ଚିପ୍ସ ପ୍ୟାକେଟରେ ଅଳ୍ପ ଚିପ୍ସ ଅଧିକ ପବନ କାହିଁକି ?

ବଜାରରେ ମିଳୁଥିବା କିଛି ବି ଚିପ୍ସ ଆମର ଭାରୀ ପସନ୍ଦ । ପାଟି ସୁଆଦିଆ କିଛି କ୍ରିପ୍ସି ଓ କୁଡମୁଡ ଆଇଟମ୍ ଖୋଜେ ମନ । ବିଶେଷ କରି ପାଗ କୋହଲା ଥିଲେ ଏହାର ବେଶୀ ଖୋଜା ପଡ଼େ । ପିଲାଙ୍କୁ ନେଇ ଦୋକାନ ବଜାର ଗଲେ ନଜର ପଡ଼ିଲେ ବାପାମାଆଙ୍କୁ ମାଗନ୍ତି କୁରକୁରେ, ଅଙ୍କଲଚିପ୍ସ ଲେଜ୍ ବିଙ୍ଗୋଠାରୁ ଆରମ୍ଭ ଅନେକ ଚିପ୍ସ ଓ ଅଳି ବି କରନ୍ତି ।

କିନ୍ତୁ ଆପଣଙ୍କୁ ସବୁବେଳେ ଗୋଟିଏ କଥା ରାଗ ଲାଗେ, ୨୦ ଟଙ୍କାର ଚିପ୍ସ ପ୍ୟାକେଟ୍ରେ ୨୦ ଭାଗ ଚିପ୍ସ ଥିବ କିନ୍ତୁ ୮୦ ଭାଗ ଥିବ ପବନ ବା ଗ୍ୟାସ୍ । ବିକୁଥିବା ଦୋକାନୀକୁ ତ କିଛି କହିପାରନ୍ତିନି ଯେହେତୁ ତାକୁ ସେ ତିଆରି କରିନାହାନ୍ତି କିନ୍ତୁ ମନେମନେ କମ୍ପାନୀକୁ ଗାଳି କରନ୍ତି । କିନ୍ତୁ ମନରେ କେବେ ପ୍ରଶ୍ନ ଉଠିଛି କି ଯଦି ଏତେ କମ୍ ଚିପ୍ସ ଦେଉଛନ୍ତି ପବନ ପସେଇ ଏତେବଡ଼ ପ୍ୟାକେଟ୍ କରିବାର ମାନେ କ’ଣ ? ଆଖି ଦେଖାଣିଆ ହେବ ନା ଆଉ କିଛି । ଚାଲନ୍ତୁ ଏହାକୁ ନେଇ ଚର୍ଚ୍ଚା କରିବା ।

ଆପଣ ହୁଏତ ଭାବୁଥିବେ ଚିପ୍ସଗୁଡ଼ିକ ନଭାଙ୍ଗିବା ପାଇଁ ବି ପ୍ୟାକେଟ୍ରେ ଗ୍ୟାସ୍ ପୂରାଯାଉଥିବ । କିନ୍ତୁ ଯାହାବି ହେଉ ଗ୍ୟାସ୍ ଥିବା ଚିପ୍ସକୁ ଆପଣ ପସନ୍ଦ କରନ୍ତି, ଆଉ ଯେଉଁ ପ୍ୟାକେଟ୍ ଲିକ୍ ଯୋଗୁଁ ଫୁସ୍କି ଯାଇଥାଏ ତାକୁ ଆପଣ କିଣନ୍ତିନି । ତେବେ ଆପଣ ଠିକ୍ କରିଛନ୍ତି । ଚିପ୍ସ ପ୍ୟାକେଟ୍ରେ କିଛି ବିଶେଷ କାରଣ ପାଇଁ ଭରାଯାଏ ଗ୍ୟାସ୍ । ଏବେ ପ୍ରଶ୍ନ କେଉଁ ଗ୍ୟାସ ଭରାଯାଏ ?

