ୍ରେରଣାଦାୟୀ ବାର୍ତ୍ତା
୧-ଯଦି ତୁମେ ସୂର୍ଯ୍ୟ ଭଳି ଚମକିବାକୁ ଚାହୁଁଚ ତେବେ ପ୍ରଥମେ ସୂର୍ଯ୍ୟ ଭଳି ଜଳିବା ଶିଖ ।
୨-ଯେଉଁଦିନ ତୁମର ଦସ୍ତଖତ ଅଟୋଗ୍ରାଫ୍ରେ ବଦଳିଯିବ ସେଇଦିନ ତୁମେ ସଫଳ ହେଲା ବୋଲି ଜାଣିବ ।
୩-ଯୁବ ପିଢ଼ିଙ୍କୁ ମୋର ଏଇ ପରାମର୍ଶ, ସର୍ବଦା କିଛି ନୂଆ କରିବା ପାଇଁ ଚେଷ୍ଟା କର । ନିଜ ରାସ୍ତା ନିଜେ ତିଆରି କର ।
୪-ତୁମେ ତୁମର ଭାଗ୍ୟ ବଦଳାଇ ପାରିବ ନାହିଁ । ହେଲେ ନିଜର ଅଭ୍ୟାସ ବଦଳାଇ ପାରିବ । ନିଜ ଅଭ୍ୟାସ ବଦଳାଇଲେ ଆପେ ଆପେ ତୁମର ଭବିଷ୍ୟତ ବି ବଦଳିଯିବ ।
୫-ଯେଉଁ କଥାକୁ ନେଇ କଷ୍ଟ ହୁଏ ସେଇ କଥା ହିଁ ମଣିଷକୁ କିଛି ଶିକ୍ଷା ଦେଇଥାଏ ।
୬-ତିନିଜଣ ଲୋକ ଚାହିଁଲେ ସାରା ଦେଶକୁ ଦୁର୍ନୀତି ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରି ପାରିବେ । ସେମାନେ ହେଲେ ମା, ବାପା ଓ ଶିକ୍ଷକ ।
୭-ଚାରିଟି ଜିନିଷ କରି ପାରିଲେ ତୁମେ ଯେକୌଣସି ଲକ୍ଷ୍ୟ ହାସଲ କରି ପାରିବ । ସେଗୁଡ଼ିକ ହେଉଛି ଦୃଢ଼ ଇଚ୍ଛାଶକ୍ତି, ଜ୍୍ୟାନ ଆହରଣ କରିବାର ଆଗ୍ରହ, କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ।
୮-ଆମେ ଯଦି ଆମର ବର୍ତ୍ତମାନକୁ ତ୍ୟାଗରେ ବଦଳାଇ ଦେବା ତେବେ ଆମ ପିଲାମାନଙ୍କ ଆଗାମୀ କାଲି ଉଜ୍ଜ୍ୱଳ ହୋଇଯିବ ।
୯-ଆକାଶକୁ ଚାହଁ । ଦେଖିବ ତୁମେ ଏକା ନୁହଁ । ସାରା ବିଶ୍ୱ ବ୍ରହ୍ମାଣ୍ଡ ତୁମ ସାଥୀରେ ଅଛି । ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଶତପ୍ରତିଶତ ଉଦ୍ୟମ କର ।
୧୦-ସମସ୍ୟା ଆମକୁ ନୁହେଁ ଆମେ ସମସ୍ୟାକୁ ପରାସ୍ତ କଲେ ସବୁଠି ଜିତି ପାରିବା।