ବନ୍ଧୁଗଣ ଏହାର କିଛି ବୈଜ୍ଞାନିକ ଆଧାର ରହିଛି । ସବୁ କିଛି ଖାଦ୍ୟ ସୁରକ୍ଷା ନିୟମାବଳୀ ପ୍ରାଧିକରଣଙ୍କ ଅନୁସାରେ କରାଯାଏ । ସାଧାରଣତଃ ଅମ୍ଳଜାନ ଗ୍ୟାସ୍ ବହୁତ ରିଆକ୍ଟିଭ୍ । କିଛି ବି ଜିନିଷ ସହ ମିଶି ପ୍ରତିକ୍ରିୟା କରେ । ତେଣୁ ବ୍ୟାକ୍ଟେରିଆଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଯାଆନ୍ତି । ତେଣୁ ଖାଇବା ଜିନିଷ ଯଦି ଅଧିକ ସମୟ ଖୋଲାରେ ରହେ ତେବେ ତାହା ଖରାପ ହୋଇଯାଏ । ସେଥିପାଇଁ ଚିପ୍ସ ପ୍ୟାକଟ୍ରେ ଭରାଯାଏ ନାଇଟ୍ରୋଜେନ୍ ଗ୍ୟାସ୍ । ଅକ୍ସିଜେନ ତୁଳନାରେ ନାଇଟ୍ରୋଜେନ୍ କମ୍ ରିଆକ୍ଟିଭ୍ । ଏହାର ସବୁଠୁ ବଡ଼ ଗୁଣ ଏହା ରଙ୍ଗହୀନ, ଗନ୍ଧହୀନ, ସ୍ବାଦହୀନ । ତେଣୁ ଖାଦ୍ୟସହ ମିଶି କିଛି ପ୍ରକ୍ରିୟା କରେନାହିଁ । କମ୍ ପ୍ରତିକ୍ରିୟାଶୀଳ ଗୁଣ ପାଇଁ ନାଇଟ୍ରୋଜେନ୍ ଖାଦ୍ୟକୁ ଅଧିକ ସମୟ ସୁରକ୍ଷିତ ରଖେ । ଏଥିସହିତ ଲମ୍ବା ସମୟ ଧରି ଶୁଖିଲା ଖାଦ୍ୟ ଜିନିଷକୁ ଏହା ଅଧିକ କ୍ରିପ୍ସି ବା ମୁଡମୁଡ ରଖେ । ଏଥିସହିତ ଏହା ପରିବହନ ପାଇଁ ବି ସୁବିଧା ।

କେଉଁ ଚିପ୍ସ ପ୍ୟାକେଟ୍ରେ କେତେ ଗ୍ୟାସ୍ ?
ଆପଣ ବଜାରରୁ ଅନେକ ପ୍ରକାରର ଚିପ୍ସ ଖାଇଥାନ୍ତି । କିନ୍ତୁ ସବୁଥିରେ ଗ୍ୟାସ୍ର ପରିମାଣ ସମାନ ନଥାଏ । କେଉଁଥିରେ ଅଧିକ ତ କେଉଁଥିରେ କମ୍ । ଏଟରେଟ୍ ନାମକ ଓ୍ବେବସାଇଟ୍ରେ ରହିଛି ଏ ସଂପର୍କରେ ସୂଚନା ।

ଲେଜ୍ ଚିପ୍ସରେ ମିଶିଥାଏ ୮୫ ପ୍ରତିଶତ ଗ୍ୟାସ୍ । ଅଙ୍କଲ ଚିପ୍ସରେ ୭୫ ପ୍ରତିଶତ ନାଇଟ୍ରୋଜ୍ ଓ ୨୫ ପ୍ରତିଶତ ଚିପ୍ସ ଥାଏ । ସେହିପରି ବିଙ୍ଗୋ ତେଡେମେଡେ ପ୍ୟାକେଟ୍ରେ ୭୫ ପ୍ରତିଶତ ନାଇଟ୍ରୋଜ୍ ମିଶିଥାଏ ଚିପ୍ସକୁ ଦୀର୍ଘ ସମୟ ଧରି ସୁରକ୍ଷିତ ରଖିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.